ଗୁରୁଦିବସର ଦକ୍ଷିଣା ରେଡ଼କ୍ରସ ପାଣ୍ଠିକୁ ଦାନ
ବଡ଼ସାହି : ପୂର୍ବ ବର୍ଷ ଭଳି ଚଳିତ ଥର ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ର(ଆବାସିକ)ରେ ଗୁରୁଦିବସ ପାଳିତ ହୋଇଯାଇଛି। ଚଳିତବର୍ଷ ଗୁରୁଦିବସର ଦକ୍ଷିଣା ରେଡ଼କ୍ରସ ପାଣ୍ଠିକୁ ଦାନ କରାଯାଇଛି। ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭରେ ବାଣୀମନ୍ଦିରରେ ଥିବା ଜଗତଗୁରୁ ସ୍ୱାମୀ ବିବେକାନନ୍ଦ ଓ ପରମପୂଜନୀୟା ଭାରତମାତାଙ୍କ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସଭାସ୍ଥଳରେ ଥିବା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିିଷ୍ଣନ୍ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଗୁରୁଜୀ ଗୁରୁମା’ ମାନଙ୍କୁ ଯଥାରୀତିରେ ପୂଜା ଅର୍ଚ୍ଚନା କରି ଗୁରୁବନ୍ଦନା ଗାନ କରିଥିଲେ। ଭକ୍ତି ସହକାରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ଉପହାର ଓ ଯଥାସାଧ୍ୟ ଗୁରୁଦକ୍ଷିଣା ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ରତ୍ନାକର ପୁହାଣଙ୍କ ସଭାପତିତ୍ୱରେ ଗୁରୁଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ହରିହର ପଣ୍ଡା ଯୋଗଦେଇ ଶିଷ୍ୟ ଗୁରୁଙ୍କ ଉପଦେଶକୁ କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ମହାନ ହୋଇ ପାରିବେ ବୋଲି କହିଥିଲେ। ପୁଷ୍ପିତା ଷଢଙ୍ଗୀ, ଯୋଗେଶ୍ୱର ସାହୁ, ରଞ୍ଜିତା ପାତ୍ର, ରୀନା ଷଢଙ୍ଗୀ, ଷ୍ଟାଲିନ୍ କୁମାର ମାଇତି, ବୃନ୍ଦାବତୀ ନାଏକ ଗୁରୁଶିଷ୍ୟର ପରମ୍ପରା ଅନାଦି କାଳରୁ ଚାଲିଆସୁଛି ବୋଲି ସୂଚନା ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଡା.କୁମାର ବାବୁଲି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପିଲା ଓ ଗୁରୁଜୀ ଗୁରୁମାଙ୍କ ଠାରୁ ଉଠିଥିବା ଦକ୍ଷିଣା ୩୧୫୧ ଟଙ୍କା ଓଡିଶାର ଗରିବ ଜନତାଙ୍କର ସେବାରେ ଲାଗିବା ପାଇଁ ଉକ୍ତ ଅର୍ଥକୁ ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଗଲା ବୋଲି ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ସୂଚନା ପ୍ରଦାନ କରିଥିଲେ। ସର୍ବଶେଷରେ ପ୍ରଭଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।