ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେବ। ଅଗଷ୍ଟ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ୧୭ଟି କାର୍ଯ୍ୟଦିବସ ରହିବ। ଏହି ଅଧିବେଶନ କାଳରେ ସରକାର ବ୍ୟକ୍ତିଗତ ଡିଜିଟାଲ ତଥ୍ୟ ସୁରକ୍ଷା ବିଧେୟକ ଓ ସମାନ ନାଗରିକ ସଂହିତା (ୟୁସିସି) ଭଳି ମୋଟ ୨୧ଟି ବିଧେୟକ ଆଗତ କରିବାର ଯୋଜନା କରିଛନ୍ତି। ସଂସଦରେ ଏବେ ୩୭ଟି ବିଧେୟକ ପଡି ରହିଥିବାବେଳେ ସେଥିରୁ ୮ଟିକୁ ଗୃହୀତ କରାଇବା ନିମନ୍ତେ ସରକାର ତାଲିକାଭୁକ୍ତ କରିଥିବା ଜଣାଯାଇଛି। ଅଧିବେଶନ କାଳରେ ସରକାର ଦିଲ୍ଲୀ ଅଧ୍ୟାଦେଶ ସପକ୍ଷରେ ବିଧେୟକ ଆଗତ କରିବାକୁ ଥିବାବେଳେ ବିରୋଧୀ ଦଳଗୁଡିକ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁhttps://samajalive.in/asia-cup-2023/483168.html
ଅଧିବେଶନ କାଳରେ ସରକାର ମଣିପୁର ହିଂସା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ମୌମୁମୀ ଅଧିବେଶନ ପୂର୍ବରୁ ବୁଧବାର ସରକାରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମଣିପୁର ହିଂସା ପ୍ରସଙ୍ଗ ଆଲୋଚନା କରାଯିବ ନେଇ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଣିପୁର ହିଂସା ପ୍ରସଙ୍ଗ ଆଲୋଚନା କରିବାକୁ ଦାବି କରିବାରୁ ସରକାର ଏଥିରେ ସମ୍ମତି ପ୍ରକାଶ କରିଥିଲେ। ଆଜିର ସର୍ବଦଳୀୟ ବୈଠକରେ ବିଜେଡି, ବିଆରଏସ୍ ଓ ୱାଇଏସଆର କଂଗ୍ରେସ ଭଳି କେତେକ ଦଳ ମହିଳା ସଂରକ୍ଷଣ ବିଧେୟକ ଗୃହୀତ ଉପରେ ଗୁରତ୍ବ ଦେଇଥିଲେ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି ବିଜେଡି ସଦସ୍ୟ ସସ୍ମିତ ପାତ୍ର ଦାବି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ୩୪ଟି ଦଳର ୪୪ଜଣ ସଦସ୍ୟ ଉପସ୍ଥିତ ରହିଥିଲେ।



