www.samajalive.in
Monday, December 8, 2025
14.1 C
Bhubaneswar

ବୌଦ୍ଧରେ କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ : ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବ ସୂଚନା ଦେଇ ସାରିଲେଣି। ପ୍ରତିବର୍ଷ ଜୁଲାଇ ଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେବା ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ବର୍ଷା ବିତ୍ପାତ ଘଟିବା ସହିତ ମହାନଦୀ ଓ ତେଲନଦୀରେ ବନ୍ୟା ପରିସ୍ଥିତି ଲାଗି ରହିଥାଏ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ରହିଥିବା ବେଳେ ନଦୀକୂଳରେ ରହୁଥିବା ପରିବାରମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଜିଲାରେ ମହାନଦୀ ଓ ତେଲନଦୀ ଦୁଇଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବା ବେଳେ ବାଘ ଓ ସାଲୁଙ୍ଖି ଭଳି ଛୋଟ ନଦୀ ବନ୍ୟା ବିଭୀଷିକା ସୃଷ୍ଟି କରିବାରେ ମୁଖ୍ୟ କାରଣ ହୋଇଥାଏ। ୧୯୮୨ର ପ୍ରଳୟଙ୍କାରୀ ବନ୍ୟାରେ ସାଲୁଙ୍ଖି ନଦୀରେ ଭୀଷଣ ବନ୍ୟାଜଳ ବୌଦ୍ଧଜିଲାରେ ବିଭୀଷିକା ସୃଷ୍ଟି କରିଥିଲା। ସେହିପରି ୨୦୦୦ ମସିହା ପରଠାରୁ ପ୍ରତିବର୍ଷ ତେଲନଦୀର ବନ୍ୟାଜଳ ତଳମୁଣ୍ଡକୁ ବିପଦ ସୃଷ୍ଟି କରିଆସିଛି।
ତେଲନଦୀ କଳାହାଣ୍ଡି ଜିଲାରୁ ଜିଲାର କଣ୍ଟାମାଳ ବ୍ଲକ ଦେଇ ମନମୁଣ୍ଡା ଠାରେ ମହାନଦୀରେ ମିଶିଥିବାବେଳେ କନ୍ଧମାଳ ଜିଲାରୁ ବାହାରିଥିବା ସାଲୁଙ୍ଖି ନଦୀ ବୌଦ୍ଧ ସହରର ଉପରମୁଣ୍ଡରେ ବଲାଶିଙ୍ଗା ଗ୍ରାମ ନିକଟରେ ମହାନଦୀ ସହ ସମ୍ମିଳିତ ହୋଇଛି। ୧୯୮୨ ବନ୍ୟା ପରଠାରୁ ବୌଦ୍ଧ ଜିଲ୍ଲାରେ ମହାନଦୀ ଶଯ୍ୟାରେ ପ୍ରବଳ ବାଲି ପୋତି ହୋଇଯିବା ଯୋଗୁଁ ଏହା ମଧ୍ୟ ବନ୍ୟାର ପ୍ରମୁଖ କାରଣ ପାଲଟିଥାଏ। ତେବେ ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇ ଚାଲିଥିବାବେଳେ ଅନେକ ସ୍ଥାନରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇଯିବା ଯୋଗୁଁ ମୌସୁମୀ ପୂର୍ବରୁ ହିଁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ତେଲନଦୀ ମୁହାଁଣରେ ସୁବର୍ଣ୍ଣପୁର ସହରର ସୁରକ୍ଷା ପାଇଁ ନଦୀକୂଳରେ ପଥରପେଚିଂ ଓ ରାସ୍ତା ତିଆରି ହୋଇଥିବାବଳେ ଏହା ମନମୁଣ୍ଡାବାସୀଙ୍କ ପାଇଁ ବିପଦର କାରଣ ପାଲଟିଲାଣି । ମନମୁଣ୍ଡା ପଟେ ମଧ୍ୟ ତେଲନଦୀ କୂଳରେ ପଥର ପେଚିଂ ସହ ନଦୀ କୂଳର ଉପଯୁକ୍ତ ସୁରକ୍ଷା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି।
ସେହିପରି ବୌଦ୍ଧଜିଲାରେ ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ମହାନଦୀ କୂଳେ କୂଳେ ୧୦ ହଜାର ରୁ ଉଦ୍ଧ୍ୱର୍ ପରିବାର ନଦୀକୂଳରେ ଘର କରି ରହୁଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପାଣି ପଶି ପ୍ରତିବର୍ଷ କ୍ଷୟକ୍ଷତି କରୁଅଛି। ନଦୀ କୂଳର ସୁରକ୍ଷା ଲାଗି ପଥର ପ୍ୟାଚିଂ ସହିତ ବୃକ୍ଷ ରୋପଣ ପାଇଁ ପ୍ରତିବର୍ଷ ଯୋଜନା ହୋଇ କେବଳ କାଗଜ କଲମରେ ରହି ଯାଉଛି। ସରକାର ନଦୀବନ୍ଧର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସବୁଜ ମହାନଦୀ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଜିଲାରେ ଏହି ଯୋଜନା ହଜି ଗଲାଣି । ସେହିପରି ବୌଦ୍ଧ ସହରର ମହାନଦୀ କୂଳେ କୂଳେ ଏକ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଅନେକ ସ୍ଥାନରେ ବେସରକାରୀ ଜମି ପଡୁଥିବାରୁ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଏହି ଅର୍ଥରୁ କିଛି ଖର୍ଚ୍ଚ କରି ବଳକା ଅର୍ଥକୁ ସରକାରଙ୍କୁ ଫେରାଇ ଦିଆଗଲା। ଏବେ ପୁଣିଥରେ ବଙ୍କାପଡା ଠାରୁ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଅଛି। ବୌଦ୍ଧ ସହରର ଲୋକମାନେ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ବର୍ଷାରେ ବନ୍ୟା ଆଶଙ୍କାରେ ରହୁଛନ୍ତି। ତେଣୁ ବୌଦ୍ଧ ସହର ସମେତ ଜିଲ୍ଲାର ଜନବସତି ରହିଥିବା ନଦୀକୂଳ ଗୁଡିକର ଉପଯୁକ୍ତ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ନଦୀ କୂଳେ କୂଳେ ଏକ ରିଙ୍ଗବନ୍ଧ ନିର୍ମାଣ ପାଇଁ ସାଧାରଣରେ ମତପ୍ରକାଶ ପାଉଅଛି। ସେହିପରି ବୌଦ୍ଧ ସହରର ଅନ୍ୟତମ ଆକର୍ଷଣ ମହାନଦୀ ଘେରି ରହିଥିବା ମର୍ଜାକୁଦର ଚାରିପଟୁ ପ୍ରତିବର୍ଷ କୂଳଖାଇ ଚାଲିଥିବା ଯୋଗୁଁ ଏହାର ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ମର୍ଜାକୁଦ ଓ କୁଲାରିକୁଦ (ମହାନଦୀ ଗର୍ଭରେ ଅନ୍ୟତମ ଟାପୁ)କୁ ନେଇ ଇକୋ ଟୁରିଜିମର ବିକାଶ ପାଇଁ ବନ ବିଭାଗ ପକ୍ଷରୁ ଯୋଜନା କରାଯାଇ ନିକଟରେ ଶୀଳାନ୍ୟାସ କରାଯାଇଛି। ତେଣୁ ଏହି ଦୁଇ ଟାପୁର ସୁରକ୍ଷା ପାଇଁ ଏହାର ନଦୀକୂଳର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବାକୁ ସାଧାରଣରେ ମତପ୍ରକାଶ ପାଉଅଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories