www.samajalive.in
Monday, December 8, 2025
16.1 C
Bhubaneswar

ତିତଲି ଆଣିବ ବଡ଼ ବିପର୍ଯ୍ୟୟ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା ‘ତିତଲି’ ମନ୍ଥର ଗତିରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଥିବାରୁ ସମୁଦ୍ର ଉପରେ ଭୟଙ୍କର ରୂପ ନେଉଛି। ଘଣ୍ଟା ପ୍ରତି ୧୪ କିମି ବେଗରେ ପଶ୍ଚିମ ଦିଗରେ ଗତି କରି ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଗୋପାଳପୁରଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୩୨୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‍ଠାରୁ ଦକ୍ଷିଣପୂର୍ବରେ ୨୭୦ କିମି ଦୂରରେ ରହିଛି।
‘ତିତଲି’ କେବଳ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ମହାବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସ୍ଥଳ ଭାଗକୁ ଛୁଇଁବା ପରେ ‘ତିତଲି’ର ରୂପ ଭୟଙ୍କର ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବ୍ୟାପକ କ୍ଷତିକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ରେଡ୍‍ ଆଲର୍ଟ ଜାରି ହୋଇଥିବା ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ‘ତିତଲି’ ବଡ଼ ବିପର୍ଯ୍ୟୟ ଆଣିବ ବୋଲି ଆଶଙ୍କା କରାଯାଉଛି। ‘ତିତଲି’ର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିବାକୁ ଥିବାରୁ ସେଥିପ୍ରତି ଜିଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ବନ୍ୟା ଓ ବାତ୍ୟା ମୁକାବିଲା ଏବଂ ରିଲିଫ୍‍ ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିରୋ କାଜୁଆଲ୍‍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ‘ତିତଲି’ର ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ସୂଚନା ଦେଇଛନ୍ତି। ବାତ୍ୟା ଓ ବନ୍ୟା ଆଶଙ୍କା ଯୋଗୁଁ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ରେଡ ଆଲର୍ଟ ଜାରି କରାଯାଇଥିବା ୫ଟି ଜିଲାରେ ଏନ୍‍ଡିଆରଏଫ୍‍ ଟିମ୍‍ ସଜାଗ ଅଛନ୍ତି। ଓଡ୍ରାଫ୍‍ ଟିମ୍‍ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ଯୁଦ୍ଧାକଳୀନ ଭିତ୍ତରେ ସ୍ଥାନାନ୍ତର କରାଯାଉଛି। ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ତଟ ସୁରକ୍ଷା ଓ ନୌସେନା ବାହିନୀଙ୍କ ସହିତ ଯୋଗାଯୋଗ କରଯାଇଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ସ୍କୁଲ୍‍, କଲେଜ୍‍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ୧୧ ଓ ୧୨ ତାରିଖ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲ୍‍ରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ସବୁ ସରକାର କର୍ମଚାରୀଙ୍କ ଛୁଟି ବାତିଲ୍‍ କରାଯିବା ସହିତ ଛୁଟିରେ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ ସେବା ସାମଗ୍ରୀ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ସମସ୍ତ ଜଳଯୋଗାଣ କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବାତ୍ୟା କ୍ଷୟକ୍ଷତି ପରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର, ପୁନର୍ନିମାଣ ଓ ମରାମତି କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦେଇଛନ୍ତି।


୧୧ ତାରିଖ ସକାଳୁ ଉପକୂଳ ଛୁଇଁବା ପରେ କିଛି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ କିଛି ସମୟ ରହି ପୁଣି ଉତ୍ତର-ପୂର୍ବ ଦିଗରେ ଗାଙ୍ଗେୟ ଅଞ୍ଚଳ ଦିଗକୁ ଅଗ୍ରସର ହେବ। ତା ପରେ ‘ତିତଲି’ କ୍ରମଶଃ ଦୁର୍ବଳ ହେବ। ୧୦ ତାରିଖ ରାତିରୁ ୧୧ ତାରିଖ ରାତି ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ‘ତିତଲି’ ବ୍ୟାପକ ବିପର୍ଯ୍ୟୟ ସୃଷ୍ଟି କରିବ। ସ୍ଥଳ ଭାଗକୁ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ରହିବ। କ୍ରମଶଃ ଏହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୬୫ କିମି ହୋଇପାରେ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାର ଆଶଙ୍କା ରହିଛି। ଚାଳ ଓ ଆଜବେଷ୍ଟସ୍‍ ଘରକୁ ଅଧିକ କ୍ଷତି ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ହେବାକୁ ଥିବାରୁ ରୁଷିକୂଲ୍ୟା, ମହେନ୍ଦ୍ରତନୟା ଓ ବଂଶଧାରରେ ବନ୍ୟା ଆସିବ। ଉପରୋକ୍ତ ଦୁଇ ଜିଲା ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାର ବ୍ୟାପକ ଚାଷଜମି ଜଳମଗ୍ନ ହେବ।
ମହାବାତ୍ୟା ଆସିବା ପୂର୍ବରୁ ଲୋକଙ୍କ ଅହେତୁକ ଆଶଙ୍କା ଓ ଗୁଜବ ଯୋଗୁଁ ବଜାରରୁ ହଠାତ୍‍ ଆଳୁ ଓ ପିଆଜ ଦର ଆକାଶ ଛୁଅାଁ ହୋଇଛି। କଳାବଜାରୀ ରୋକିବାକୁ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଗୋଦାମରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ୍‍ ଥିବାରୁ ଅଯଥା ଗୁଜବରେ ବିଶ୍ୱାସ ନ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଖୋର୍ଦ୍ଦ​‌ରୋଡ଼୍ ଓ ବିଜୟନଗରମ୍ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳ ରାତି ୧୦ ଟାରୁ ବାତିଲ କରାଯାଇଛି। ପୁରୀରୁ ଛାଡ଼ିବାକୁ ଥିବା କେତେକ ଟ୍ରେନର ସମୟ ସୂଚୀ ବଦଳା ଯାଇଥିବା ବେଳେ ଆଉ କେତେକ ଟ୍ରେନକୁ ନାଗପୁର ଓ ବିଜୟୱାଡ଼ା ଦେଇ ଗତିପଥ ବଦଳା ଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories