ମେଟାଭର୍ସ ହେଉଛି ପ୍ରଯୁକ୍ତି ଏବଂ ଭୌତିକ ଦୁନିଆର ମିଶ୍ରଣରେ ତିଆରି ଏକ କଳ୍ପ ଦୁନିଆ ବା ଭରଚୁଆଲ୍ ୱାର୍ଲଡ। ଇଣ୍ଟରନେଟ୍ ପ୍ଲାଟ୍ଫର୍ମ ବା ନଭମଞ୍ଚରେ ତ୍ରିମାତ୍ରିକ କଳ୍ପ-ପୃଥିବୀ। ବର୍ତ୍ତମାନ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ଯେଉଁ ପ୍ରକାର ଦ୍ରୁତ ଅଗ୍ରଗତି ହେଉଛି ତା’ର ତାତ୍କ୍ଷଣିକ ଭବିଷ୍ୟତ ହେଉଛି ମେଟାଭର୍ସ।
ଏହା ଆମର ଦୈନନ୍ଦିନ ଜୀବନକୁ କିଭଳି ଭାବରେ ପ୍ରଭାବିତ କରିବ ଏବଂ କେଉଁ ସ୍ତରରେ ପ୍ରଭାବିତ କରିବ ତା’ର ଗୋଟେ ବାସ୍ତବ ଉଦାହରଣ ଦିଏ। ତୁର୍କୀର କେନ୍ଦ୍ର ଆନାଟୋଲିଆ ଅଞ୍ଚଳର ଜଣେ ଚାଷୀ ଇଜେତ କୋକାକ ନିଜ ଗାଈମାନଙ୍କୁ ଭର୍ଚୁଆଲ ରିଆଲିଟି ଚଷମା ପିନ୍ଧାଇଛନ୍ତି। ଏ ଚଷମା ପିନ୍ଧିବା ପରେ ଗାଈମାନେ ତାଙ୍କ ଗୁହାଳରେ ଥାଇ ଚରାଭୂଇଁରେ ଅଛନ୍ତି ବୋଲି ଭାବୁଛନ୍ତି। କାରଣ ଏ ଚଷମା ଯୋଗୁଁ ତାଙ୍କ ଆଖିକୁ ସେଇ ଦୃଶ୍ୟ ହିଁ ଦିଶୁଛି। ଆଉ ଚାଷୀଜଣଙ୍କର ଧାରଣା ଯେ ଚଷମା ପିନ୍ଧିବା ପରେ ଗାଈମାନେ ବହୁତ ଖୁସି ଜଣାପଡୁଛନ୍ତି, ଆଉ ଅଧିକ କ୍ଷୀର ଦେଉଛନ୍ତି। ଅର୍ଥାତ୍ ଗାଈ ଗୁହାଳରେ ରହି ଭାବୁଛି ଯେ ସେ ପଡିଆରେ ଚରୁଛି ଏବଂ ସେଇ ଅନୁଭବରେ ଅଧିକ କ୍ଷୀର ଦେଉଛି।
ଏପରି ଯେ ହୋଇପାରିବ ତାହା ଅନେକ ଦେଶର ବୈଜ୍ଞାନିକମାନେ କହୁଛନ୍ତି। ମସ୍କୋର କୃଷି ମନ୍ତ୍ରଣାଳୟ ଏ କ୍ଷେତ୍ରରେ ବେଶ୍ କିଛି ଗବେଷଣା ସନ୍ଦର୍ଭ କଥା ଉଲ୍ଲେଖ କରନ୍ତି। ନେଦରଲ୍ୟାଣ୍ଡ ଏବଂ ସ୍କଟ୍ଲ୍ୟାଣ୍ଡର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏବଂ ବୈଜ୍ଞାନିକମାନେ ଏପରି ହୋଇପାରିବ ବୋଲି କହୁଛନ୍ତି।
ପାରମ୍ପରିକ ଭାବେ ଗାଈ କ୍ଷୀର ଦେବାପାଇଁ ବାଛୁରୀ ତା’ ପାଖରେ ରହିବା ଦରକାର ବୋଲି ସେଇ ଭାବରେ ହିଁ ଗାଈ ଦୁହାଁ ହୁଏ। ପରେ ଗାଈମାନଙ୍କୁ ଅଧିକ କ୍ଷୀର ଦେବାପାଇଁ ଅକ୍ସିଟୋସିନ୍ବୋଲି ଗୋଟେ ଇଞ୍ଜେକ୍ସନ ଦିଆଯାଉଥିଲା। ଏ ଇଞ୍ଜେକ୍ସନ ଦେବା ଫଳରେ ଗାଈ ଅଧିକ କ୍ଷୀର ଦେଉଥିଲା। ତେବେ ଏହା ଫଳରେ ତା’ ଦେହ ଉପରେ ମାରାତ୍ମକ ପାର୍ଶ୍ବ ପ୍ରତିକ୍ରିୟାମାନ ପଡେ ସେ କଥା ଭିନ୍ନ, କିନ୍ତୁ ଏହା ସମ୍ଭବ ଥିଲା ଏବଂ ଅନେକେ ଅର୍ଥ ଲୋଭରେ ଏହାର ବ୍ୟବହାର ଏ ପର୍ଯ୍ୟନ୍ତ କରୁଛନ୍ତି।
ଭର୍ଚୁଆଲ ରିଆଲିଟି କ୍ଷେତ୍ରରେ ସ୍ତରଟା ସଂପୂର୍ଣ୍ଣ ଭିନ୍ନ ହୋଇଯାଉଛି। ଏଠି ଦେହ ଉପରେ କିଛି ପ୍ରୟୋଗ କରାଯାଉନାହିଁ। ଏଠି ପ୍ରୟୋଗ କରାଯାଉଛି ମନ ଉପରେ। ତେଣୁ ଦେହରୁ ମନ ଉପରେ ପ୍ରୟୋଗ, ଏ ଉତ୍ତରଣ ହେଉଛି ଯୋଗାଯୋଗ ପ୍ରଯୁୁକ୍ତି ବିଦ୍ୟାର ଭବିଷ୍ୟତ।
ଏବେ ଦେଖାଯାଉ ଯେ ଏ ପ୍ରଯୁକ୍ତି ବିଦ୍ୟା ମଣିଷ ସମାଜ ଉପରେ କ’ଣ ପ୍ରଭାବ ପକାଇ ପାରିବ। ଆମର ଧାରଣା- ଗୁଡିକରୁ (ପରସେପସନସ୍) ଅଧିକାଂଶ ଆମ ଇନ୍ଦ୍ରିୟ ଯେଉଁ ସଙ୍କେତ ଦିଏ ତା’ରି ଭିତ୍ତିରେ ସୃଷ୍ଟି ହୁଏ। ଭର୍ଚୁଆଲ ରିଅାଲିଟି ଏଇ ସଙ୍କେତ (ସିଗନାଲ୍) ଦେବାର ପ୍ରକ୍ରିୟାକୁ ବାଧିତ (ଡିସରପ୍ଟ) କରିଦେଇପାରେ। ଗୋଟିଏ ସମ୍ପୂର୍ଣ୍ଣ ଭିନ୍ନ ସଙ୍କେତ ଦେଇପାରେ। ଯଦି ଦାନ ସଙ୍କେତ (ଇନ୍ପୁଟ ସିଗନାଲ୍) ଭୁଲ୍ ହେଲା ତେବେ ଗ୍ରହଣ (ଆଉଟପୁଟ୍) ମଧ୍ୟ ଭୁଲ ହେବାର ଆଶଙ୍କା ଅଧିକ; ଅର୍ଥାତ୍ କୌଣସି ବିଷୟରେ ଆମର ସମ୍ପୂର୍ଣ୍ଣ ଭୁଲ ଧାରଣା ସୃଷ୍ଟି ହୋଇଯାଇପାେର। ଆଉ ବିଡ଼ମ୍ବନା ହେଲା ଏ କ୍ଷେତ୍ରରେ ଭୁଲ ହେଉଛି ବୋଲି ଆମେ ଜାଣିବା କଷ୍ଟକର।
ଏ ଧାରଣା ଯେ କୌଣସି ବସ୍ତୁ, ବ୍ୟକ୍ତି, ବ୍ୟବସ୍ଥା ବା ଦର୍ଶନ ସମ୍ପର୍କିତ ହୋଇପାରେ। ଏ ପ୍ରଯୁକ୍ତି ବ୍ୟବହାରରେ ସମସ୍ତଙ୍କର ଧାରଣାରେ ଆମୂଳ ପରିବର୍ତ୍ତନ ହୋଇଯିବ ବା ପରିବର୍ତ୍ତନ କରିଦେଇହେବ- ଏପରି କହି ହେବ ନାହିଁ । ଜଣେ ଯଦି ଏ ସମ୍ପର୍କରେ ସଚେତନ ରହିବେ ତା’ହେଲେ ହୁଏତ ପରିବର୍ତ୍ତନ ହେବ ନାହିଁ ; କିନ୍ତୁ ସମସ୍ୟା ହେଲା ଆପଣ ସଚେତନ ରହି ପାରିଲେ ତ! ଇନପୁଟ୍ରେ ଖଇଚା ରହିଯାଉଛି- ଆପଣ ଜାଣିଲେ ତ! ଇଏ ମାନବ ସଭ୍ୟତା ଓ ସମାଜ ପାଇଁ ଏକ ବଡ ଆହ୍ୱାନ। ମେଟାଭର୍ସର ଅନେକ ଭଲ ଦିଗ ମଧ୍ୟ ଅଛି। ଯେଉଁ ଅଭିଜ୍ଞତା ଆମେ କେବେ କରିପାରିନଥିଲୁ ତାହା କରିପାରିବୁ। ଯୁଦ୍ଧକ୍ଷେତ୍ରରେ ଜଣେ ସୈନ୍ୟର ଅଭିଜ୍ଞତା, ବନ୍ୟା ବାତ୍ୟାରେ ମଣିଷ କି କଷ୍ଟ ଭୋଗୁଛି ତା’ର ଅଭିଜ୍ଞତା, ହିମାଳୟର ଗିରିଶୃଙ୍ଗରେ ପହଞ୍ଚିବାର ଅଭିଜ୍ଞତା- ଏସବୁ ସେଠିକି ନ ଯାଇ ଗଭୀର ଭାବେ ଅନୁଭବ କରିହେବ। ତେଣୁ ମଣିଷର ଆନନ୍ଦ ଅନୁଭବର ପ୍ରକାର ଏବଂ ସାନ୍ଦ୍ରତାରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ପ୍ରଯୁକ୍ତି ସହାୟତାରେ ସେ ଅଧିକ ଖୁସି ହୋଇପାରେ, ଅଧିକ ଆନନ୍ଦ ଅନୁଭବ କରିପାରେ; କିନ୍ତୁ ସମସ୍ୟା ହେଉଛି ଏ ପ୍ରଯୁକ୍ତି ଯେଉଁମାନଙ୍କ ହାତରେ ରହିବ ସେମାନେ ଆପଣଙ୍କୁ ପରିଚାଳିତ କରିପାରିବେ। ଆପଣଙ୍କୁ ଗୋଟେ ନିର୍ଦିଷ୍ଟ ଦିଗକୁ ଅଡେଇ ନେଇ ପାରିବେ। ଗୋଟେ ନିର୍ଦିଷ୍ଟ ଭାବନାର ଶଗଡ ଗୁଳାରେ ଚଳେଇ ପାରିବେ।
ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉନ୍ନତିରେ ଆଉ ଗୋଟେ ସମସ୍ୟା ହେଉଛି: ଆମର ମନୋଯୋଗ ଅବଧି ବା ଆଟେନସନ୍ ସ୍ପାନ୍ କମିଯାଉଛି। କୌଣସି ଗୋଟେ ବିଷୟରେ ଆମେ ଖୁବ୍ ବେଶୀ ସମୟ ମନଯୋଗ ଦେଇ ପାରୁନୁ। ଚିନ୍ତନ ଏବଂ ମନନ କରିପାରୁ ନାହୁଁ। କ୍ରମାଗତଭାବେ ଅମନଯୋଗୀ ହେଇଯାଉଛୁ। କ୍ରମାଗତଭାବେ ବିଭିନ୍ନ କଥା ଏକା ସାଙ୍ଗରେ କରିବାର ପ୍ରବୃତ୍ତି ଆମ ଭିତରେ ପଶିଯାଉଛି; ଯାହାଫଳରେ ଚିନ୍ତନ ଓ ମନନର ଗୁଣାତ୍ମକମାନ ହ୍ରାସ ପାଉଛି। ଏହା ସହିତ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳତା ଆମ ସ୍ମୃତି ଶକ୍ତିକୁ କ୍ରମଶଃ ହ୍ରାସ କରିଦେଉଛି ଆଉ ମନନ କରିବାର ସ୍ପୃହାକୁ ମଧ୍ୟ ନଷ୍ଟ କରିଦେଉଛି।
ସ୍ମୃତି ଆଉ ମନନ ଏକା ଜିନିଷ ନୁହଁ। ସ୍ମୃତି ଆଉ ମେଧା ବି ଏକା ଜିନିଷ ନୁହଁ; କିନ୍ତୁ ସ୍ମୃତି ମନନର, ମେଧାର ଭିତ୍ତି। କମ୍ପ୍ୟୁଟର ଭାଷାରେ ଯଦି କୁହାଯାଏ ଆପଣଙ୍କ କମ୍ପ୍ୟୁଟରରେ ପ୍ରୋସେସିଂର ଗୋଟେ କ୍ଷମତା ଥାଏ ଏବଂ ଷ୍ଟୋରେଜ୍ର ଗୋଟେ କ୍ଷମତା ଥାଏ। ପ୍ରୋସେସିଂ କରିବା ଏବଂ ଷ୍ଟୋର କରି ରଖିବା ଏ ଦୁଇଟା ଅଲଗା ଜିନିଷ। ହେଲେ ଏ ଦୁଇଟା ଭିତରେ ଗୋଟେ ସଂପର୍କ ରହିଛି। ଧରି ରଖିବାର କ୍ଷମତା ଯାହାର ଯେତେ ବେଶୀ ସେ ସେତେ ଦ୍ରୁତ ପ୍ରୋସେସ ବା ବିଶ୍ଳେଷଣ କରିପାରିବ। ମଣିଷ କ୍ଷେତ୍ରରେ ମଧ୍ୟ ଊଣା ଅଧିକେ ଅବସ୍ଥାଟା ସମାନ। ସେଥିପାଇଁ ସ୍ମୃତିର ଆବଶ୍ୟକତା ରହିଛି।
ବର୍ତ୍ତମାନ ସମୟରେ ମନେରଖିଲା ଭଳି ଯାହା ଜିନିଷ ଯେହେତୁ ତାହା ସବୁ ଯନ୍ତ୍ରରେ ରଖିଦେଇ ହେବ ଏବଂ ଦରକାର ପଡିଲେ ସେଠୁ ଆଣିହେବ, ତେଣୁ ମଣିଷ ଆଉ ସେ ଗୁଡ଼ିକୁ ନିଜ ସ୍ମୃତି ଭିତରେ ରଖୁନାହିଁ। ଯନ୍ତ୍ରରେ ଯାହା ଯାହା ରଖିହେବ ସେଥିରେ ଆହୁରି ୫୦ କଥା ରଖିହେବ। ଭୁଲ୍ କଥା ବି ରଖିହେବ। ଜାଣିଶୁଣି ଭୁଲ୍ କଥା ରଖିହେବ। ପରେ ଯେତେବେଳେ ସେ ତଥ୍ୟକୁ ଆପଣ ବ୍ୟବହାର କରିବେ ଭୁଲ ତଥ୍ୟ ଭୁଲ ଭାବରେ ଭୁଲ ପରିପ୍ରେକ୍ଷୀରେ ବ୍ୟବହୃତ ହେବାର ଆଶଙ୍କା ମଧ୍ୟ ଅନେକ। କହିବା କଥା ହେଉଛି ପ୍ରଯୁକ୍ତି ଭଲ। ପ୍ରଯୁକ୍ତି ଆମକୁ ବ୍ୟବହାରିକ ଉନ୍ନତି ଆଣିଦିଏ; କିନ୍ତୁ ପ୍ରଯୁକ୍ତି ବ୍ୟବହାର ଫଳରେ କ’ଣ ହେଉଛି, ସେ ସମ୍ପର୍କରେ ମନନର ମଧ୍ୟ ଆବଶ୍ୟକତା ରହିଛି।
ଆମର ଶିକ୍ଷା ବ୍ୟବସ୍ଥାରେ ବିଜ୍ଞାନ ନୁହେଁ, ପ୍ରଯୁକ୍ତି ଶିକ୍ଷା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ଲିବରାଲ ହ୍ୟୁମାନିଟିଜ ଯାହା ମନନ ଏବଂ ଚିନ୍ତନ କରିବାପାଇଁ ଛାତ୍ରମାନଙ୍କୁ ପ୍ରେରିତ କରେ, ତା’ ଉପରେ ଗୁରୁତ୍ୱ କ୍ରମଶଃ କମୁଛି। କାରଣ ତା’ର ବ୍ୟାବହାରିକ ଉପଯୋଗ କମ। ଆମେ କ୍ରମଶଃ ବ୍ୟାବହାରିକ ଉପଯୋଗ ଉପରେ ଏତେ ଜୋର ଦେବାରେ ଲାଗିଛୁ ଯେ ଚିନ୍ତନ ଓ ମନନକୁ ଅବହେଳା କରିବାରେ ଲାଗିଛୁ। ଏହା ମାନବ ସଭ୍ୟତା ପାଇଁ ଶୁଭ ନୁହେଁ। କୌଣସି ଦେଶପାଇଁ ଉଚିତ୍ ନୁହଁ।
ସୁଖର କଥା ଆମ ନୂତନ ଶିକ୍ଷା ନୀତିରେ ଏ ବିଷୟରେ କିଛି ଦିଶା ଦିଆଯାଇଛି। ନୂଆ ଶିକ୍ଷା ନୀତିରେ ଜଣେ ଛାତ୍ର ଗୋଟିଏ ବିଷୟ ପଢ଼ୁପଢ଼ୁ ଅନ୍ୟ ବିଷୟ ମଧ୍ୟ ପଢ଼ିବାର ସ୍ୱାଧୀନତା ଦିଆଯାଇଛି। ଶିକ୍ଷଣ କାର୍ଯ୍ୟସୂଚୀ ଭିତରେ ଏ ବିଷୟକୁ ଅଣାଯାଇଛି ଏହା ସୁଖ ଓ ସ୍ୱସ୍ତିର ବିଷୟ; କିନ୍ତୁ ଛାତ୍ରଛାତ୍ରୀମାନେ ଏହାକୁ କେତେଦୂର ଗ୍ରହଣ କରିବେ ତା’ ଉପରେ ସନ୍ଦେହ ରହିଯାଉଛି। କାରଣ ଛାତ୍ରଟିଏ କ’ଣ ପଢ଼ିବ- ତାହା ସବୁବେଳେ ସେ ନିଜେ ଠିକ୍ କରେ ନାହିଁ। ସମାଜର ଏବଂ ପ୍ରଚଳିତ ବ୍ୟବସ୍ଥାର ଗୋଟେ ଚାପ ଥାଏ। ସମାଜ ଚାହେଁ ଭୌତିକ ସାଫଲ୍ୟ। ତେଣୁ ସେଇ ଚାପରୁ ମୁକୁଳି ଛାତ୍ରଟିଏ ସମାଜ ସମ୍ପର୍କରେ, ମଣିଷର ଭବିଷ୍ୟତ ସମ୍ପର୍କରେ ଚିନ୍ତନ ଓ ମନନ କରିବାର ସୁଯୋଗ ପାଇବ କି ନାହିଁ, ତାହା ଏକ ବଡ଼ ଏବଂ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। କଳ୍ପ ଦୁନିଆର ମାୟାଜାଲରେ ଛନ୍ଦି ହୋଇ ମଣିଷ ତା’ ନିଜସ୍ୱ ମାନବିକ ସତ୍ତାକୁ ଭୁଲି ନ ଯାଉ- ଏହା ହିଁ ବର୍ତ୍ତମାନ ସମୟର ଆହ୍ୱାନ।


