www.samajalive.in
Tuesday, December 9, 2025
26.1 C
Bhubaneswar

ଚାରିଛକରେ ପିଇବା ପାଣି ସମସ୍ୟା

ହରଭଙ୍ଗା: ଡହ ଡହ ଖରା ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କୁ କଲବଲ କରୁଛି। ପାଣି ଟୋପାଏ ପାଇଁ ସକାଳ ହେଲେ ନଳକୂପ, କୂଅ ଚାରିପାଖରେ ଲୋକଙ୍କ ଭିଡ଼ ଜମୁଛି। ପ୍ରକଳ୍ପ ଥାଇ ଲୋକଙ୍କୁ ଦୁଇ ଓଳି କେଉଁଠି ପାଣି ମିଳୁନି ତ ଆଉ କେଉଁଠି ପାଣି ଟୋପାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଧାଉଁଛନ୍ତି। ଏଭଳି ନିଅଣ୍ଟିଆ ସମୟରେ ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରରେ ପାଣି ସମସ୍ୟା ସରକାରଙ୍କ ଗ୍ରୀଷ୍ମ ମୁକାବିଲାକୁ ପଦାରେ ପକାଇଛି। ଦୀର୍ଘଦିନ ହେଲା ପାଣି ପାଇପ୍‌‌ ଫାଟି ପଡ଼ିଥିବାବେଳେ ଏହାର ମରାମତି ଦିଗରେ ଜଳ ଓ ପରିମଳ ବିଭାଗ ଦୃଷ୍ଟି ନ ଦେବା ଘଟଣା ବିଭାଗୀୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ପଦାରେ ପକାଇଛି। ବ୍ଲକ ସଦରମହକୁମାରେ ଏଭଳି ଅବ୍ୟବସ୍ଥାକୁ ଲକ୍ଷ୍ୟକଲେ ଅନ୍ୟ ସ୍ଥାନରେ ଜଳ ଯୋଗାଣ ପ୍ରକଳ୍ପ କିପରି ଚାଲିଥିବ ଏଥିରୁ ବୁଝାପଡ଼ିଯାଉଛି।

ପ୍ରକାଶ ଯେ, ବ୍ଲକ ସଦରମହକୁମା ଚାରିଛକ ବଜାର ଜନସାଧାରଣଙ୍କ ପିଇବା ପାଣି ସୁବିଧା ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପ୍ରକଳ୍ପ ପାଇଁ ଗଭୀର କୂପ,ପାଣି ଟାଙ୍କି,ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ହୋଇଛି। ପାଣି ପାଇପ୍‌‌ ବିଛାଇବା ସହିତ ବିଦ୍ୟୁତ ସଂଯୋଗ କରାଯାଇଥିଲା। ସରକାରୀ ଅଟକଳରେ ନିର୍ମାଣ ପ୍ରକଳ୍ପର ରକ୍ଷଣା ବକ୍ଷଣା ପାଇଁ ବଜାର ଅଂଚଳର କିଛି ବୁଦ୍ଧିଜୀବୀଙ୍କୁ ନେଇ ଜୟ ମା ଦୁର୍ଗା ଜଳ ଓ ପରିମଳ କମିଟି ନିର୍ମାଣ କରିଯାଇଥିଲା। ଏହା ସହ ଏକ ପମ୍ପ ଚାଳକଙ୍କୁ ନିୟୋଜିତ କରାଯାଇଥିଲା।୨୦୧୬ ମସିହାରେ ବ୍ଲକ ପକ୍ଷରୁ ଏହି କମିଟିକୁ ପ୍ରକଳ୍ପ ହସ୍ତାନ୍ତର କରାଯାଇଥିଲା। ପ୍ରଥମେ ୨୦ଟି ଘରକୁ ଜଳ ଯୋଗାଣ ଆରମ୍ଭ ହୋଇଥିଲା। କ୍ରମଶଃ ଏଥିରେ ବୃଦ୍ଧି ଘଟିବା ସହ ବର୍ତମାନ ୭୦ଘରକୁ ଜଳଯୋଗାଣ ହୋଇପାରୁଛି। ଜଳ ଯୋଗାଣ ନିମନ୍ତେ ବଜାର ମଧ୍ୟରେ ୧୧ଟି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ଘର ପିଛା ମାସିକ ଶହେଟଙ୍କା ଆଦାୟ କରାଯାଉଥିବା ବେଳେ ପମ୍ପ ଚାଳକଙ୍କୁ ୩ହଜାର ମସିକ ରାଶି ପ୍ରଦାନ କରାଯାଉଛି। ଆଦାୟ ଟଙ୍କାରୁ ପାଇପ ମରାମତି କାର୍ଯ୍ୟ ମଧ୍ୟ କରାଯାଉଛି।ବର୍ଷରେ ଆଠମାସ ଜଳ ଯୋଗାଣ ସଠିକ ଭାବେ ଚାଲୁଥିବା ବେଳେ ଖରା ଚାରିମାସ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଚାହିଦାକୁ ପୂରଣ କରିପାରୁନାହିଁ। ଖାରା ମାସରେ କୂଅରୁ ପାଣି ଶୁଖିଯାଉଥିବାରୁ ଦୁଇ ଦିନରେ ଥରେ ମାତ୍ର ଅଧଘଂଟାଣ୍ଟ ଜଳ ଯୋଗାଣ ହେଉଛି। ଫଳରେ ଲୋକଙ୍କୁ ନିଅଣ୍ଟିଆ ସମୟରେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଶୌଚାଳୟ ସମ୍ମୁଖରେ ଯାଇଥିବା ପାଇପ ଲାଇନ ୭୮୦ ଫୁଟର ପ୍ଲାଷ୍ଟିକ ପାଇପ ଫାଟି ଯାଇଛି। ଏହି ପ୍ଲାଷ୍ଟିକ ପାଇପକୁ ମରାମତି କରିବା ପାଇଁ କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବା ସଭାପତି ଦିଲ୍ଲୀପ ସାହୁ ଏବଂ ସମ୍ପାଦକ ରମେଶ ଜେନା ଅଭିଯୋଗ କରିଛନ୍ତି। ଯାହାଫଳରେ ଚାରିଛକ ବଜାର ଜନସାଧାରଣ ପିଇବା ପାଣି ଟୋପାଏ ପାଇଁ ଦହଗଞ୍ଜ ହେଉଥିବା ଦେଖିବାକୁ ମିଳିଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ଉଠୁଛି। ଏ ସମ୍ପର୍କରେ ଜଳ ଓ ପରିମଳ ଯନ୍ତ୍ରୀ ପ୍ରଦୀପ ଜେନାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

- Advertisement -

 

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories