ନୂଆଦିଲ୍ଲୀ : ଗୋଆ ଓ ଉତ୍ତରାଖଣ୍ଡର ସମସ୍ତ ଆସନ ଓ ଉତ୍ତରପ୍ରଦେଶର ୫୫ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଏହି ତିନି ରାଜ୍ୟରେ ୧୬୫ଟି ବିଧାନସଭା ଆସନ ପାଇଁ ୩୬,୮୨୩ଟି ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଗୋଆରେ ରେକର୍ଡ ସଂଖ୍ୟକ ୮୧. ୨୧% ମତଦାନ ହୋଇଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତରାଖଣ୍ଡରେ ୫୯.୫୧% ଓ ଉତ୍ତରପ୍ରଦେଶରେ ୬୧.୩୩% ମତଦାନ ହୋଇଛି। ଗୋଆର ସମସ୍ତ ୪୦ଟି ବିଧାନସଭା ଆସନ ଓ ଉତ୍ତରାଖଣ୍ଡର ସମସ୍ତ ୭୦ଟି ଆସନ ପାଇଁ ଆଜି ମତଦାନ ହୋଇଥିଲା। ଆଜିର ମତଦାନ ସମୟରେ ଉତ୍ତରପ୍ରଦେଶରେ ୬ଜଣ ଜାଲ୍ ଭୋଟରଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୪ଜଣ ମହିଳା ଅଛନ୍ତି। ଉତ୍ତରାଖଣ୍ଡ କେଦାରନାଥ ବିଧାନସଭା କ୍ଷେତ୍ରର ଜାଗ୍ଗି ଭଗବାନ ଓ ଚୈଲାଉଣ୍ଡ ଗ୍ରାମର ଲୋକ ନିର୍ବାଚନକୁ ବର୍ଜନ କରିଥିଲେ। ଗାଁକୁ ରାସ୍ତା ନିର୍ମାଣ ହୋଇ ନଥିବା କାରଣରୁ ସେମାନେ ମତଦାନରୁ ଦୂରେଇ ରହିଥିଲେ। ଏହି ଦୁଇ ଗାଁରେ ୬୦୧ ଭୋଟର ଅଛନ୍ତି। ରୁଦ୍ରପ୍ରୟାଗ ଜିଲାର ଏଡିଏମ୍ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ସୋମବାର ଏହି ଦୁଇ ଗାଁରେ ପହଞ୍ଚି ଲୋକଙ୍କୁ ମତଦାନ ନିମନ୍ତେ ପ୍ରବର୍ତ୍ତାଇଥିଲେ ମାତ୍ର ଗାଁ ଲୋକେ ଏହାକୁ ଅଗ୍ରାହ୍ୟ କରିଥିଲେ।
Popular Categories



