ଚୌଦ୍ୱାର: ପୌର ନିର୍ବାଚନ ପାଇଁ ବିଜେଡି ଦଳ ତରଫରୁ ବିଭିନ୍ନ ୱାର୍ଡ଼ରେ ପ୍ରଚାର ଜୋରଦାର କରାଯାଇଛି । ଦଳର ଅଧ୍ୟକ୍ଷା ଓ କାଉନ୍ସିଲର ପ୍ରାର୍ଥୀ ମାନେ ବିଭିନ୍ନ ୱାର୍ଡ଼ରେ ଶୋଭାଯାତ୍ରା, ପଦଯାତ୍ରା ଆଦି ଆୟୋଜନ କରିବା ସହିତ ଘରକୁ ଘର ବୁଲି ଭୋଟର ମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,୧୯ ନମ୍ବର ୱାର୍ଡ଼ କାଉନ୍ସିଲର ପ୍ରାର୍ଥୀ ଶୁଭେନ୍ଦୁ ସମାଲ,୧୦ ନମ୍ବର ପ୍ରାର୍ଥୀ ବିଜୟ ମଲ୍ଲିକ୍, ୧୭ନମ୍ବର ପ୍ରାର୍ଥୀ ଆଶୁତୋଷ ଦାସ ,୧୮ନମ୍ବର ପ୍ରାର୍ଥୀ ବିଜୟ କୁମାର ସାହୁ ପ୍ରମୁଖ ୪ଟି ଯାକ ୱାର୍ଡ଼ରେ ଶୋଭାଯାତ୍ରା କରି ଲୋକ ମାନଙ୍କୁ ଭେଟିଥିଲେ । ଶୋଭାଯାତ୍ରାରେ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡ଼ା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।
ଏହି ଅବସରରେ ଚାରବାଟିଆ ବିରାଟ ବଜାର ଠାରେ ଦଳର ନୂତନ ନିର୍ବାଚନ ଅଫିସ୍ ଖୋଲା ଯାଇଥିଲା । ଅନୁରୂପ ଭାବେ ୮ନମ୍ବର ୱାର୍ଡ଼ରେ ଆୟୋଜିତ ଶୋଭାଯାତ୍ରାରେ ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ସାଙ୍ଗଠନିକ ସମ୍ପାଦିକା କଲ୍ୟାଣୀ ସାହାଣୀ, କାଉନସିଲର ପ୍ରାର୍ଥିନୀ ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେହିପରି କଂଗ୍ରେସ୍ ଦଳ ତରଫରୁ ଆୟୋଜିତ ବାଇକ୍ ଶୋଭାଯାତ୍ରାରେ ଅଧ୍ୟକ୍ଷା ପ୍ରାର୍ଥୀ ମୋନାଲିସା ଦାସଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ଅଂଶ ଗ୍ରହଣ କରି ନିଜ ନିଜ ସପକ୍ଷରେ ପ୍ରଚାର କରିଥିଲେ । ବିଜେପି ଦଳର ଅଧ୍ୟକ୍ଷ ପ୍ରାର୍ଥିନୀ ଦେବସ୍ମିତା ନାୟକ ବିଭିନ୍ନ ୱାର୍ଡ଼ରେ ପଦଯାତ୍ରା କରି ଲୋକ ମାନଙ୍କୁ ଭେଟିବା ସହିତ ଭୋଟ ଭିକ୍ଷା କରୁଛନ୍ତି । ବିଜେପି ନେତା ଜ୍ଞାନ ରଂଜନ ସ୍ୱାଇଁଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।



