କଲକାତା : ୧୬ରୁ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଘରୋଇ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୩ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଦିନିକିଆ ଶୃଙ୍ଖଳାରେ ଘରୋଇ ଭାରତ ଅତି ସହଜରେ ୱେଷ୍ଟଇଣ୍ଡିଜ୍କୁ ୩-୦ରେ ପରାସ୍ତ କରିଥିଲା। ତଥାପି େଟ୍ବଣ୍ଟି୨୦ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜ୍ ଏକ ଭଲ ଦଳ। ଭାରତ ଆସିବା ପୂର୍ବରୁ ଶକ୍ତିଶାଳୀ ଇଂଲଣ୍ଡକୁ ଏହା ୩-୨ରେ ଟି୨୦ ଶୃଙ୍ଖଳାରେ ପରାସ୍ତ କରିଥିଲା। ହେଉ ଉକ୍ତ ଶୃଙ୍ଖଳା ୱେଷ୍ଟଇଣ୍ଡିଜ୍ ଘରୋଇ ପଡ଼ିଆରେ ଜିତିଥିଲା। ଭାରତରେ ଆସି ଶୃଙ୍ଖଳା ଜିତିବା ଯେକୌଣସି ବିଦେଶୀ ଦଳଙ୍କ ପାଇଁ କଷ୍ଟକର ବ୍ୟାପାର। ଆସନ୍ତୁ ନଜର ପକାଇବା ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ଶୃଙ୍ଖଳା ଓ ମ୍ୟାଚ୍ର ପରିସଂଖ୍ୟାନ ଉପରେ।
ଅଦ୍ୟାବଧି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୋଟ ୬ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳାଯାଇଛି। ସେଥିରୁ ଭାରତ ୪ଟି ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨ଟି ଜିତିଛି। ୨୦୧୧ରେ ୱେଷ୍ଟଇଣ୍ଡିଜ୍ରେ ଭାରତ ବିଜୟୀ ହୋଇଥିବା ବେଳେ ୨୦୧୬ ଓ ୨୦୧୭ରେ କ୍ରମାଗତ ୨ଟି ଶୃଙ୍ଖଳା ୱେଷ୍ଟଇଣ୍ଡିଜ୍ ଜିତିଥିଲା। ପରେ ୨୦୧୮ରେ ଏବଂ ୨୦୧୯ରେ ୨ଟି; ଏହିପରି କ୍ରମାଗତ ୩ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଭାରତ ଜିତିବାରେ ସଫଳ ହୋଇଛି। ଭାରତମାଟିରେ ଉଭୟ ଟ୍ବେଣ୍ଟି୨୦ ଶୃଙ୍ଖଳା ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ମାଟିରେ ୪ଟି ଶୃଙ୍ଖଳା ମଧ୍ୟରୁ ଉଭୟ ଦଳ ୨ଟି ଲେଖାଏଁ ଜିତିଛନ୍ତି। ଅଦ୍ୟାବଧି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୋଟ ୧୭ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯାଇଛି। ଏଥିରେ ମଧ୍ୟ ଭାରତ ଆଗରେ ରହିଛି। ଭାରତ ୧୦ଟି ମ୍ୟାଚ୍ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୬ଟି ଜିତିଛି ଏବଂ ଗୋଟିଏ ମ୍ୟାଚ୍ ବିନା ହାରଜିତ ଫଇସଲାରେ ସମାପ୍ତ ହୋଇଛି। ୨୦୧୯ରେ ଶେଷଥର ପାଇଁ ମୁମ୍ବଇରେ ଉଭୟ ଦଳ ଟ୍ବେଣ୍ଟି୨୦ କ୍ରିକେଟ୍ରେ ମୁକାବିଲା କରିଥିବା ବେଳେ ଏହାକୁ ଭାରତ ଜିତିଥିଲା। ଭାରତ ମାଟିରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୭ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯାଇଛି। ସେଥିରୁ ଘରୋଇ ଭାରତ ୫ଟି ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨ଟି ଜିତିଛି। ଉଭୟ ଦଳ ୱେଷ୍ଟଇଣ୍ଡିଜ୍ ମାଟିରେ ୪ଟି ମ୍ୟାଚ୍ ଖେଳିଥିବା ବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ନିରପେକ୍ଷ ସ୍ଥାନରେ ଉଭୟ ଦଳ ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିବା ବେଳେ ଭାରତ ୩ଟି ଓ ୱେଷ୍ଟଇଣ୍ଡିଜ୍ ୨ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ବିନା ହାରଜିତ ଫଇସଲାରେ ସମାପ୍ତ ହୋଇଛି।
ପ୍ରଥମ ଟି୨୦ରେ ଦର୍ଶକଙ୍କୁ ଅନୁମତି ନାହିଁ
ବୁଧବାରଠାରୁ ସ୍ଥାନୀୟ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ମିଳିବ ନାହିଁ ବୋଲି ଜଣାପଡ଼ିଛି। କେବଳ ଭିଆଇପି ବକ୍ସ ଓ ଉପର ମହଲାରେ ବିସିସିଆଇ ଏବଂ ମ୍ୟାଚ୍ର ପ୍ରାୟୋଜକ ଓ ବିଭିନ୍ନ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ର ପ୍ରତିନିଧିମାନଙ୍କୁ ବସିବାର ଅନୁମତି ମିଳିବ। ତେବେ ଗ୍ୟାଲେରୀକୁ କୌଣସି ଦର୍ଶକଙ୍କୁ ଛଡ଼ାଯିବ ନାହିଁ। ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରି ବାକି ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ରେ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାର ଅନୁମତି ଦେବା ଲାଗି ବିସିସିଆଇକୁ ଅନୁରୋଧ କରିଛି ଆୟୋଜକ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)। ବିସିସିଆଇରୁ ଜବାବ ମିଳିଲେ ଏହା ଶୁକ୍ରବାର ଓ ରବିବାର ଖେଳାଯିବାକୁ ଥିବା ବାକି ୨ଟି ଟ୍ବେଣ୍ଟି୨୦ ମାଚ୍ରେ ଦର୍ଶକଙ୍କ ପାଇଁ ଟିକଟ ବିକ୍ରିକରିବ ବୋଲି ସିଏବି କହିଛନ୍ତି। ପୂର୍ବରୁ ଏହି ୩ଟିଯାକ ମ୍ୟାଚ୍ରେ ଷ୍ଟାଡିୟମ୍ରେ ଆସନ ସଂଖ୍ୟାର ୭୫ ପ୍ରତିଶତ ଦର୍ଶକଙ୍କ ପ୍ରବେଶ ପାଇଁ ସିଏବିକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଥିଲେ। ହେଲେ ବିସିସିଆଇ ଏହି ଅନୁମତି ଦେଇନଥିବାରୁ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଅହମ୍ମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ୍ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ବିନା ଦର୍ଶକରେ ଖେଳା ଯାଇଥିଲା।



