www.samajalive.in
Monday, December 8, 2025
14.1 C
Bhubaneswar

ନବୀନଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି

ଭୁବନେଶ୍ବର: ଜନସେବାରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୫ ବର୍ଷ ତଳେ ଆଜିର ଦିନରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ। ୪.୫ କୋଟି ଓଡ଼ିଶାବାସୀଙ୍କୁ ସେମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ଅର୍ପଣ କରିଛନ୍ତି। ପ୍ରତ୍ୟକ୍ଷ ରାଜନୀତିର ୨୫ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିଥିଲେ ନବୀନ। ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରି ୧୯୯୭ ଜୁନ୍‌ ପହିଲାରେ ପ୍ରଥମ ଥର ନବୀନ ଆସିକା ଲୋକସଭା ଆସନରୁ ଜିତିଥିଲେ। ରାଜନୀତିରେ ପ୍ରବେଶ ସମୟରେ କୌଣସି ଅଭିଜ୍ଞତା ନ ଥିଲେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିଥିଲେ। ୧୯୯୭ରୁ ୨୦୨୨ ଗତ ୨୫ ବର୍ଷ ଧରି ନବୀନ ଓଡ଼ିଶାରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ରହିଛନ୍ତି। ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ସହ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ।

- Advertisement -

ରାଜନୀତିରେ ପ୍ରବେଶ କରିବା ଦିନଠାରୁ ସେ ଏଯାବତ୍‌ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସଫଳତାର ଗୋଟିକ ପରେ ଗୋଟିଏ ଶିଡ଼ି ଚଢ଼ିବାରେ ଲାଗିଛନ୍ତି। ଏକଦା ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ ରାଜ୍ୟରେ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହିଛନ୍ତି। ୨୦୦୦ ଏବଂ ୨୦୦୪ରେ ବିଜେପି ସହ ମେଣ୍ଟ କରି ବିଜେଡି କ୍ଷମତାସୀନ ହୋଇଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଏକାକୀ ନିର୍ବାଚନ ଲଢି ସଂଖ୍ୟା ଗରିଷ୍ଠ ଦଳ ଭାବେ କ୍ଷମତା ବଜାୟ ରଖିଥିଲା। ଏହାପରେ ୨୦୧୪ ଓ ୨୦୧୯ରେ ମଧ୍ୟ ନବୀନଙ୍କ ନେତୃତ୍ବରେ ବିଜେଡି ତାହାର ବିଜୟ ଧାରା ଅବ୍ୟାହତ ରଖିଥିଲା। କ୍ରମାଗତ ଭାବେ ୨୦୦୦ରୁ୨୦୧୯ ପର୍ଯ୍ୟନ୍ତ ୫ଟି ନିର୍ବାଚନରେ ବିଜେଡି ସଫଳତା ବଜାୟ ରଖିଥିବାବେଳେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଓଡ଼ିଶା ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ବିଜୁ ବାବୁଙ୍କ ଦେହାନ୍ତ ପୂର୍ବରୁ ରାଜ୍ୟ ରାଜନୀତିରେ ନବୀନ ସମ୍ପୂର୍ଣ୍ଣ ନୂଆ ଥିଲେ। ବିଜୁ ବାବୁଙ୍କ ପରଲୋକ ପରେ ୧୯୯୭ ଡିସେମ୍ବର ୨୬ରେ ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା। ମାର୍ଚ୍ଚ ୧୯୯୮ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ସେ ଦାୟିତ୍ବ ଗ୍ରହଣ କରିଥିଲେ । ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶ୍ରୀ ପଟ୍ଟନାୟକ। ସେ ୨୦୦୦ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜ୍ୟ ରାଜନୀତିରେ ସଫଳ ହେବା ସହ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ।

ବିଜେଡିର ସବୁ ବର୍ଗର ନେତା ଏବଂ ଦଳୀୟ କର୍ମକର୍ତ୍ତା ତାଙ୍କୁ ୨୫ ବର୍ଷର ରାଜନୈତିକ ସଫଳତା ପାଇଁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ବରିଷ୍ଠ ନେତା ପ୍ରତାପ ଦେବ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଶଶିଭୂଷଣ ବେହେରା, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ,ରାଜେନ୍ଦ୍ର ସାହୁ, ବିଜେଡି ମିହିଳା ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ଛାତ୍ର ବିଜେଡି ସଭାପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଏମ୍‌ସି ମେୟର ସୁଲୋଚନା ଦାସ, ମୁଖପାତ୍ର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ଏଲିନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories