www.samajalive.in
Sunday, December 7, 2025
26.1 C
Bhubaneswar

ବରୋଦାକୁ ସ୍ଥାନାନ୍ତର ହେବ ଭାରତ-ଇଣ୍ଡିଜ ୨ୟ ଦିନିକିଆ !

ମୁମ୍ବଇ : ଚଳିତମାସ ୨୪ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଇନ୍ଦୋରରେ ଖେଳାଯିବ ବୋଲି ପ୍ରଥମେ ସ୍ଥିର ହୋଇଥିଲା। ତେବେ କମ୍ପ୍ଲିମେଣ୍ଟାରି ଟିକଟ ବଣ୍ଟନ ପ୍ରସଙ୍ଗକୁ ନେଇ ବିସିସିଆଇ ଓ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ (ଏମପିସିଏ) ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିବାବେଳେ ବର୍ତ୍ତମାନ ଏହି ମ୍ୟାଚ ବରୋଦାକୁ ସ୍ଥାନାନ୍ତର ହୋଇପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି। ବରୋଦାରେ ବୋର୍ଡ ସଭାପତି ଏକାଦଶ ବିପକ୍ଷରେ ଦୁଇଦିନିଆ ଅଭ୍ୟାସ ମ୍ୟାଚ ଖେଳି ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତ ଆରମ୍ଭ କରିଛି। ବରୋଦା ପିଚ୍‍ ଓ ସେଠାକାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାରେ ଇଣ୍ଡିଜ ଦଳ ସନ୍ତୋଷ ପ୍ରକାଶ କରିଥିବାରୁ ସେଠାରେ ଏହି ମ୍ୟାଚ ଆୟୋଜନ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିସିିସିଆଇ କର୍ତ୍ତୃପକ୍ଷ ଆଶା କରୁଛନ୍ତି। ଅପରପକ୍ଷରେ ଶେଷ ମୁହୂର୍ତ୍ତରେ ଏହି ମ୍ୟାଚ ଆୟୋଜନ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ବରୋଦା କ୍ରିକେଟ ଆସୋସିଏସନ କର୍ତ୍ତୃପକ୍ଷ ଜଣାଇଛନ୍ତି।
ବିସିସିଆଇ ନିୟମ ଅନୁଯାୟୀ ପ୍ରତ୍ୟେକ ଆନ୍ତର୍ଜାତିକ ମ୍ୟାଚରେ ସଂପୃକ୍ତ ଷ୍ଟାଡିୟମର ୯୦ ପ୍ରତିଶତ ଟିକଟ ଦର୍ଶକଙ୍କୁ ବିକ୍ରି ପାଇଁ ଧାର୍ଯ୍ୟ କରାଯାଉଥିବାବେଳେ ଅବଶିଷ୍ଟ ୧୦ ପ୍ରତିଶତ ଟିକଟକୁ ସଂପୃକ୍ତ ଆସୋସିଏନ କମ୍ପ୍ଲିମେଣ୍ଟାରି ଭାବେ ବଣ୍ଟନ କରିପାରିବେ। ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଦର୍ଶକଙ୍କ ମୋଟ ଆସନ ସଂଖ୍ୟା ହେଉଛି ୨୭୦୦୦। ଏଥିମଧ୍ୟରୁ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଟିକଟକୁ ବାଦଦେଲେ ଏମପିସିଏ ଆସୋସିଏସନ ନିକଟରେ କେବଳ ୨୭୦୦ ଟିକଟ ରହିବ। ତେବେ ବିସିସିଆଇ ତାହାର ପ୍ରସାରଣ କମ୍ପାନୀକୁ ଅନୁକମ୍ପା ଦେଖାଇବା ପାଇଁ କମ୍ପ୍ଲିମେଣ୍ଟାରି କୋଟାରୁ ଦଶ ପ୍ରତିଶତ ଟିକଟ ଦାବି କରୁଛି। ଯଦି ବିସିସିଆଇର ଦାବିକୁ ପୂରଣ କରାଯିବ, ତାହାହେଲେ ଏମପିସିଏ ପାଖରେ ଆଉ କେବଳ ୨୪୩୦ ଟିକଟ ରହିବ। ଏତିକି ସଂଖ୍ୟକ ଟିକଟରେ ଆସୋସିଏସନ ସଦସ୍ୟଙ୍କ ସମେତ ପୁଲିସ, ଜିଲା ପ୍ରଶାସନ ଓ ଅନ୍ୟ ଭିଆଇପିଙ୍କୁ ସନ୍ତୁଷ୍ଟ କରିହେବ ନାହିଁ ବୋଲି ଏମପିସିଏ କାରଣ ଦର୍ଶାଇଛି। ଏହି ମର୍ମରେ ଏମପିସିଏ ପକ୍ଷରୁ ବିସିସିଆଇକୁ ତିନିଟି ଇ-ମେଲ ଜରିଆରେ କମ୍ପ୍ଲିମେଣ୍ଟାରି କୋଟାରୁ ଦଶ ପ୍ରତିଶତ ଟିକଟ ଦାବି ନ କରିବାକୁ ଅନୁରୋଧ କରାଯାଇଥିଲା। ତେବେ ବିସିସିଆଇ ପକ୍ଷରୁ ଏହାର ଜବାବ ମିଳିନଥିବାବେଳେ ଇନ୍ଦୋରରେ ମ୍ୟାଚ ଆୟୋଜନ କରିହେବ ନାହିଁ ବୋଲି ଏମପିସିଏ ସ୍ପଷ୍ଟ କରିସାରିଛି। ଏହି ପରିପ୍ରେକ୍ଷୀରେ ମ୍ୟାଚକୁ ବର୍ତ୍ତମାନ ବରୋଦାକୁ ସ୍ଥାନାନ୍ତର କରିବାକୁ ବିସିସିଆଇ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories