www.samajalive.in
Tuesday, December 9, 2025
16.1 C
Bhubaneswar

ମେସିନ ଫେରାଇ ନେବାକୁ ଆବେଦନ କଲେ ଛତୁଚାଷୀ

ପିପିଲି : କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ବାସ୍ତବ କ୍ଷେତ୍ରରେ ଚାଷୀମାନେ କେତେଦୂର ଉପକୃତ ହେଉଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଅଗ୍ରଣୀ ଛତୁଚାଷୀ ସନ୍ତୋଷ କୁମାର ମିଶ୍ରଙ୍କ କ୍ଷେତ୍ରରେ। ଉଦ୍ୟାନ କୃଷି ବିଭାଗ ସହାୟତାରେ ଜାତୀୟ ଉଦ୍ୟାନ ମିଶନ ଯୋଜନାରେ ଶ୍ରୀମିଶ୍ର ନିଜ ଛତୁଫାର୍ମ ପରିସରରେ ପ୍ରତିଷ୍ଠା କରିଥିବା ସୌରଚାଳିତ ଛତୁ ଶୁଖାଇବା ଯନ୍ତ୍ର ଓ ସଂରକ୍ଷଣ ଗୃହର ନିର୍ମାଣ ୪ମାସ ତଳୁ ସରିଥିଲେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ସେଠାରେ ଛତୁ ଶୁଷ୍କିକରଣ ଯନ୍ତ୍ର ସ୍ଥାପନ ସତ୍ତ୍ବେ ଏହାକୁ କାର୍ଯ୍ୟକ୍ଷମ କରାନଯିବା ଫଳରେ ଯନ୍ତ୍ରଟି ଏବେ କାମରେ ଲାଗିପାରୁନାହିଁ । ଏ ସଂପର୍କରେ ଉଦ୍ୟାନ କୃଷି ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଶେଷରେ ଯନ୍ତ୍ରଟିକୁ ଫେରାଇ ନେବାକୁ ଶ୍ରୀ ମିଶ୍ର ବିଭାଗକୁ ଲିଖିତ ଅନୁରୋଧ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାଇ, ଛତୁକୁ ଅଧିକ ଦିନ ଯାଏଁ ସଂରକ୍ଷଣ କରି ରଖିବା ପାଇଁ ଏକ ସୌରଚାଳିତ ପନିପରିବା ତଥା ଛତୁ ଶୁଷ୍କିକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଅଗ୍ରଣୀ ଛତୁଚାଷୀ ସନ୍ତୋଷ କୁମାର ମିଶ୍ର ସାକ୍ଷୀଗୋପାଳ ସ୍ଥିତ ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଶ୍ରୀ ମିଶ୍ରଙ୍କୁ ୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଉକ୍ତ ସୌରଚାଳିତ ପନିପରିବା ତଥା ଛତୁ ଶୁଖାଇବା ସହିତ ସଂରକ୍ଷଣ ଗୃହ ନିର୍ମାଣ ପ୍ରକଳ୍ପ ବାବଦକୁ କାର୍ଯ୍ୟାଦେଶ ମିଳିଥିଲା । ନିୟମ ଅନୁଯାଇ ଶ୍ରୀ ମିଶ୍ର ନିଜସ୍ୱ ୧ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ଉକ୍ତ ପ୍ରକଳ୍ପ ପାଇଁ ଗୃହ ନିର୍ମାଣ କରିବା ପରେ ୧ଲକ୍ଷ ଟଙ୍କା ଅନୁଦାନ ରାଶିରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅନୁବନ୍ଧିତ ଏକ ସଂସ୍ଥା ଦ୍ୱାରା ସୌରଚାଳିତ ପନିପରିବା ଶୁଷ୍କିକରଣ ଯନ୍ତ୍ର ସେଠାରେ ବସାଯାଇଥିଲା । ଉକ୍ତ ସଂସ୍ଥା ପକ୍ଷରୁ ସୋଲାର ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସହିତ ଶୁଷ୍କିକରଣ ଯନ୍ତ୍ରକୁ ସେଠାରେ ଗତ ଅପ୍ରେଲ ମାସରେ ସ୍ଥାପନ କରାଯାଇଥିଲେ ମଧ୍ୟ ଯନ୍ତ୍ରଟିକୁ କିପରି କାର୍ଯ୍ୟକ୍ଷମ କରାଯିବ ସେ ସଂପର୍କରେ ଆବଶ୍ୟକ ଜ୍ଞାନକୌଶଳ କିମ୍ବା ତାଲିମ ପ୍ରଦାନ କରାଯାଇନଥିଲା। ଫଳରେ ଉକ୍ତ ସୌରଚାଳିତ ଯନ୍ତ୍ରଟି କୌଣସି କାମରେ ଲାଗିପାରିନଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀମିଶ୍ର ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇବା ସହ ସାକ୍ଷୀଗୋପାଳ ସ୍ଥିତ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ । ଏଥିପାଇଁ ଶ୍ରୀ ମିଶ୍ର ଉଭୟ ମାନସିକ ଓ ଶାରିରିକ କଷ୍ଟ ପାଇଥିଲେ । କୌଣସି ସୁଫଳ ନମିଳିବାରୁ ଶେଷରେ ଉକ୍ତ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସେ ମନସ୍ଥ କରିବା ସହ ଉକ୍ତ ସୌରଚାଳିତ ଯନ୍ତ୍ରଟିକୁ ଫେରସ୍ତ ନେବାପାଇଁ ଗତ ଅଗଷ୍ଟ ୨୩ ତାରିଖରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଉକ୍ତ ଯନ୍ତ୍ର ଦ୍ୱାରା ଗୋଟିଏ ଥରରେ ୧୨କେଜି ଛତୁ ଶୁଷ୍କ କରାଯାଇ ଦୀର୍ଘ ୬ମାସ ଯାଏଁ ସଂରକ୍ଷିତ କରାଯାଇ ପାରିବ ବୋଲି ଶ୍ରୀମିଶ୍ର ପ୍ରକାଶ କରିଛନ୍ତି। ଏହା ଦ୍ୱାରା ବଜାରରେ ବିକ୍ରି ନହୋଇପାରି ବଳକା ରହିଯାଉଥିବା ଛତୁକୁ ସଂରକ୍ଷଣ କରାଯାଇପାରିବ ଯାହାଫଳରେ ଛତୁଚାଷୀମାନେ ବେଶ୍‍ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କହିଛନ୍ତି । ତେବେ ଉଦ୍ୟାନ କୃଷି ବିଭାଗର ଉଦାସିନତା ଓ ଅସହଯୋଗ ଫଳରେ ଏହି ସୌରଚାଳିତ ଶୁଷ୍କିକରଣ ଯନ୍ତ୍ରଟି କାର୍ଯ୍ୟକ୍ଷମ ହୋଇ ପାରିନଥିବା ଯୋଗୁଁ ଉକ୍ତ ପ୍ରକଳ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସଂପର୍କରେ ଅତି ଦୁଃଖର ସହ ସେ ପ୍ରକାଶ କରିଛନ୍ତି । ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ତାଙ୍କ ଭଳି ଅନେକ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀମିଶ୍ର ଅନୁରୋଧ କରିଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories