www.samajalive.in
Sunday, December 7, 2025
23.1 C
Bhubaneswar

ସଙ୍କଟରେ କଂଗ୍ରେସ, ଅସନ୍ତୁଷ୍ଟ ନେତା ବିଜେଡି ମୁହାଁ

ଭୁବନେଶ୍ୱର : କଂଗ୍ରେସର ଦୁର୍ବଳ ନେତୃତ୍ୱ ଏବେ ଦଳ ପାଇଁ ସଙ୍କଟ ହେଲାଣି । ମମିତା ମେହେର ପ୍ରସଙ୍ଗରେ ଦଳ ପକ୍ଷରୁ ଆ‌େ‌ନ୍ଦାଳନ ଚାଲିଛି, ମାତ୍ର ସଙ୍କଟ ସମୟରେ ବି ଦଳର କିଛି ନେତା ହାତ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳୁଛି। ଦଳର ଦୁର୍ଦିନରେ ବହୁ ବରିଷ୍ଠ ନେତା ନିରବ ରହିଛନ୍ତି। କିଛି ନେତା ନିରାପଦ ଦୂରତାରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିଧାନସଭାରେ ସଂଖ୍ୟା କମ୍‌ ଥିଲେ ବି ଗତ ଅଧିବେଶନ କାଳରେ ଦଳ ପକ୍ଷରୁ ମମିତା ପ୍ରସଙ୍ଗରେ ବିରୋଧାଭାସ ଦେଖାଇବା ଓ ସରକାରଙ୍କୁ ଘେରିବା ଦିଗରେ ଦଳୀୟ ସଭ୍ୟମାନେ ଯତ୍‌ପରୋନାସ୍ତି ଉଦ୍ୟମ କରିଥିଲେ। ଏପରିକି ବିଧାନସଭା ବାହାରେ ମଧ୍ୟ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ ଡକରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି କାରଣରୁ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ସହିତ ପ୍ରଦେଶ କଂଗ୍ରେସ ଭବନରେ ପୁଲିସ ପ୍ରବେଶ କରି ଦଳୀୟ କର୍ମୀଙ୍କୁ ଲାଠି ମାଡ଼ ଘଟଣା ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏସବୁ ସତ୍ତ୍ୱେ ଦଳର ଛାମୁଆ ସଙ୍ଗଠନ ଭିତରେ ଯେଭଳି ଏକତା ରହିବା କଥା ଏବଂ ଦଳର ବରିଷ୍ଠ ନେତାମାନେ ଯେଭଳି ଭୂମିକା ଗ୍ରହଣ କରିବା ଆବଶ୍ୟକ, ଅଳ୍ପ କିଛି ନେତାଙ୍କୁ ବାଦ୍‌ ଦେଲେ ସେ ପ୍ରକାର ତତ୍ପରତା ଲକ୍ଷ୍ୟ କରାଯାଉ ନାହିଁ। ବିଶେଷକରି ଦଳର ଅସମୟରେ ଏକଜୁଟ ହୋଇ ସଙ୍ଗଠନକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳ ଭିତରେ ଗୋଡ଼ ଟଣା ନୀତି ବି ଚାଲିଛି। ଦଳର ପୁରୁଣା ରୋଗ ପଦାକୁ ଆସିବା ସହିତ କିଛି ବରିଷ୍ଠ ସଭ୍ୟ ଏଆଇସିସିକୁ ଚିଠି ଲେଖି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଦଳ ଭିତରେ ଏପ୍ରକାର ଅସନ୍ତୋଷ କିଛି ନୂଆ କଥା ନୁହେଁ, ମାତ୍ର କୌଣସି ପ୍ରସଙ୍ଗ ନେଇ ସରକାରୀ ଦଳ ବିରୋଧରେ ପ୍ରତିବାଦ କରିବା କାଳରେ ଏପ୍ରକାର ଭିନ୍ନ ମତ ଦଳକୁ କୋଣଠେସା କରିଦେଉଛି। ଦଳରେ ବହୁ ଅଭିଜ୍ଞ, ଅନୁଭବୀ ବରିଷ୍ଠ ନେତା ଥିଲେ ବି ସେମାନେ ପଦାକୁ ନବାହାରିବା କାରଣରୁ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ କମୁଥିବା ଲକ୍ଷ୍ୟ କରାଯାଉଛି। ବରଂ ଦଳୀୟ ଦୁର୍ବଳତାର ସୁଯୋଗ ନେଇ କିଛି ବରିଷ୍ଠ ନେତା ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ିବାରେ ଲାଗିଛନ୍ତି। ଆଉ ଏ ସୁଯୋଗକୁ ବିଜେଡି ହାତଛଡ଼ା କରୁନାହିଁ। ବିଶେଷ କରି ବିଜେଡି ଏବେ ପ୍ରମୁଖ ବି‌େ‌ରାଧୀ ବିଜେପିଠାରୁ ଶକ୍ତ ମୁକାବିଲାର ସାମ୍ନା କରୁଥିବାରୁ ଅନ୍ୟତମ ବିରୋଧୀ ଶିବିରରୁ ଟାଣୁଆ ନେତାଙ୍କୁ ନିଜ ଦଳରେ ମିଶାଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନିଜ ସଙ୍ଗଠନକୁ ମଜଭୁତ କରୁଛି।
ସେପଟେ ବିଜେଡି କାର୍ଯ୍ୟଶୈଳୀରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଏ ପରିବର୍ତ୍ତନରେ ଅନେକ ପୁରୁଖା ତଥା ଟାଣୁଆ ବାଦ୍‌ ପଡ଼ିବା ସମ୍ଭାବନା ରହିଛି। ବୟସାଧିକ୍ୟ କାରଣ ଅପେକ୍ଷା ଆନୁଗତ୍ୟ ଏବଂ ବିଶ୍ୱସନୀୟତା କ୍ଷେତ୍ରରେ ବିଶେଷ ପାରଦର୍ଶିତା ଦେଖାଇ ପାରୁ ନଥିବା ନେତାଙ୍କୁ ଦଳ ବସାଇ ଦେଇ ଯୁବ ବର୍ଗର ଦକ୍ଷ ସଙ୍ଗଠକଙ୍କୁ ଆଗକୁ ଆଣିବାର ଯୋଜନା ରଖିଛି।
ପଞ୍ଚାୟତ ନିବାଚନ ପୂର୍ବରୁ ଏଥିନେଇ ଆରମ୍ଭ ହୋଇଛି ପରୀକ୍ଷାନିରୀକ୍ଷା। ଦଳକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏବେ ବିଭିନ୍ନ ଜିଲା ଓ ବ୍ଲକସ୍ତରରେ ଥିବା ବିରୋଧୀ ଦଳର ଟାଣୁଆ ନେତାଙ୍କୁ କବ୍‌ଜା କରିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ତଦନୁସାରେ ମିଶ୍ରଣ ପ୍ରକ୍ରିୟା ଆଗେଇଚାଲିଛି। ଏହି କ୍ରମରେ ଦକ୍ଷିଣରେ ଅବିଭକ୍ତ କୋରାପୁଟ ଜିଲାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନେତାଙ୍କୁ ସେମାନଙ୍କ ଅଞ୍ଚଳରେ ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରଭାବଶାଳୀ ଏବଂ ଭୋଟ ଟାଣିବାର ସାମର୍ଥ୍ୟ ଥିବା ଦକ୍ଷ, ଅଭିଜ୍ଞ ନେତାଙ୍କୁ ବିଜେଡିରେ ମିଶାଇବାକୁ ଦାୟିତ୍ୱ ଦିଆଯାଇଛି।
ଗତ ମାସରେ ବିଜେଡିକୁ କଂଗ୍ରେସର ପ୍ରଭାବଶାଳୀ ନେତା ପ୍ରଦୀପ ମାଝିଙ୍କଠାରୁ ଆରମ୍ଭ କରି କୈଳାସ କୁଳେସିକା, ଚନ୍ଦ୍ରଶେଖର ମାଝି, ଲାଞ୍ଜିଗଡ଼ର ଶିବାଜୀ ମାଝି ବିଜେଡିରେ ମିଶି ସାରିଥିବାବେଳେ ଯାଜପୁରରେ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକ ଓ ତାଙ୍କର କିଛି ସହଯୋଗୀ ମିଶିଥିଲେ। ଏବେ ସୁନ୍ଦରଗଡ଼ରୁ ଟାଣୁଆ କଂଗ୍ରେସ ନେତାଙ୍କୁ ବିଜେଡିରେ ସାମିଲ କରାଯିବା ପ୍ରକ୍ରିୟା ଜାରି ରହିଛି। ତଳସରାରୁ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି ବିଜେଡିରେ ସାମିଲ ହେବା ପରେ କେନ୍ଦୁଝର ଜିଲାର ଜଣେ କଂଗ୍ରେସ ନେତା ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଦୁଙ୍କୁ ବି ବିଜେଡିରେ ସାମିଲ କରାଯାଇଛି।
ନିର୍ବାଚନ ପୂର୍ବରୁ ଅନ୍ୟ ଦଳର ଟାଣୁଆ ନେତାଙ୍କ ଉପରେ ନଜର ରଖିଥିବା ବିଜେଡି ଏ ପର୍ଯ୍ୟନ୍ତ ଏହାର ଗୋଟିଚାଳନାରେ ସଫଳ ହୋଇଥିଲେ ହେଁ ଜିଲା ଓ ବ୍ଲକସ୍ତରରେ ଆମଦାନୀ ନେତାଙ୍କ ପାଇଁ ଦଳ ଭିତରେ ଅସନ୍ତୋଷ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। ପୂର୍ବରୁ ଦଳକୁ ସଙ୍ଗଠିତ କରି ରଖିଥିବା ନେତା ଆଗକୁ ଟିକଟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଆଖି ରଖିଥିବାବେଳେ ଏବେ ଅନ୍ୟ ଦଳରୁ ଆସୁଥିବା ନେତା ସେମାନଙ୍କ ବାଟରେ କଣ୍ଟା ହେଲେଣି। ତେଣୁ ବାହାରକୁ ଖୁସି ଦିଶୁଥିଲେ ହେଁ ଭିତରେ ଅଶାନ୍ତି ରହିଛି।
ଆଗାମୀ ଦିନରେ ବିଜେଡି ଦକ୍ଷିଣ ଓଡ଼ିଶାରେ ଲାଭବାନ ହେବା ଆଶା ରଖିଥିବାବେଳେ ଏବେ ବିଭିନ୍ନ କାରଣରୁ ପଶ୍ଚିମରେ ସଙ୍କଟ ଦେଖାଦେଲାଣି। କାରଣ ନିକଟରେ ବିଜେଡିରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଓ ସଞ୍ଜୀବ ସାହୁ ବିଜେଡି ଛାଡ଼ି ବିଜେପିରେ ମିଶିସାରିଛନ୍ତି।
ଏବେ ପଶ୍ଚିମଗଡ଼ ସୁଧାରିବାକୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ସେପଟେ ବିଜେପି ପଶ୍ଚିମ ଗଡ଼ ଯେପରି ହାତଛଡ଼ା ନହେବ ସେଥିପାଇଁ ଜୋରସୋର ପ୍ରୟାସ ଚଳାଇଛି। ପଶ୍ଚିମାଞ୍ଚଳରେ ଦଳର ୫ ସାଂସଦ ଥିବାବେଳେ ଅନେକ ବିଧାୟକ ଅଛନ୍ତି। ମମିତା ପ୍ରସଙ୍ଗରେ ଶାସକ ବିଜେଡି ଯେତେ ଝାଡ଼ିଝୁଡ଼ି ହେବାକୁ ଚେଷ୍ଟା କରୁଛି ଏବଂ ଦିବ୍ୟଶଙ୍କର ନିଜ ଆଡୁ ଯେତେ ସଫେଇ ଦେଉଛନ୍ତି ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ପ୍ରମୁଖ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବା ପାଇଁ ଯତପରୋନାସ୍ତି ଉଦ୍ୟମ ଚଳାଇଛନ୍ତି। ବିଧାନସଭା ଅଚଳାବସ୍ଥାରୁ ଆରମ୍ଭ କରି ଏଯାବତ ବିକ୍ଷୋଭ, ଘେରାଉ କାର୍ଯ୍ୟକ୍ରମ ଜରିଆରେ ଏ ତାତିକୁ ତେଜାଇ ରଖାଯାଇଛି। ବର୍ତ୍ତମାନର ତାତି ନିର୍ବାଚନ ପର୍ଯ୍ୟନ୍ତ ଲାଗିରହିଲେ ଶାସକ ଦଳକୁ ଅଡ଼ୁଆ ପରସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।
ଏହାଛଡ଼ା କଳାହାଣ୍ଡି ପ୍ରସଙ୍ଗ ପ୍ରଶମିତ କରିବାକୁ ବିଜେଡି ଉପର ମହଲରୁ ଯଥାସାଧ୍ୟ ଉଦ୍ୟମ ଚାଲିଥିଲେ ବି ସେଠିକାର ସ୍ଥାନୀୟ ନେତା ଦିବ୍ୟଙ୍କୁ ସେଇ ମାତ୍ରାରେ ସୁରକ୍ଷା ଦେଇପାରୁ ନାହାନ୍ତି। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ, ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବିଜେପିର ଅନ୍ୟାନ୍ୟ ନେତା ଯେଉଁମାତ୍ରାରେ ସକ୍ରିୟ ଅଛନ୍ତି ସେଇ ତୁଳନାରେ ବିଜେଡିର ତତ୍ପରତା ଦେଖିବାକୁ ମିଳୁନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories