ମୋହନା: ଗଜପତି ଜିଲାରେ ଆଜି ବି ଅନେକ ସ୍ଥାନରେ ଲୁଛି ରହିଛି ଗରିବ ପରିବାରର ସମସ୍ୟା । ଯାହାକି ଖବର କାଗଜରେ ପ୍ରକାଶନ ପରେ ମଧ୍ୟ ଜିଲା ପ୍ରଶାସନ କିମ୍ଵା ବ୍ଲକ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯାଉନାହିଁ କିମ୍ଵା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି। ଏଭଳି ଅନେକ ଦୁଃଖୀ ଗରିବ ପରିବାରକୁ କିଏ ବା ପଚାରେ ? ମୋହନା ବ୍ଲକରେ ଧଳା ପୋଷାକଧାରୀ କୁଜି ନେତାଙ୍କର ଅଭାବ ନାହିଁ। କିନ୍ତୁ କେହି ମଧ୍ୟ ସାହାଯ୍ୟ କରିବାକୁ ଆଗଭର ନୁହଁନ୍ତି। ଅଡବା ପଞ୍ଚାୟତର ପଦାଗାଁରେ ବାସ କରନ୍ତି ଭାସି ସାହୁ ( ୫୬) । ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ନା ଅଛି ତାଙ୍କର ଜାଗା ଖଣ୍ଡେ ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ।ଖରା ବର୍ଷାରେ ଜୀବନ ବିତୁଛି ଝୁମ୍ପୁଡି କୁଡ଼ିଆ ଘରେ । ତାଙ୍କୁ ମିଳିନି ଖାଉଟି କାର୍ଡ କି ବିଧବା ଭତ୍ତା ।
ସବୁ ନାମକୁ ମାତ୍ର ମାଳ ମାଳ ଯୋଜନା। ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଭାସି ସାହୁ । ଆଜିକୁ ୩୫ବର୍ଷ ହେଲା ସ୍ଵାମୀ ଛାଡି ଚାଲିଗଲେ ଆରପାରିକୁ । ଭାସିଙ୍କର ଦୁଇଟି ପୁଅ ଥିଲେ ସେମାନେ ମଧ୍ୟ ଆରପାରିକୁ ଚାଲିଗଲେ । ଦୁଇ ବର୍ଷ ହେଲା ତାଙ୍କର ଚଳିବା ଦୟନୀୟ ହୋଇ ପଡିଛି। ସାହି ପଡିଶା, ଘର ଘର ବୁଲି ଭିକ ମାଗି ଯାହା ମିଳେ ସେଥିରେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି। ଆହା କରିବାକୁ ପାଖରେ କେହି ମଧ୍ୟ ସାହା ଉରସା ନାହାନ୍ତି। ଏ ବିଷୟରେ ସେ ବହୁବାର ମୋହନା ବ୍ଲକରେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କିନ୍ତୁ ଖାଲି ଫମ୍ପା ପ୍ରତିଶ୍ରୁତି। ଏଭଳି ଦହନୀୟ ଜୀବନଯାପନ କରୁଥିବା ଭାସି ସାହୁଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡିଲେ ଭାଗ୍ୟର ପରିବର୍ତ୍ତନ ହୁଅନ୍ତା ବୋଲି ସେ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଗ୍ରାମବାସୀ ନିବେଦନ କରିଛନ୍ତି।



