କେନ୍ଦୁଝର: ସଙ୍କଟରେ ଗଜରାଜ । ବୁଡ଼ିଯିବ କି ହାତୀ ବଂଶ ? ବାରମ୍ବାର ହାତୀ ମାନଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଆଉ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ତାର ଲାଗି ହାତୀ ମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ବିଦ୍ୟୁତ୍ ତାର ଲାଗି ୨ଟି ମାଈ ହାତୀଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ବନ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବନବିଭାଗର ପ୍ରାଥମିକ ତଦନ୍ତ ଅନୁଯାୟୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ୯ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିଥିଲେ । ଯେତେବେଳେ ଗଛର ଡାଳ ଖାଇବାକୁ ଚେଷ୍ଟା କରିଥିଲେ । ଡାଳଟିରେ ବିଦ୍ୟୁତ୍ ତାର ଲାଗି ରହିଥିଲା । ବିଦ୍ୟୁତ୍ ଆଘାତ ଲାଗି ୨ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଅତୀତରେ ଅନେକ ହାତୀଙ୍କ ମୃତ୍ୟୁ ଉପରୁ ପରଦା ହଟିନଥିବା ବେଳେ କିଛି ଅଭିଯୁକ୍ତଙ୍କୁ ବନବିଭାଗ ଓ ପୁଲିସ ଗିରଫ କରିଛି । ତଥାପି ଅନେକ ହାତୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ । ଏହି ସମୟରେ ବାର୍ତ୍ତମାନ ପୁଣି ଆଉ ଦୁଇଟି ହାତୀ ମୃତ୍ୟୁକୁ ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି ।



