ଜୁଲାଇ ୪ରୁ ଓଜେଇଇ, ୨୧ରୁ ଜେଇଇ ମୁଖ୍ୟ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜୁଲାଇ ୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ବୁଧବାର ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଜାତୀୟ ପ୍ରବେଶିକା ପରୀକ୍ଷା(ଜେଇଇ) ମୁଖ୍ୟ ଅଧିବେଶନ-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଜୁନ ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣର ସମୟ ସୀମା ରହିଛି। ଛାତ୍ରଛାତ୍ରୀ ୱେବସାଇଟ (www.jeemain@nta.ac.in/www.nta.ac.in)କୁ ଲଗଇନ କରି ପଞ୍ଜୀକରଣ କରିବା ସହ ବିସ୍ତୃତ ତଥ୍ୟ ପାଇପାରିବେ। ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷା କମ୍ପ୍ୟୁଟର ବେସ ଟେଷ୍ଟ (ସିବିଟି)ମାଧ୍ୟମରେ ହେବାକୁ ଥିବାବେଳେ ତିନିଟି ଅଧିବେଶନ (ସିଫ୍ଟ)ରେ ପରୀକ୍ଷା କରାଯିବ। ପ୍ରଥମ ଅଧିବେଶନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ଅଧିବେଶନ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ୨ଟା ଏବଂ ତୃତୀୟ ଅଧିବେଶନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବାକୁ ଥିବାବେଳେ ୫ତାରିଖ‌େ‌ର ୧ମ ଓ ୨ୟ ସିଫ୍ଟରେ ଏମସିଏ ଓ ଏମ.ଏସସି(କମ୍ପ୍ୟୁଟର ସାଇନ୍ସି) ପରୀକ୍ଷା ଅନୁଷ୍ଠିତ ହେବ। ୩ୟ ସିଫ୍ଟରେ ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ବି.କ୍ୟାଟ ପରୀକ୍ଷା ରହିଛି। ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ ଏବଂ ତୃତୀୟ ସିଫ୍ଟରେ ଇଣ୍ଟ୍ରିଗେଟେଡ ଏମବିଏ, ଲାଟେରାଲ ଫାର୍ମା, ଲାଟେରାଲ ଟେକ (ବି.ଏସସି) ଏବଂ ବି.କ୍ୟାଟ(ଫିଲିମ ଏଡିଟିଂ)ପରୀକ୍ଷା ରହିଛି। ୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି.ଫାର୍ମା ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ଏସ.କେ ଚାନ୍ଦ କହିଛନ୍ତି।

ଚଳିତ ବର୍ଷ ୫୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଅପେକ୍ଷା ଏବର୍ଷ ପ୍ରାୟ ଦୁଇ ହଜାର ବିଦ୍ୟାର୍ଥୀ ଅଧିକ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ର ପ୍ରତି ଜିଲାରେ କରାଯିବାକୁ ଥିବାବେଳେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରରେ ଗୋଟିଏରୁ ଅଧିକ କେନ୍ଦ୍ର କରାଯିବ। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲକାତା, ଝାଡ଼ଖଣ୍ଡ ରାଞ୍ଚି ଏବଂ ବିହାରର ପାଟଣା ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ ପ୍ରସ୍ତୁତି ଚଳାଇଛି। ଜୁନ ୨୭ରୁ ଓଜେଇଇ ୱେବସାଇଟରୁ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ଉକ୍ତ ପାଠ୍ୟକ୍ରମ ସହ ବି.ଟେକକୁ ମିଶାଇ ପରୀକ୍ଷା କରାଯାଉଥିଲା। ହେଲେ ଚଳିତ ବର୍ଷ କରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ପୂର୍ବ ପରି ସ୍ବତନ୍ତ୍ର ଓଜେଇଇ କରାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ବି.ଟେକ ସହ ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ ଏହି ସ୍ବତନ୍ତ୍ର ଓଜେଇଇ ହେବ। ସ୍ବତନ୍ତ୍ର ଓଜେଇଇ ପଞ୍ଜୀକରଣ ନିମନ୍ତେ ଓଜେଇଇ ପକ୍ଷରୁ ଆଗକୁ ବିଜ୍ଞପ୍ତି ପ୍ରକାଶ ପାଇବ।

Comments are closed.