ସନ୍ଦେହଜନକ ଅବସ୍ଥାରେ ଏଚ୍‍ଡିଏଫ୍‍ସି ବ୍ୟାଙ୍କ ଉପସଭାପତି ନିଖୋଜ

0

ମୁମ୍ବଇ : ଏଚ୍‍ଡିଏଫ୍‍ସି ବ୍ୟାଙ୍କର ଜଣେ ଉପସଭାପତି ସନ୍ଦେହ ଜନକ ପରିସ୍ଥିତିରେ ନିଖୋଜ ହୋଇଯାଇଛନ୍ତି। ପୁଲିସ୍‍ ଏନେଇ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‍ ସୂଚନା ଅନୁସାରେ ମାଲାବାର ହିଲ୍ସରେ  ନିଜ ପତ୍ନୀ ଏବଂ ୪ ବର୍ଷର ପୁଅ ସହ ରହୁଥିବା ଏଚ୍‍ଡିଏଫସି ବ୍ୟାଙ୍କର ଉପସଭାପତି ସିଦ୍ଧାର୍ଥ କିରଣ ସାଂଘଭୀ ବୁଧବାର ସନ୍ଧ୍ୟା ସାଢେ ୮ଟା ବେଳେ ଅଫିସ୍‍ କାର୍ଯ୍ୟ ସାରି ଘର ଅଭିମୁଖେ ବହାରିଥିଲେ। ମାତ୍ର ରାତିରେ ଆଉ ଘରେ ପହଞ୍ଚିନଥିଲେ। ପର ଦିନ ରକ୍ତ ଛିଟା ଲାଗିଥିବା ତାଙ୍କ କାର ନଭି ମୁମ୍ବଇରୁ ମିଳିଥିଲା । ମୁମ୍ବଇର ଏନ୍‍ଏମ୍‍ଯୋଶୀ ମାର୍ଗ ପୁଲିସ୍‍ ଥାନାରେ ଏନେଇ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ପୁଲିସ୍‍ ଏହା ଏକ ଅପହରଣ ମାମଲା ବୋଲି ସନ୍ଦେହ କରୁଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। କାରକୁ ଜବତ କରି ଫୋରେନ୍‍ସିକ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି। ପୁଲିସ୍‍ ସିଦ୍ଧାର୍ଥଙ୍କ କଲ ବିବରଣୀ ଯାଞ୍ଚ କରୁଛି। ଅଫିସ୍‍ରୁ ବାହାରିବାର କିଛି ସମୟ ପରେ ସିଦ୍ଧାର୍ଥଙ୍କ ମୋବାଇଲ ଫୋନ୍‍ ସୁଇଚ୍‍ଅଫ ହୋଇଯାଇଥିଲା। ତାଙ୍କ ଶେଷ ଲୋକେସନ୍‍ କାମଲାମିଲ କମ୍ପାଉଣ୍ଡ ଦେଖାଉଛି। ପୁଲିସ୍‍ ଅଫିସ୍‍ କର୍ମଚାରୀ ଓ ଅଫିସ୍‍ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

Leave A Reply