www.samajalive.in
Monday, December 8, 2025
14.1 C
Bhubaneswar

ବାଇକକୁ ଧକ୍କା ଦେଲା ହାଇୱା; ୮ବର୍ଷର ବାଳକ ସମେତ ୩ ଗୁରୁତର

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ସିନ୍ଦୁରପଙ୍କ ଛକରୁ ବାମରା ଅଞ୍ଚଳକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡ଼ର ଖିଣ୍ଡାପଡ଼ାଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ଜଣ ବାଇକ୍‌‌ ଆରୋହୀ ଗୁରୁତର ଆହତ ହୋଇଥିବା କତରବଗା ପୁଲିସ ସୂତ୍ରରୁ ଜଣାପଡ଼ିଛି। ୩ ଆହତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୮ବର୍ଷୀୟ ବାଳକ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପାଉଁଶ ପରିବହନକାରୀ ହାଇୱା ପାଉଁଶ ଡମ୍ପିଂ କରି ଝାରସୁଗୁଡା ପଟକୁ ଫେରୁଥିବା ବେଳେ ଖିଣ୍ଡାପଡ଼ାଠାରେ ଲଇଡା ଅଞ୍ଚଳରୁ ବାଇକ୍‌‌ରେ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଲଇଡା ନିକଟସ୍ଥ ଭାଗିପାଲି ଗ୍ରାମର ହୃଦାନନ୍ଦ ନାଏକ(୩୨), କୁଚିଣ୍ଡା ଥନା ଅନ୍ତର୍ଗତ କର୍ଲାଗୁଡା ଗ୍ରାମର ସରମଦ ପ୍ରଧାନ(୪୮) ଏବଂ ୮ବର୍ଷ ବୟସର ବାଳକ ସମ୍ପଦ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଇ ପୁଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକ ଗାଡ଼ି ଧରି ଘଟଣା ସ୍ଥଳରୁ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକେ ପିଛାକରି ସମାସିଂହାଠାରୁ କାବୁ କରି ସେଠାରୁ ଦୁର୍ଘଟଣା ସ୍ଥଳକୁ ଆଣି ଗାଡ଼ି ଅଟକ ରଖିଥିଲେ। ରାଞ୍ଚିରୋଡରେ ଚଳାଚଳ କରୁଥିବା ମାଲବାହୀ ଯାନ ଅଟକାଇ ଆହତଙ୍କ ଚିକିତ୍ସା ଖର୍ଚ୍ଚ ପରିବହନକାରୀ ସଂସ୍ଥା ବହନ କରିବା, ପାଉଁଶ ବୋଝେଇ ଟ୍ରକ୍‌‌ ଚଳାଚଳରେ ନିୟନ୍ତ୍ରଣ କରିବା ଆଦି ଦାବୀ ନେଇ ସକାଳ ୬ଟା୩୦ରୁ ଲୋକେ ଆନ୍ଦୋଳନ କରିଥିଲେ। କତରବଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସଦର ଏସଡିପିଓ ପ୍ରଦୀପ କୁମାର ସାହୁ, କତରବଗା ଆଇଆଇସି ପ୍ରତାପ କୁମାର ରଣା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପାଉଁଶ ପରିବହନ କରୁଥିବା ସଂସ୍ଥାର ସୁପରଭାଇଜରଙ୍କୁ ଡକାଇ ଉତ୍ତେଜିତ ତଥା ଅସନ୍ତୁଷ୍ଟ ଲୋକଙ୍କ ସହିତ ଆଲୋଚନା କରି ବୁଝାସୁଝା କଲାପରେ ଦିନ ପ୍ରାୟ ୧୧ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଆଲୋଚନାରେ ଜିଲ୍ଲା ପରିଷଦ ଜୋନ୍‌‌(୨) ସଭ୍ୟ ଦେନାରାୟଣ ତିୱାରୀ, ମଧୂସୁଦନ ନାଏକ(ଟିଙ୍କୁ), ଅବନୀ ରଞ୍ଜନ କର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଜବତ କରାଯିବା ସହ ଚାଳକକୁ ଥାନାରେ ଅଟକ ରଖାଯାଇଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀ ରଣା କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories