www.samajalive.in
Monday, December 8, 2025
14.1 C
Bhubaneswar

୭ ବର୍ଷ ପରେ ଆଇପିଏଲ୍‌ ଖେଳିବେ ଆଉ ଜଣେ ଓଡ଼ିଆ

କଟକ: ଦୀର୍ଘ ୭ ବର୍ଷ ପରେ ଆଉ ଜଣେ ଓଡ଼ିଆ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଯାଉଛନ୍ତି। ଶନିବାର ଆଇପିଏଲ୍‌ ନିଲାମରେ ଓଡ଼ିଶା ରଣଜୀ ଦଳର ଅଧିନାୟକ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶୁଭ୍ରାଂଶୁ ସେନାପତି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳରେ ସାମିଲ ହୋଇଛନ୍ତି। ରବିବାର ଅନୁଷ୍ଠିତ ମେଗା ଖେଳାଳି ନିଲାମରେ ଚେନ୍ନଇ ସୁପର କିଙ୍ଗ୍‌ସ ତାଙ୍କର ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କୁ ଦଳରେ ସାମିଲ କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଶୁଭ୍ରାଂଶୁ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି।
ଘରୋଇ କ୍ରିକେଟରେ ନିୟମିତ ଭଲ ପ୍ରଦର୍ଶନ ଲାଗି ଆଇପିଏଲ ଟ୍ରାଏଲ୍‌ସ ପାଇଁ ଚେନ୍ନଇ ସୁପର କିଙ୍ଗ୍‌ସ ପକ୍ଷରୁ ଡାକରା ମିଳିଥିଲା। ସିଏସ୍‌କେର ଟ୍ରାଏଲ୍‌ସରେ ଶୁଭ୍ରାଂଶୁ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ନିଲାମରେ କିଣିବା ଲାଗି ଚେନ୍ନଇ ସୁପର କିଙ୍ଗ୍‌ସ ନିଷ୍ପତ୍ତି ନେଇଥିଲା। ଆଇପିଏଲ୍‌ ନିଲାମରେ ଶୁଭ୍ରାଂଶୁଙ୍କ ନାମ ଡକାଯିବା ମାତ୍ରେ ଚେନ୍ନଇ ସୁପର କିଙ୍ଗ୍‌ସ ତାଙ୍କୁ କିଣିଥିଲା। ୧୯୯୬ ଡିସେମ୍ବର ୩୦ରେ କେନ୍ଦୁଝରରେ ଜନ୍ମିତ ୨୫ ବର୍ଷ ବୟସ୍କ ଡାହାଣହାତି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶୁଭ୍ରାଂଶୁ ୨୦୧୬-୧୭ରେ ରଣଜୀ ପଦାର୍ପଣ କରିଥିଲେ। ଶୁଭ୍ରାଂଶୁ ୩୪ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୩୭.୮୩ ହାରରେ ୭ଟି ଅର୍ଦ୍ଧଶତକ ଓ ୫ଟି ଶତକ ସହ ୧୮୫୪ ରନ କରିଛନ୍ତି। ୧୭୩ ସର୍ବାଧିକ ସ୍କୋର ରହିଛି। ୨୦୧୭-୧୮ ରଣଜୀ ଋତୁରେ ସେ ୪୨୭ ଓ ୨୦୧୮-୧୯ ରଣଜୀ ଋତୁରେ ୬୧୭ ରନ କରିଥିଲେ। ଶୁଭ୍ରାଂଶୁ ୨୨ଟି ଲିଷ୍ଟ-ଏ ମ୍ୟାଚରୁ ୩୪.୩୧ ଆଭ୍‌ରେଜରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୫୪୯ ରନ କରିଛନ୍ତି। ୧୧୯ ସର୍ବାଧିକ ସ୍କୋର ରହିଛି। ୨୧ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୨୯.୩୫ ପ୍ରତିଶତ ହାରରେ ୨ଟି ଅର୍ଦ୍ଧଶତକ ସହ ୪୯୯ ରନ କରିଛନ୍ତି। ସେ ଚଳିତ ଋତୁରେ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟରେ ଓଡ଼ିଶା ଦଳର ନେତୃତ୍ବ ନେଇଥିଲେ। ଏଥିରେ ହିମାଚଳ ପ୍ରଦେଶ ବିପକ୍ଷରେ ୮୨, ଜମ୍ମୁକଶ୍ମୀର ବିପକ୍ଷରେ ୨, ବିଦର୍ଭ ବିପକ୍ଷରେ ଅପରାଜିତ ୭୧, ଗୁଜରାଟ ସହ ୧ ଓ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୧୧୬ ରନ କରିଥିଲେ। ସେ ମୋଟ ୫ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୨୭୫ ରନ କରିଥିଲେ। ସେହିପରି ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ବେଣ୍ଟି୨୦ରେ ପଞ୍ଜାବ ବିପକ୍ଷରେ ୨, ମହାରାଷ୍ଟ୍ର ୨୭, ତାମିଲନାଡୁ ୬୭, ଗୋଆ ୩ ଓ ପଣ୍ଡିଚେରୀ ବିପକ୍ଷରେ ୩୭ ରନ କରିଥିଲେ।
ପୂର୍ବରୁ ଓଡ଼ିଶା ପାଇଁ ଖେଳିଥିବା ପ୍ରଥମ ଓଡ଼ିଆ କ୍ରିକେଟର ଭାବେ ହଳଧର ଦାସ ଡେକାନ ଚାଜର୍ସ ଓ କଲକାତା ନାଇଟ୍‌ ରାଇଡର୍ସ ପାଇଁ, ନଟରାଜ ବେହେରା କଲକାତା ନାଇଟ୍‌ ରାଇଡର୍ସ ଓ ବିପ୍ଳବ ସାମନ୍ତରାୟ ସନରାଇଜର୍ସ ହାଇଦରାବାଦ୍‌ ପାଇଁ ଖେଳିଥିଲେ। ୨୦୧୫ ଆଇପିଏଲରେ ଶେଷ ଥର ପାଇଁ ସନରାଇଜର୍ସ ହାଇଦରାବାଦ୍‌ ପାଇଁ ବିପ୍ଳବ ସାମନ୍ତରାୟ ଖେଳିଥିଲେ। ସେହିପରିି ଆଉ ୨ ଓଡ଼ିଆ ପ୍ରଜ୍ଞାନ ଓଝା ଓ ଅଭିଷେକ ରାଉତ ମଧ୍ୟ ଆଇପିଏଲ୍‌ ଖେଳିବାରେ ସଫଳ ହୋଇଛନ୍ତି। ଆଇପିଏଲ ଦଳ ଚେନ୍ନଇ ସୁପର କିଙ୍ଗ୍‌ସରେ ସୁଯୋଗ ପାଇଥିବା ଶୁଭ୍ରାଂଶୁଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସଫଳତା କାମନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories