ରାମେଶ୍ୱରମ: ଶ୍ରୀଲଙ୍କା ନୌସେନା ଅଧିକାରୀମାନେ ତାମିଲନାଡୁ ରାମେଶ୍ୱରମର ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ଜଣାପଡିଛି। ସେହି ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ଜଳରାଶିରେ ପ୍ରବେଶ କରି ମାଛ ମାରୁଥିବା ଅଭିଯୋଗ ହୋଇଛି। ଶ୍ରୀଲଙ୍କା ନୌସେନା ମଧ୍ୟ ୨ଟି ମାଛଧରା ଟ୍ରଲର ଜବତ କରିଛି। ଆନ୍ତର୍ଜାତିକ ସାମୁଦ୍ରିକ ଜଳରେଖା ଧାନୁଶକୋଡ଼ି ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରାୟ ୨ ହଜାରରୁ ଅଧିକ ମତ୍ସ୍ୟଜୀବୀ ଗତ ଶନିବାର ସକାଳ ସମୟରେ ମାଛ ମାରିବା ପାଇଁ ରାମେଶ୍ୱରମ ଠାରୁ ବାହାରିଥିଲେ।
ଇତିମଧ୍ୟରେ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବା ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଶ୍ରୀଲଙ୍କା ନୌସେନା ପକ୍ଷରୁ ୩ ଥର ଏଭଳି ଗିରଫଦାରୀ କରାଯାଇଛି। ଜାନୁଆରୀ ୩୧ରେ ୨୧ ଜଣ ଓ ଫେବୃଆରୀ ୭ରେ ୩ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଗିରଫଦାରୀ ବିରୋଧରେ ଗତ ୯ତାରିଖ ଠାରୁ ରାମେଶ୍ୱରମ ଠାରେ ମତ୍ସ୍ୟଜୀବୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଓ ଗିରଫ ହୋଇଥିବା ମତ୍ସ୍ୟଜୀବୀ ଓ ମାଛଧରା ଡଙ୍ଗା ମୁକ୍ତ କରିବାକୁ ଦାବି କରିଛନ୍ତି।



