ପାତ୍ରପୁର: ପାତ୍ରପୁର ବ୍ଳକ ଅଧ୍ୟକ୍ଷ ପଦବୀ ପ୍ରଥମ ଥର ପାଇଁ ବିଜେପି ହାତକୁ ଯାଇଛି। ଆଜି ଅନୁଷ୍ଠିତ ନିର୍ବାଚନରେ ଗୁଡିପଦର ସମିତି ସଭ୍ୟା ୱାଇ ସଂଯୁକ୍ତା ବିଜୟୀ ହୋଇଛନ୍ତି। ଫଳରେ ଦୀର୍ଘ କୋଡିଏ ବର୍ଷ ପରେ ଅଧ୍ୟକ୍ଷ ପଦବୀ ବିଜେଡି ହାତରୁ ବିଜେପି ହାତକୁ ପ୍ରଥମ ଥର ପାଇଁ ଯାଇଛି। ପାତ୍ରପୁର ବ୍ଳକରେ ଥିବା ତେଇସି ଗୋଟି ପଂଚାୟତ ମଧରୁ ଚଳିତ ନିର୍ବାଚନରେ ତେର ଗୋଟି ପଂଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ଆଜି ଅନୁଷ୍ଠିତ ଅଧ୍ୟକ୍ଷ ନିର୍ବାଚନରେ ୱାଇ ସଂଯୁକ୍ତା ଗୋଟିଏ ଅଧିକ ଭୋଟ ଅର୍ଥାତ ଚଉଦ ଗୋଟି ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ନଅ ଗୋଟି ଭୋଟ ପାଇ ପରାଜିତ ହୋଇଛନ୍ତି।
ବିଜୟୀ ପ୍ରାର୍ଥୀ ପୂର୍ବରୁ ଗୁଡିପଦର ପଂଚାୟତର ଦୁଇ ଥର ସରପଞ୍ଚ ରହିଥିଲେ। ତାଙ୍କ ସ୍ୱାମୀ ଗତ ନିର୍ବାଚନରେ ସରପଞ୍ଚ ଥିଲେ।ଆଜି ବିଜୟ ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା। ଏକ ଖୋଲା ଗାଡ଼ିରେ ବ୍ଳକ କାର୍ଯ୍ୟାଳୟ ଠାରୁ ବିରାଟ ପଟୁଆରରେ ପାତ୍ରପୁର ଗ୍ରାମ ପରିକ୍ରମା କରାଯାଇ ଥିଲା। ‘ସମାଜ’ ତରଫରୁ ପୂର୍ବରୁ ଦୁଇ ଥର ହୋଇଥିବା ଆକଳନ ସତରେ ପରିଣତ ହୋଇଛି। ପୂର୍ବରୁ ତେଲୁଗୁ ବହୁଳ ପଂଚାୟତ ଭୋଟ ନିର୍ଣ୍ଣାୟକ ହେବ ଏବଂ ଗୁଡିପଦର ସମିତି ସଭ୍ୟା ବ୍ଳକ ଅଧ୍ୟକ୍ଷ ହେବା ନେଇ କେବଳ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା।



