ଭୁବନେଶ୍ୱର: ଦାମ ଓ ବିଷ୍ଣୁଙ୍କ କଳିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । କେବେ ଦାମ ବିଷ୍ଣୁ ଟାର୍ଗେଟ୍ କରି ବୟାନ ଦେଉଛନ୍ତି ତ ଆଉ କେବେ ବିଷ୍ଣୁ ଦମଙ୍କୁ ତାଚ୍ଛଲ୍ୟ କରିବାରେ ହେଳା କରୁ ନାହାନ୍ତି । ଏହି ସବୁ ମଧ୍ୟରେ ଦାମଙ୍କ ନୂଆ ଦଳ ଗଠିବା ନେଇ ଚର୍ଚ୍ଚା ଜୋର ଧରିଛି ।
ବିଜେଡିରୁ ବହିଷ୍କୃତ ହେବା ପରେ ମଧ୍ୟ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ତୁଣ୍ଡ ବନ୍ଦ ହୋଇନାହିଁ । ଶନିବାର ପୁଣି ବିଷ୍ଣୁ ଦାସଙ୍କୁ ଟାର୍ଗେଟ୍ କହିଛନ୍ତି, ବିଷ୍ଣୁ ବାର୍ଦ୍ଧକ୍ୟଭତ୍ତା କରାଇ ଦେବା ପାଇଁ ଲୋକଙ୍କ ଠାରୁ ଟଙ୍କା ନିଅନ୍ତି । ସେ ଜଣେ ଘୃଣିତ, ଦୁର୍ନୀତିଗ୍ରସ୍ତ, ନଷ୍ଟ ଚରିତ୍ରର ଲୋକ । ବିଷ୍ଣୁଙ୍କ ରାଜନୀତି କ୍ୟାରିୟର ଶେଷ ହୋଇଗଲା। ସେ ଆଉ ଜୀବନରେ ବିଧାନସଭାକୁ ଜିତି ପାରିବେ ନାହିଁ । ମୋ ନାଁରେ ଯଦି ଦୁର୍ନୀତି ଅଭିଯୋଗ ପ୍ରମାଣ ଅଛି, ତବେ ମୋର ସଭ୍ୟ ପଦ ରଦ୍ଦ କରି ଦେଉ ନାହାନ୍ତି ? ମୁଁ କ’ଣ ବିଷ୍ଣୁ ଦାସଙ୍କ କଥାରେ ଇସ୍ତଫା ଦେବି?”
ଡାକ୍ତର ଦାମୋଦର ରାଉତ ଆହୁରି ମଧ୍ୟ ଗଣମାଧ୍ୟମରେ କହିଛନ୍ତି, ଗତକାଲି ମୁଁ ମୋ ନିର୍ବାଚନମଣ୍ଡଳୀକୁ ଯାଇଥିଲି। ମୁଁ କ’ଣ କରିବି ବୋଲି ମୋ କର୍ମୀମାନଙ୍କୁ ପଚାରିଥିଲି। ମୋ କର୍ମୀମାନେ ୨-୪ ଦିନ ସମୟ ମାଗିଛନ୍ତି। ମୋ ଲୋକ ଯାହା କହିବେ ମୁଁ ସେଇଆ କରିବି। ପରବର୍ତ୍ତୀ କାର୍ୟ୍ୟପନ୍ଥା ପାଇଁ ସେମାନଙ୍କ ମତାମତ ନେବି । ମୋ ଲୋକ ଯଦି କହିବେ, ମୁଁ ନିର୍ବାଚନରେ ଛିଡ଼ାହେବି ।
ଦାମ ନିଜ ପୁଅଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଯଦି ଦଳ ପୁଅକୁ ଟିକେଟ ଦିଏ, ତେବେ ପୁଅ ନିଷ୍ପତ୍ତି ନେବ । ସେ ମୋ ପୁଅ ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ । ସେ କ’ଣ କରିବ, ମୁଁ କାହିଁକି ଚିନ୍ତା କରିବି?”
ତେବେ ଦାମଙ୍କ ଏହି ବୟାନର ପ୍ରତିକ୍ରିୟା ରଖି ଜଗତସିଂହପୁର ଜିଲା ସଭାପତି ବିଷ୍ଣୁ ଚରଣ ଦାସ କହିଛନ୍ତି ଯେ, ଦାମ ଏବେ ମଲା କଙ୍କଡା । ଫେରିବାର ଶକ୍ତି ନାହିଁ ବୋଲି ବିଷ୍ଣୁ କହିଛନ୍ତି ।



