www.samajalive.in
Sunday, December 7, 2025
18.1 C
Bhubaneswar

ସ୍ବର୍ଣ୍ଣ ଅନ୍ବେଷଣ ପାଇଁ ମଞ୍ଚ ପ୍ରସ୍ତୁତି

ଟୋକିଓ ଅଲିମ୍ପିକ୍ସର ପଦକ ବିଜେତାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରାତଃଭୋଜନ ଓ ଆଳାପ ଆଲୋଚନାର ଦୃଶ୍ୟ ବେଶ୍‍ ଉପଭୋଗ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା। ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରାଙ୍କୁ ଚୁର୍‍ମା, ପି.ଭି. ସିନ୍ଧୁଙ୍କୁ ଆଇସକ୍ରିମ ଖାଇବାକୁ ଦେବା ସହ ବଜରଙ୍ଗ ପୁନିଆଁଙ୍କ ସହ ମିଶି ହସିବା ଏବଂ ଆହୁରି ହସିବାକୁ ରବି ଦହିୟାଙ୍କୁ କହିବା, ତଥା ମୀରାବାଈ ଚାନୁଙ୍କଠାରୁ ତାଙ୍କ ଅଭିଜ୍ଞତା ଆଗ୍ରହର ସହ ଶୁଣିବା ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଫୁଟାଇଛି। ଏହି ଭେଟ୍‌ଘାଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବ୍ୟସ୍ତବହୁଳ ଜୀବନ ଓ କାର୍ଯ୍ୟସୂଚୀରୁ ସମୟ ବାହାର କରି ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ପ୍ରତ୍ୟେକ ଭାରତୀୟ କ୍ରୀଡାବିତ୍‍ଙ୍କୁ ବ୍ୟକ୍ତିଗତଭାବେ ଭେଟିବା ଓ ଦୁଃଖସୁଖ ହେବା। ଏହା ନିଶ୍ଚିତଭାବେ ଏକ ଉତ୍ସାହଜନକ ଘଟଣା। ଏହାର ପରଦିନ ପ୍ରଧାନମନ୍ତ୍ରୀ ଭାରତୀୟ ପାରା ଅଲିମ୍ପିକ୍ସ ଦଳର ସଦସ୍ୟମାନଙ୍କୁ ଭେଟି ସେମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ସେ ମଧ୍ୟ ଏହି କ୍ରୀଡାବିତ୍‍ଙ୍କ ସହ ସେମାନଙ୍କର ଜୀବନର ପ୍ରେରଣାଦାୟୀ ଯାତ୍ରା ବିଷୟରେ ଆଲୋଚନା କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଭିନ୍ନ ଦିଗର ସଙ୍କେତ ଦିଏ। କ୍ରୀଡ଼ା ପ୍ରତି ବିଶେଷ ଆଗ୍ରହୀ ଏହି ବ୍ୟକ୍ତିତ୍ୱ ଭାରତୀୟ କ୍ରୀଡ଼ାବିତ୍‍ଙ୍କ ପାଇଁ ଅତିରିକ୍ତ ପଥ ଅତିକ୍ରମ କରିବାକୁ ଆଗ୍ରହୀ ତାହାର ଇଙ୍ଗିତ ଏଥିରୁ ମିଳୁଛି। ଟୋକିଓ ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବଡ ବୈଠକରେ ଆମ ପ୍ରସ୍ତୁତିର ବ୍ୟାପକ ସମୀକ୍ଷା କରି ସବୁ କଥା ପଚାରି ବୁଝିଥିଲେ।
ଯେଉଁମାନେ ନରେନ୍ଦ୍ର ମୋଦୀଙ୍କୁ ଅତି ନିକଟରୁ ଦେଖିଛନ୍ତି, ସେମାନେ ଖେଳକୁଦ ପାଇଁ ଆବଶ୍ୟକ ସୁବିଧାସୁଯୋଗ ଆମ ଯୁବକଯୁବତୀମାନଙ୍କୁ ଯୋଗାଇ ଦେବାକୁ ଓ ଦେଶରେ ଏକ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବାକୁ ବ୍ୟକ୍ତିଗତଭାବେ ସେ କେତେ ଆଗ୍ରହୀ ତାହା କହିପାରିବେ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀ ମୋଦୀ ଖେଳ ମହାକୁମ୍ଭ ଆୟୋଜନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଗୁଜରାଟ ଭଳି କ୍ରୀଡା ଐତିହ୍ୟ ସମ୍ପନ୍ନ ରାଜ୍ୟରେ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ଏମାନଙ୍କୁ ପ୍ରୋତ୍ସାହିତ କରିବା ଥିଲା ଏହି ଆୟୋଜନର ଲକ୍ଷ୍ୟ। ଶ୍ରୀ ମୋଦୀ ବ୍ୟବସ୍ଥିତ ଭାବେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନ ଓ କାର୍ଯ୍ୟାବଳୀକୁ ବିିଚାରକୁ ନେଇ ମୁଁ ତାଙ୍କୁ ଭାରତର ପ୍ରଥମ କ୍ରୀଡ଼ାବିତ୍‍ ପ୍ରଧାନମନ୍ତ୍ରୀ କହିବାକୁ ପଛାଇବି ନାହିଁ।
କିଛି ଦିନ ତଳେ ୨୦୧୩ ମସିହାର ଏକ ଭିଡିଓ ଭାଇରାଲ ହୋଇଥିଲା। ସେହି ଭିଡିଓରେ ନରେନ୍ଦ୍ର ମୋଦୀ ପୁଣେର ଦଳେ କଲେଜ ଛାତ୍ରଙ୍କୁ ଉଦ୍‍ବୋଧନ ଦେଉଥିବା ଦେଖିବାକୁ ମିଳିଥିଲା। ଶ୍ରୀ ମୋଦୀ ତାଙ୍କ ଭାଷଣ ପ୍ରସଙ୍ଗରେ ଭାରତର ଅଲିମ୍ପିକ ପଦକ ହାସଲ ସଂଖ୍ୟାକୁ ନେଇ ଅନୁଶୋଚନା ପ୍ରକାଶ କରି କହିଥିଲେ ଯେ ସମୃଦ୍ଧ କ୍ରୀଡ଼ା ଇତିହାସ, ବିପୁଳ ଜନସଂଖ୍ୟା ଓ ଅଗଣିତ କ୍ରୀଡ଼ା ପ୍ରତିଭା ସତ୍ତ୍ବେ ଭାରତ ଅଲିମ୍ପିକ୍ସ ପରେ ଅଲିମ୍ପିକ୍ସରେ ଅଧିକ ପଦକ ଜିତିବାକୁ ସଂଘର୍ଷ କରି ଆସୁଛି। ଭାରତ ଭଳି ଏକ ଦେଶ ଅଲିମ୍ପିକ୍ସ ପଦକ ସଫଳତାରୁ ବଞ୍ଚିତ ହେବାର କୌଣସି କାରଣ ନାହିଁ। ଶ୍ରୀ ମୋଦୀ କହିଥିଲେ ଯେ ଏହି ବିଫଳତା ପାଇଁ ଖେଳାଳି ଦାୟୀ ନୁହନ୍ତି; ଆମେ ତାଙ୍କୁ ଉପଯୁକ୍ତ ସହାୟତା ଓ ତାଲିମ ଆଦିର ପରିବେଶ ଯୋଗାଇବାରେ ବିଫଳ ହୋଇଛୁ। ଭାରତରେ କ୍ରୀଡ଼ା ଯଥାର୍ଥ ମର୍ଯ୍ୟାଦା, ସରକାରୀ ସମର୍ଥନ ଓ ପ୍ରୋତ୍ସାହନ ପାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଭାରତର ମହିଳା ଓ ପୁରୁଷ ହକି ଦଳର ସଦସ୍ୟମାନେ କହିଛନ୍ତି ଯେ ସେମାନଙ୍କ ପରାଜୟ ପରେ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ୍‌ ସେମାନଙ୍କ ମନୋବଳ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ୨୦୧୯ରେ ନୀରଜ ଚୋପ୍ରା ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଆଶୁଆରୋଗ୍ୟ କାମନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଥିଲା। ଖେଳକୁଦ ସମସ୍ୟାର ମୂଳକାରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଭଲଭାବେ ଅବଗତ। ସେ ସମସ୍ୟାଟି ହେଲା ଖେଳ ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରେ। ତେବେ ଯେତେବେଳେ ଅଂଶଗ୍ରହଣ ଓ ପ୍ରୋତ୍ସାହନ ଯୋଗାଇବା କଥା ଉଠେ, ସେତେବେଳେ ସେଥିରେ ବିଶେଷ ଅଭାବ ପରିଲକ୍ଷିତ ହୁଏ। ଅଲିମ୍ପିକ୍ସ ବିଜେତାମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ “ଖେଳକୁଦର ସାମ୍ପ୍ରତିକ ସଫଳତା ଦେଖିବା ପରେ ମୋର ହୃଦ୍‍ବୋଧ ହୋଇଛି ଯେ କ୍ରୀଡ଼ା ପ୍ରତି ପିତାମାତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ।” ତାଙ୍କର ଏହି ମନ୍ତବ୍ୟରେ ଉଭୟ ଆଶାବାଦ ଓ ସତ୍ୟତା ରହିଛି। ପିତାମାତାମାନେ ଯେତେବେଳେ ଦେଖନ୍ତି ଯେ ଭାରତର ପଦକ ସଂଖ୍ୟା ବଢୁଛି ସେତେବେଳେ ସେମାନେ ନିଜ ପିଲାଙ୍କୁ ଖେଳକୁଦ ପ୍ରତି ଆକର୍ଷିତ ଓ ଉତ୍ସାହିତ କରିବେ ବୋଲି ଆଶା। ଆହୁରି ମଧ୍ୟ ସରକାରଙ୍କର ସବୁ ଅଙ୍ଗ ଓ ଉଦ୍ୟୋଗଜଗତ ଯେତେବେଳେ ଖେଳକୁଦକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଉଥିବା ପିତାମାତାମାନେ ଦେଖୁଛନ୍ତି; ସ୍ୱାଭାବିକ ଭାବେ ସେମାନେ ଅନୁଭବ କରିବେ ଯେ ସେମାନଙ୍କ ପିଲାମାନଙ୍କ ପାଇଁ କ୍ରୀଡ଼ା ଏକ ଆକର୍ଷଣୀୟ ଓ ସମ୍ମାନଜନକ ବୃତ୍ତି ହୋଇପାରିବ।
ଭାରତର କ୍ରୀଡ଼ା ସଫଳତାର ପରିସରକୁ ଆହୁରି ବଢାଇବାକୁ ଆମେ ବିଭିନ୍ନ ପଦକ୍ଷେପ ନେଇଛୁ। ସେଥିରେ ଏକ ରାଜ୍ୟ-ଏକ ଖେଳ ‘ୱାନ ଷ୍ଟେଟ- ୱାନ୍‍ ସ୍ପୋର୍ଟ୍ସ’ ନୀତି ଗୁରୁତ୍ୱ ପାଇଛି। ଦେଶର ପ୍ରତ୍ୟେକ ରାଜ୍ୟ ନିଜର କ୍ରୀଡ଼ା ପ୍ରତିଭା, ସ୍ୱାଭାବିକ ଆଗ୍ରହ, ଜଳବାୟୁ ଓ ନିଜ ଅଞ୍ଚଳ ଭିତ୍ତିଭୂମି ଉପଲବ୍ଧତା ଅନୁସାରେ କୌଣସି ଏକ ନିର୍ଦ୍ଦିଷ୍ଟ ବା ତତୋଧିକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବେ। ଅବଶ୍ୟ ଏହାର ଅର୍ଥ ନୁହଁ ଯେ ଅନ୍ୟ ଖେଳକୁଦକୁ ଉପେକ୍ଷା କରାଯିବ। ଏହାଦ୍ୱାରା ନିର୍ଦ୍ଦିଷ୍ଟଭାବେ ନିର୍ଦ୍ଦିଷ୍ଟ ଖେଳକୁଦ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଇପାରିବ। ଏହାଛଡ଼ା ରାଜ୍ୟମାନଙ୍କ ପାଖରେ ଯେଉଁ ସମ୍ବଳ ରହିଛି ତାହାର ସର୍ବାଧିକ ଯଥାର୍ଥ ବିନିଯୋଗ ସମ୍ଭବ ହେବ।
ଆହୁରି ମଧ୍ୟ ଉଦ୍ୟୋଗଜଗତ ପାଇଁ ଆମେ “ଗୋଟିଏ ଉଦ୍ୟୋଗ-ଗୋଟିଏ କ୍ରୀଡା” ନୀତି କାର୍ଯ୍ୟକାରୀ କରିବାକୁ ଯାଉଛୁ। ସମଗ୍ର ବିଶ୍ୱରେ ଉଦ୍ୟୋଗଜଗତ ଉଦୀୟମାନ କ୍ରୀଡା ପ୍ରତିଭାଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ସେମାନେ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ବଢାଇବାକୁ ଖେଳ ଓ ଖେଳାଳିଙ୍କୁ ନାନାଭାବେ ପୃଷ୍ଠପୋଷକତା ଯୋଗାଉଛନ୍ତି। ଏହା ବ୍ୟତୀତ ଖେଳାଳିଙ୍କ ଆୟ ବୃଦ୍ଧି ପାଇଁ ସେମାନେ ମଧ୍ୟ କ୍ରୀଡ଼ାର ବିଜ୍ଞାପନ, ବିପଣନ ଆଦିରେ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ହେଉଛନ୍ତି। କ୍ରିକେଟକୁ ବିଭିନ୍ନ କର୍ପୋରେଟ ଉଦ୍ୟୋଗ ଯେଉଁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଯୋଗାଉଛନ୍ତି, ତାହା ଏ କ୍ଷେତ୍ରରେ ଏକ ସଫଳ ଉଦାହରଣ। ଆହୁରି ମଧ୍ୟ ଏଫଏମ୍‍ସିଜି ବ୍ରାଣ୍ଡଗୁଡିକ ଖେଳକୁଦକୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଦେଉଥିଲେ। ଏବେ ନୂଆ ଫିନ୍‍ଟେକ୍‍ ୟୁନିକର୍ଣ୍ଣମାନେ ତାହା ଅଧିକ କରୁଛନ୍ତି। ଏହା ଏକ ଭଲ ଲକ୍ଷଣ। ଏହା ଫଳରେ ଖେଳକୁଦ, ଖେଳାଳି ଓ ସମ୍ପୃକ୍ତ ଉଦ୍ୟୋଗ ସମସ୍ତେ ଉପକୃତ ହେବେ।
ଦେଶରେ ଖେଳକୁଦ ଓ ଖେଳାଳିଙ୍କୁ ପୃଷ୍ଠପୋଷକତା ଏବଂ ପ୍ରୋତ୍ସାହନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସମାଜର ତଳସ୍ତରରୁ କ୍ରୀଡ଼ା ସଂସ୍କୃତି ତିଆରି କରି ନବପ୍ରତିଭାମାନଙ୍କୁ ଚିହ୍ନ୍‍ଟ ପୂର୍ବକ ସେମାନଙ୍କୁ ଆଗକୁ ଆଣିବା। ଏଥିପାଇଁ ସ୍ଥାନୀୟ, ପ୍ରାଦେଶିକ ଓ ଜାତୀୟସ୍ତରରେ ବିଭିନ୍ନ ଖେଳକୁଦ ଆୟୋଜନର କାର୍ଯ୍ୟକ୍ରମକୁ ଆହୁରି ବଢାଇବାକୁ ପଡିବ। ଭାରତ ପ୍ରତ୍ୟେକ ଖେଳରେ ‘ଆଞ୍ଚଳିକ ଲିଗ୍‍’ର ଆବଶ୍ୟକତା ଅନୁଭବ କରୁଛି। ଏହା ଦ୍ୱାରା ଯୁବ ଓ ଉଦୀୟମାନ ପ୍ରତିଭାମାନେ ବର୍ଷସାରା ଅଭ୍ୟାସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସେମାନଙ୍କ ପ୍ରତିଭା ବିକାଶରେ ଏହା ସହାୟକ ହେବ। ଏହି ପ୍ରକ୍ରିୟା ଆମ ଖେଳାଳିଙ୍କ ପ୍ରତିଭା ଚିହ୍ନଟ, ସେମାନଙ୍କୁ ଅଭ୍ୟାସ ଓ ସୁବିଧାସୁଯୋଗ ଯୋଗାଣ ଦେଶରେ ଏକ କ୍ରୀଡ଼ା ଅନୁକୂଳ ପରିବେଶ ସୃଷ୍ଟିରେ ବିଶେଷ ସହଯୋଗ ଯୋଗାଇବ। ଆମ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାକୁ ଅଲିମ୍ପିକ୍ସ ଉତ୍କର୍ଷର କେନ୍ଦ୍ରଭାବେ ପରିବର୍ତ୍ତନ କରାଯାଇପାରିବ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। ଏ ସବୁ ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ଓ ଅଂଶଗ୍ରହଣ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ।
ଯେଉଁସବୁ ବିଷୟ ଭାରତୀୟ କ୍ରୀଡ଼ାକୁ ସହଯୋଗ ଯୋଗାଇଛି ସେଥିରୁ ଗୋଟିଏ ହେଲା, ଗୁଣବତ୍ତା ଓ ବିଶ୍ୱସ୍ତରୀୟ ମାନକ ବା ଷ୍ଟାଣ୍ଡାର୍ଡକୁ ଦିଆଯାଉଥିବା ଗୁରୁତ୍ୱ। ଭାରତରେ କାମ କରିବାର ପାରମ୍ପରିକ ରାସ୍ତାଟି ଥିଲା ଅମଲାତାନ୍ତ୍ରିକ ଓ କ୍ଳାନ୍ତିକର। ମୋଦୀ ସରକାର କ୍ଷମତାକୁ ଆସିବା ପରେ ସେ ସଂସ୍କୃତି ଓ କାର୍ଯ୍ୟଶୈଳୀ ବଦଳିଛି। ଏପରିକି ପ୍ରଧାନମନ୍ତ୍ରୀ ସିଧାସଳଖ ଖେଳାଳି ଓ ପ୍ରତିଯୋଗୀଙ୍କ ଠାରୁ ମତାମତ, ଭଲମନ୍ଦ ପଚାରି ବୁଝୁଛନ୍ତି। ଟୋକିଓ ଅଲିମ୍ପିକ୍ସର ଭାରତୀୟ କ୍ରୀଡାବିତ୍‍ଙ୍କୁ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କ’ଣ କରିବାକୁ ହେବ ସେ ବିଷୟ ପଚାରି ବୁଝିଥିଲେ। ମୀରାବାଈ ହୁଅନ୍ତୁ କି ମେରୀକମ୍‍, ପ୍ରତ୍ୟେକ କ୍ରୀଡ଼ାବିତ୍‍ ଆହତ ହେଲେ ସେମାନେ ଯେପରି ଶ୍ରେଷ୍ଠ ଚିକିତ୍ସା ସୁବିଧା ପାଆନ୍ତି ତାହା ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତଭାବେ ନିଶ୍ଚିତ କରିଥିଲେ।
ପରିତାପର ବିଷୟ ହେଲା ଆଧୁନିକ ଟେକ୍ନୋଲୋଜିର ପ୍ରଚଳନ ଭାରତ ପାଇଁ ଲାଭଦାୟକ ହେବା ପରିବ‌େ‌ର୍ତ୍ତ ପ୍ରତିବନ୍ଧକ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ଏକଥା ତାଙ୍କ ବହି “ଏକଜାମ୍‍ ୱାରିୟର୍ସ” ଓ ଟାଉନହଲ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଉଲ୍ଲେଖ କରିଛନ୍ତି। ସେ ଏଥିରେ ଉଭୟ ଖେଳ ପଡ଼ିଆ ଓ ପ୍ଲେ ଷ୍ଟେସନ ଉପରେ ଗୁରୁତ୍ୱ ଦେଇଛନ୍ତି। ମୋଦୀ ଆଧୁନିକ ଟେକ୍ନୋଲୋଜିର ଆଗମନକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ସେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନରେ ଏକ ସମୁଚିତ ଭାରସାମ୍ୟ ରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଖେଳକୁଦର ମାନବୀୟ ଦିଗ ଦଳଗତ କାର୍ଯ୍ୟ ଓ ଏକତାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆହୁରି ମଧ୍ୟ ନୂଆ ଜାତୀୟ ଶିକ୍ଷାନୀତିର ‘କ୍ରୀଡା ଶିକ୍ଷା’କୁ ଅଧିକ ଆକର୍ଷଣୀୟ କରିବାକୁ ବ୍ୟବସ୍ଥା ରହିଛି। ଆଗାମୀ ବର୍ଷଗୁଡ଼ିକରେ ମଣିପୁରରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଉତ୍ତର-ପୂର୍ବାଞ୍ଚଳରେ ଯେଉଁ ଉଚ୍ଚ କ୍ରୀଡ଼ା ପରମ୍ପରା ଓ ପ୍ରତିଭା ରହିଛି ତାହାର ବିକାଶରେ ଏହି ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିବ।
୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ନିଜ ପାଇଁ ଏକାଧିକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏଥିରେ ଆଥଲେଟିକ୍ସରେ ଆମକୁ ପ୍ରଥମଥର ପାଇଁ ସ୍ୱର୍ଣ୍ଣପଦକ ମିଳିଛି। ହକି ଦଳ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ କରିଛି। ଡିସକସ୍‍ ଥ୍ରୋ, ଗଲ୍‍ ଓ ଫେନ୍ସିଂ ଆଦିରେ ମଧ୍ୟ ଆମ ପ୍ରଦର୍ଶନ ଭଲ ହୋଇଛି। ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ଯୋଜନା, ଖେଲୋ ଇଣ୍ଡିଆ ଓ ଫିଟ୍‍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ କ୍ରୀଡ଼ାକ୍ଷେତ୍ରରେ ଅଧିକ ସଫଳତା ହାସଲ କରିବାର ମୂଳଦୁଆ ପକାଇଛି। ନୂଆ ଭାରତରେ ଅଧିକ ଉଦ୍ଦୀପନା ରହିଛି। ଆମ ଖେଳକୁଦ ଉତ୍କର୍ଷ ହାସଲ ପାଇଁ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ସକଳ ସାହାଯ୍ୟ, ସହଯୋଗ ଓ ସମର୍ଥନ ପାଉଛି।

ଅନୁରାଗ ସିଂହ ଠାକୁର
କେନ୍ଦ୍ର ସୂଚନା, ପ୍ରସାରଣ,
ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories