ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାଇକିଆ ବଳପୁର ରାସ୍ତାର ମୁନିନ୍ଦା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ବଳଙ୍ଗା ଥାନା ଅନ୍ତର୍ଗତ ଦାସ ପାଟଣା ଗ୍ରାମର ଦୁଃଶାସନ ସାହୁ( ୪୩) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ପଟ୍ଟନାଇକିଆ-ବଳପୁର ରାସ୍ତାର ମୁନିନ୍ଦା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ସ୍ଥାନୀୟ ଜନସାଧାରଣ ତାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀ ଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସତ୍ୟବାଦୀ ପୁଲିସ ମୃତ ଦେହକୁ ଜବତ କରି ସେଠାରେ ବ୍ୟବଚ୍ଛେଦ କରିଥିଲେ। ସତ୍ୟବାଦୀ ଥାନାରେ ଏନେଇ ଏକ ମୋକଦ୍ଦମା ରୁଜୁ ହୋଇଛି। ତଦନ୍ତ ଚାଲୁ ରହିଛି ବୋଲି ସତ୍ୟବାଦୀ ପୁଲିସ ସୂତ୍ରରୁ ଜଣାପଡିଛି।



