ଟୋକିଓ : ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସକୁ ସଫଳତାର ସହ ଆୟୋଜନ କରିବା ପରେ ମଙ୍ଗଳବାରରୁ ଜାପାନ ରାଜଧାନୀ ସହର ଟୋକିଓ ପାରାଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି। ଏହା ପାରାଲିମ୍ପିକ୍ସର ୧୬ଶ ସଂସ୍କରଣ। କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଏବେ ବଢ଼ି ଚାଲିଥିବା ବେଳେ ଏହି କ୍ରୀଡ଼ାର ଆୟୋଜନ ନିଶ୍ଚୟ ଏକ ଆହ୍ବାନ। ମଙ୍ଗଳବାରରୁ କ୍ରୀଡ଼ା ଆୟୋଜନ ହେଉଥିବା ବେଳେ ସନ୍ଧ୍ୟାରେ ଏକ ସଂକ୍ଷିପ୍ତ ଉଦ୍ଘାଟନୀ ଉତ୍ସବ ସହ କ୍ରୀଡ଼ାର ଶୁଭାରମ୍ଭ ହେବ। ଜାପାନ ସମ୍ରାଟ ନାରୁହିତୋ କ୍ରୀଡ଼ାର ଉଦ୍ଘାଟନ ଘୋଷଣା କରିବେ। ଏହି କ୍ରୀଡ଼ା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭ ୧୯୬୦ (ରୋମ୍)ରୁ ଆୟୋଜନ ହୋଇଆସୁଛି। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଯେଉଁ ସହରରେ ଆୟୋଜନ ହୋଇଥାଏ; ସେଠାରେ ସମାନ୍ତରାଳ ଭାବେ ଏହି କ୍ରୀଡ଼ା ଆୟୋଜନ ହୋଇଥାଏ। ମାନସିକ, ଶାରୀରିକ ଓ ଦୃଷ୍ଟିବାଧିତଙ୍କ ପାଇଁ ଏହି କ୍ରୀଡ଼ା ଉଦ୍ଦିଷ୍ଟ।
ଅଲିମ୍ପିକ୍ସ ପରେ ପାରାଲିମ୍ପକ୍ସ ମଧ୍ୟ ଖାଲି ଷ୍ଟାଡିୟମ୍ରେ ଖେଳାଯିବ। ପାରାଲିମ୍ପିକ୍ସ ହୋଇଥିଲେ ମଧ୍ୟ ଏଥିରେ ପଦକ ଜିତିବା ଅଲିମ୍ପିକ୍ସ ପଦକଠାରୁ କୌଣସି ଗୁଣରେ କମ୍ ନୁହେଁ। ୨୦୦୪ ଏଥେନ୍ସ ପାରାଲିମ୍ପିକ୍ସଠାରୁ ୨୦୧୬ ରିଓ ପାରାଲିମ୍ପିକ୍ସ ପର୍ଯ୍ୟନ୍ତ ପଦକ ତାଲିକାରେ ଚୀନ୍ ଶୀର୍ଷରେ ରହିଆସିଛି। ଗତ ପାରାଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ୍ ୨ୟ, ୟୁକ୍ରେନ୍ ୩ୟ, ଆମେରିକା ୪ର୍ଥ ଓ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ରହିଥିଲେ। ବିଶ୍ବର ପ୍ରଥମ ସହର ଭାବେ ଟୋକିଓ ୨ୟ ଥର ପାଇଁ ପାରାଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି। ଏଥିରେ ୧୬୨ଟି ଦେଶ ଓ ଏକ ଶରଣାର୍ଥୀ ଦଳରୁ ମୋଟ ୪,୫୩୭ କ୍ରୀଡ଼ାବିତ୍ ଭାଗ ନେଉଛନ୍ତି। ସେମାନେ ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ପ୍ରତିଯୋଗିତା କରିବେ। ଅଲିମ୍ପିକ୍ସ ପାଇଁ ବ୍ୟବହୃତ କ୍ରୀଡ଼ାଙ୍ଗନରେ ପାରାଲିମ୍ପିକ୍ସର ପ୍ରତିଯୋଗିତା ହେବ। ଏଥର ୨ଟି ପ୍ରମୁଖ ନୂଆ କ୍ରୀଡ଼ା ଭାବେ ତାଏେକ୍ବାଣ୍ଡୋ ଓ ବ୍ୟାଡ୍ମିଣ୍ଟନ ପଦାର୍ପଣ କରିବାକୁ ଯାଉଛନ୍ତି। ୨୦୧୬ରେ ଭାରତ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୪ଟି ପଦକ ପାଇ ୪୩ତମ ସ୍ଥାନରେ ଥିଲା। ଭାରତ ଏହି ୪ଟିଯାକ ପଦକ ଦୌଡ଼କୁଦରେ ଜିତିଥିଲା। ମାରିୟାପ୍ପାନ ଥାଙ୍ଗାଭେଲୁ ହାଇଜମ୍ପ୍ରେ ଓ ଦେବେନ୍ଦ୍ର ଝାଝାରିଆ ଜାଭେଲିନ୍ ଥ୍ରୋ’ରେ ସ୍ବର୍ଣ୍ଣପଦକ ଜିତିଥିଲେ। ଦୀପା ମଲିକ ମହିଳା ସଟ୍ପୁଟରେ ରୌପ୍ୟ ଓ ବରୁଣ ସିଂହ ଭଟ୍ଟି ହାଇଜମ୍ପ୍ରେ କାଂସ୍ୟ ପଦକ ଜିତିଥିଲେ। ଦେବେନ୍ଦ୍ର ଝାଝାରିଆ ୨୦୦୪ ଓ ୨୦୧୬ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ। ଏହି କ୍ରୀଡ଼ାରେ ଭାରତର ୫୪ ଜଣ ପ୍ରତିଯୋଗୀ ଭାଗନେବେ; ଯାହା ପାରାଲିମ୍ପିକ୍ସ ଇତିହାସରେ ଅଦ୍ୟାବଧି ସର୍ବାଧିକ। ପାରାଲିମ୍ପିକ୍ସ ଇତିହାସରେ ଏଥର ଭାରତ ସର୍ବାଧିକ ପଦକ ଜିତିବ ବୋଲି ଆଶା କରାଯାଉଛି। ବିଶେଷକରି ଦୌଡ଼କୁଦରେ ଭାରତ ଏକାଧିକ ପଦକ ଜିତିପାରେ। ଏଥର ପ୍ରଥମଥର ବ୍ୟାଡ୍ମିଣ୍ଟନ ସାମିଲ ହୋଇଥିବା ବେଳେ ଏସ୍ଏଲ-୩ ପୁରୁଷ ବ୍ୟାଡ୍ମିଣ୍ଟନରେ ଓଡ଼ିଶାର ପ୍ରମୋଦ ଭଗତ ପଦକ ଜିତିବାର ବହୁତ ସମ୍ଭାବନା ରହିଛି।
ଆଜିଠାରୁ ଟୋକିଓ ପାରାଲିମ୍ପିକ୍ସ
Popular Categories



