ଜୋରହାଟ: ଆସାମର ଜୋରହାଟ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଗତ ୯ ଦିନ ମଧ୍ୟରେ ୧୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ନଭେମ୍ବର ୧ରୁ ୯ ତାରିଖ ମଧ୍ୟରେ ଏହି ଶିଶୁମାନଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ କେତେକ ଶିଶୁ ଜନ୍ମଜାତ ରୋଗରେ ଆକ୍ରାନ୍ତ ଥିବାବେଳେ ଅନ୍ୟ କେତେକ ପୁଷ୍ଟିହୀନତାର ଶିକାର ଥିଲେ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ଲାଗି ରାଜଧାନୀ ଗୌହାଟୀରୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ଜୋରହାଟରେ ପହଞ୍ଚିଛନ୍ତି। ଏହି ଦଳରେ ୟୁନିସେଫର ସଦସ୍ୟ ମଧ୍ୟ ସାମିଲ ଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ସମସ୍ତ ନବଜାତ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ସ୍ୱତନ୍ତ୍ର ୟୁନିଟରେ ଚିକିତ୍ସାଧୀନ ଥିବା ବେଳେ ପ୍ରାଣ ହରାଇଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏଥିସହ ଚିକିତ୍ସା ସେବାରେ କୌଣସି ଅବହେଳାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି।



