ଡେସ୍କ: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡାଠାରେ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ସହରଗୁଡିକ ମଧ୍ୟରେ ହୀରାକୁଦରେ ୪୧.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩.୦ ଡ଼ିଗ୍ରୀ ଓ ପୁରୀରେ ୩୨.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ତେବେ ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ଥିବାବେଳେ ପରବର୍ତୀ ସମୟରେ ଏଥିରେ ବୃଦ୍ଧି ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଗଜପତି, ଗଞ୍ଜାମ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।



