ମୋହନା ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବୀପତ୍ର
ମୋହନା : ଓଡିଶା ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ମୋହନା ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ୪ ଦଫା ସମ୍ବଳିତ ଦାବୀପତ୍ର ପ୍ରେରଣ କରାଯାଇଥିବା ଜଣାପଡିଛି। ମୋହନା ବ୍ଳକ ତାଲିମ ପ୍ରାପ୍ତ ସ୍ୱାତକ(ବିଇଡି) ଶିକ୍ଷକ ସଂଘ ଆଜକୁ ୨୦ ବର୍ଷ ହେଲା ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ସହ ବିଭିନ୍ନ ସମୟରେ ସଂଘର୍ଷ କରିଆସୁଛନ୍ତି। ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀଙ୍କ ସହ ବିଭିନ୍ନ ସମୟରେ ଦାବୀ ନେଇ ଆଲୋଚନା କରିଛନ୍ତି। ସରକାର ସେମାନଙ୍କ ପ୍ରତିଶୃତି ରଖିବା ପାଇଁ ଆଶ୍ୱସନା ମଧ୍ୟ ଦେଇଥିଲେ କିନ୍ତୁ ଏ ଭିତରେ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବୀରୁ ସେମାନଙ୍କୁ ବଞ୍ଚିତ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଶେଷରେ ମୋହନା ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ ଶିକ୍ଷାଧିକାରୀଙ୍କ ଜରିଆରେ ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ୪ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରେରଣ କରାଯାଇଛି । ଏହି ଦାବୀପତ୍ର ମଧ୍ୟରେ ସେମାନଙ୍କୁ ୧/୭/୨୦୧୪ କେଡେର ରୁଲ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା, ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକମାନଙ୍କ ଦରମା ୯ ହଜାର ୩୦୦ ଟଙ୍କା ଓ ଗ୍ରେଡପେ ୪ ହଜାର ୨୦୦ ଟଙ୍କା କରାଯିବା, ମେଟ୍ରିକ ସିଟି ପୋଷ୍ଟକୁ ଅପଗ୍ରେଡ କରି ଯୁକ୍ତ ୨ ସିଟି କରାଯାଇ ଗ୍ରେଡ ପେ ୨ ହଜାର ୮ ଶହ ଟଙ୍କା ହିସାବରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ୭ମ ବେତନ କମିଶନଙ୍କ ଗ୍ରେଡପେ ମେଟ୍ରିକରେ ଧାର୍ଯ୍ୟ କରାଯିବା ଓ ଶିକ୍ଷାଧିକାର ଆଇନ ଅନୂଯାୟୀ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯିବା ଦାବୀ ଗୁଡିକ ରହିଛି।