୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶଙ୍କ କାର୍ଯ୍ୟକାଳ

ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଛ’ ମାସ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର୍। ଏଥିପାଇଁ ରାଜ୍ୟ ସରକାର ଗତ ଡିସେମ୍ବର ୩୧ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଆଗାମୀ ଫେବୃଆରୀ ୨୮ରେ ଶେଷ ହେବାକୁ ଥିଲା। ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଆଉ ଛ’ ମାସ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସାଧାରଣ, ଅଭିଯୋଗ, ତାଲିମ ଓ ପେନସନ ବିଭାଗ ଉପ ସଚିବ ଦେବେନ୍ଦ୍ର କୁମାର ଗୁରୁବାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏଭଳି ଅନୁମୋଦନ ସଂପର୍କରେ ସୂଚନା ଦେଇଛନ୍ତି। ଏଥିଯୋଗୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଛି। ୨୦୨୦ ମସିହାରେ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

୧୯୬୨ ମସିହାରେ ଦେଓଗଡ଼ ଜିଲ୍ଲାର କାନସର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାପାତ୍ର ମୂଳତଃ କେନ୍ଦୁଝର ଜିଲ୍ଲାର ଅଟନ୍ତି। ସେ ଡିଏନ୍ ହାଇସ୍କୁଲ୍ କେନ୍ଦୁଝରରୁ ମାଟ୍ରିକ ଓ ୧୯୮୨ରେ ରେଭେନ୍ସା କଲେଜରୁ ବିଏସସି ଏବଂ ୧୯୮୫ରେ ଆଇଏସଏମ ଧାନବାଦରୁ ଆପ୍ଲାଏଡ୍ ଜିଓଲୋଜିରେ ଏମଏସସି ଡିଗ୍ରୀ ହାସଲ କରିଥିଲେ। ୧୯୮୬ରେ ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ଯୋଗ ଦେବା ପରେ ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାର ସବ୍ କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରୁ ୧୯୯୩ ଯାଏଁ ଶ୍ରୀ ମହାପାତ୍ର ପୁରୀ ଏଡିଏମ୍ ଏବଂ ପିଡି ଡ଼ିଆରଡ଼ିଏ ଭାବେ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରିଥିଲେ।

୧୯୯୩ରେ ଶ୍ରୀ ମହାପାତ୍ର ନୂତନ ଭାବରେ ଗଠିତ ଭଦ୍ରକ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିଲେ। କନ୍ଧମାଳ ଦଙ୍ଗା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ଦଙ୍ଗା ପରିଚାଳନା ପାଇଁ କନ୍ଧମାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ। ୧୯୯୬ ନବକଳେବର ସମୟରେ ସେ ପୁରୀ ଜିଲ୍ଲାପାଳ ଥିବା ସମୟରେ ଭାବରେ ମେଘନାଦ ପାଚେରୀ ଚାରିପାଖରୁ ଅବରୋଧ ହଟାଇ ସୁରୁଖୁରୁରେ ନବକଳେବର ପରିଚାଳନା କରିଥିଲେ। ଶ୍ରୀ ମହାପାତ୍ର ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ପ୍ରାୟ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ ଏବଂ ସେହି ସମୟରେ ଓମଫେଡ ଅନେକ ନୂତନ ଉତ୍ପାଦ ବଜାରକୁ ଆଣିଥିଲା। ପରେ ସେସୁ ଓ ଗ୍ରୀଡ଼କୋର ପ୍ରଶାସକ ଭାବେ ସଫଳତାର ସହ କାର୍ଯ୍ୟ କରିବା ପରେ ଶ୍ରୀ ମହାପାତ୍ର ୨ ବର୍ଷ ପାଇଁ କଟକ ଆରଡ଼ିସି ଦାୟିତ୍ୱ ସମ୍ଭାଳି ଥିଲେ। ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ୩ ବର୍ଷ, ୨ ଥର ଶକ୍ତି ବିଭାଗର ମୁଖ୍ୟ ଶାସନ ସଚିବ, ୮ ବର୍ଷ ଧରି ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଥିଲେ। ଏହି ସମୟ ମଧ୍ୟରେ ଶ୍ରୀ ମହାପାତ୍ର ମେଗା ଲିଫ୍ଟ, ଗଭୀର ବୋର ୱେଲ, ଚେକ୍ ଡ୍ୟାମ୍ ଏବଂ ଇକୋ ଟୁରିଜିମ୍ ଭଳି ଅଭିନବ ଯୋଜନା କାର୍ଯ୍ୟକାରୀ କରାଇଥିଲେ। ଶ୍ରୀ ମହାପାତ୍ରଙ୍କୁ ଦ୍ୱିତୀୟ ଥର ପାଇଁ ୨୦୧୫ରେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ କରାଯାଇଥିଲା ଯେଉଁଥିରେ ସେ ଦ୍ଵିତୀୟ ଥର ନବକଳେବର ପରିଚାଳନା କରିଥିଲେ।

Comments are closed.