ତେଲକୋଇ: ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ୪୦ରୁ ଅଧିକ ଅନ୍ତେବାସୀ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ଅନ୍ତେବାସୀ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପରେ ସମସ୍ତ ଅନ୍ତେବାସୀ ସୁସ୍ଥ ହୋଇ ବିଦ୍ୟାଳୟକୁ ଫେରିଥିବା ସୂଚନା ରହିଛି। ତେବେ ଏହାର ସଠିକ କାରଣ ଜଣା ପଡିନଥିବା ବେଳେ ଜଳ ଓ ଖାଦ୍ୟ ଜନିତ ସଂକ୍ରମଣ ହୋଇ ଥାଇପାରେ ବୋଲି ଅନୁମାନ କରା ଯାଉଛି।
ସୂଚନା ଅନୁସାରେ, ମଙ୍ଗଳବାର ଖାଦ୍ୟ ସାରଣୀ ଅନୁଯାୟୀ, ସକାଳ ସମୟରେ ଅନ୍ତେବାସୀଙ୍କୁ ସୁଜି, ୧୦ ଘଟିକା ବେଳକୁ ଭାତ, ଡାଲି ଓ ସୋୟାବିନ ତରକାରୀ ଦିଆଯାଇଥିଲା। ଏହା ପରେ ଅପରାହ୍ନରେ ପଖାଳ ସାଙ୍ଗକୁ ଭଜା ଦିଆଯାଇ ଥିଲା। ଠିକ୍ ସନ୍ଧ୍ୟା ସମୟରେ ଅନ୍ତେବାସୀଙ୍କ ମୁଣ୍ଡ ବ୍ୟଥା, ଜ୍ୱର, ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା। ଏହି ଘଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଜାଣିବା ପରେ ସଙ୍ଗେ ସଙ୍ଗେ ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ଅନ୍ତେବାସୀଙ୍କୁ ଚିକିତ୍ସା ନିମନ୍ତେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏହା ପରେ ପୁଣି ତିନୋଟି ପର୍ଯ୍ୟାୟ ୧୪, ୧୩ ଓ ୪ ଜଣ କରି ସମୁଦାୟ ୪୩ ଅନ୍ତେବାସୀଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଅନ୍ତେବାସୀ ସୁସ୍ଥ ଅନୁଭବ କରୁଥିବା ଜଣାପଡ଼ିଛି।
ଉକ୍ତ ଆବାସିକ ଆଶ୍ରମ ବିଦ୍ୟାଳୟରେ ୮୫ଜଣ ଛାତ୍ରୀ ରହୁଥିବା ବେଳେ ସମସ୍ତ ଛାତ୍ରୀ ଏହି ଖାଦ୍ୟପେୟ ଖାଇଥିଲେ ମଧ୍ୟ ଅନ୍ୟ ଛାତ୍ରୀମାନେ ସୁସ୍ଥ ଥିବା ଜଣାପଡ଼ିଛି। ସେହିପରି ଏହି ବିଦ୍ୟାଳୟରେ ଶତାଧିକ ଛାତ୍ର ମଧ୍ୟ ଛାତ୍ରାବାସରେ ରହୁଥିଲେ ହେଁ କୌଣସି ଛାତ୍ର ଅସୁସ୍ଥ ହୋଇନଥିବା ଜଣାପଡିଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଏକ ଦଳ ବିଦ୍ୟାଳୟକୁ ଯାଇ ସମସ୍ତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ କେଉଁ କାରଣ ପାଇଁ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।



