www.samajalive.in
Sunday, December 7, 2025
26.1 C
Bhubaneswar

“ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ”

ଭୁବନେଶ୍ବର: ଭାର୍ଗବୀ ନଦୀର ଜଳରାଶି ମଧ୍ୟରୁ ଠାବ ହୋଇଛି ଏକ ବହୁ ପୁରାତନ ମନ୍ଦିରର ଅବଶେଷ। ‘ରିଡିସ୍‌କଭର ଲଷ୍ଟ ହେରିଟେଜ’ ସଂସ୍ଥାର ଏକ ଚାରି ସଦସ୍ୟ ବିଶିଷ୍ଟ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ମନ୍ଦିରର ଧ୍ବଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଏହି ସଂସ୍ଥା ଦ୍ୱାରା ଅଧୁନା ରତ୍ନଚୀରା ନଦୀ ଅବବାହିକାର ପ୍ରତ୍ନତାତ୍ତ୍ଵିକ ସର୍ଭେ କରାଯାଉଛି। ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରଟି ରତ୍ନଚୀରା ନଦୀର ଉତ୍ପତ୍ତି ସ୍ଥଳରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ବିଗତ କିଛି ବର୍ଷଧରି ନଦୀ ଗର୍ଭର ଏହି ସ୍ଥାନରୁ ବହୁ ବଡ ବଡ ପ୍ରସ୍ଥର ଖଣ୍ଡ ବାହାରିଛି। ସେଥିମଧ୍ୟରୁ କିଛି ନଦୀ କୂଳରେ ପଡି ରହିଛି, ଆଉ କିଛି ନିକଟସ୍ଥ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି। ଅନୁସନ୍ଧାନକାରୀ ଦଳ ଏହି ସ୍ଥାନରେ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ଥର ଖଣ୍ଡ, ପଥର ଖୁଣ୍ଟି, ଭଗ୍ନ ଦ୍ୱାରବନ୍ଧ, ଅନେକ ଭଗ୍ନ ଶିଳାମୂର୍ତ୍ତି ଦେଖିବାକୁ ପାଇଥିଲେ। କିଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ଆଖଣ୍ଡଳମଣି ମନ୍ଦିର କାନ୍ଥରେ ମଧ୍ୟ ସ୍ଥାନିତ କରାଯାଇଛି। ଐତିହାସିକ ଅନିଲ ଧିରଙ୍କ ନେତୃତ୍ବାଧୀନ ଏହି ଦଳରେ ‘ରିଡିସ୍‌କଭର ଲଷ୍ଟ ହେରିଟେଜ’ ସଂସ୍ଥାର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ ଓ ଅନ୍ୟ ଦୁଇ ସଦସ୍ୟ ସୁମନ ପ୍ରକାଶ ସ୍ୱାଇଁ ଓ ଶୁଭାଶିଷ ଦାଶ ଯୋଗ ଦେଇଥିଲେ।
ଦୀପକ କୁମାର ନାୟକ କହିଛନ୍ତି ଯେ ମନ୍ଦିରଟିର ଧ୍ବଂସାବଶେଷ ଭାର୍ଗବୀ ନଦୀର ମଧ୍ୟଭାଗ ତଥା ନଦୀକୂଳର ଆଖପାଖ ଅଞ୍ଚଳରେ ଇତସ୍ତତଃ ଭାବେ ପଡିରହିଛି। ନଦୀଶଯ୍ୟାରୁ କୂଳକୁ ସଂଯୋଗ କରୁଥିବା ଏକ ପାବଚ୍ଛ ଶ୍ରେଣୀରେ ପ୍ରାୟ ୧୨ରୁ ଅଧିକ ପୁରାତନ ମନ୍ଦିରର ଶିଳା ବ୍ୟବହାର କରାଯାଇଛି। ଅନେକ ଗୁଡିଏ ପୁରୁଣା ପଥର ସ୍ଥାନୀୟ ଅଧିବାସୀ ଗୃହନିର୍ମାଣ ପାଇଁ ନେଇଯାଇଛନ୍ତି। ଶ୍ରୀ ନାୟକ କହିଛନ୍ତି, ଆମକୁ ଗୋଟିଏ ଭଗ୍ନ ଦ୍ୱାରବନ୍ଧର ଉପର ଅଂଶ ଦେଖିବାକୁ ମିଳିଲା, ଯେଉଁଥିରେ ଦେବୀ ଗଜଲକ୍ଷ୍ମୀଙ୍କର ଅତି ସୁନ୍ଦର ଭାବରେ ଖୋଦିତ ପ୍ରତିମା ଦେଖିବାକୁ ମିଳୁଛି। ଏହା ବ୍ୟତିତ ଅନେକ ସ୍ଥାନରେ ନାଗକନ୍ୟା ଓ ପୁଷ୍ପାଲତାର ଅପୂର୍ବ କାରୁକାର୍ଯ୍ୟ ମଧ୍ୟ ଦୃଷ୍ଟିଗୋଚର ହେଉଛି। ଏସବୁ କାରୁକାର୍ଯ୍ୟର ଆନୁମାନିକ ଗଠନ ସମୟ ୧୩ଶ/୧୪ଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ ବୋଲି ଦୀପକ ନାୟକ ମତପ୍ରକାଶ କରିଛନ୍ତି।
ଏହି ଅନୁସନ୍ଧାନର ନେତୃତ୍ବ ନେଇଥିବା ଐତିହାସିକ ଅନିଲ ଧିର କହିଛନ୍ତି, ଶୀଳାଖଣ୍ଡ ଗୁଡିକର ଏତେ ବୃହତ ଆକାରରୁ ଏହା ଅନୁମେୟ ଯେ ଏଠାରେ କୌଣସି ଛୋଟ ମନ୍ଦିର ନଥିଲା। ଏଠାରେ ଥିବା ମନ୍ଦିରର ଆକାର ମଧ୍ୟମ କିମ୍ବା ବୃହତ ଆକୃତିର ହୋଇପାରେ। ନଦୀକୂଳରେ ଥିବା କିଛି ପଥର ସ୍ଲାବର ଲମ୍ବ ୮ ଫୁଟର ଅଧିକ ଓ ମୋଟେଇ ୨ରୁ ୪ ଫୁଟ ଯାଏ ମପା ଯାଇଛି। ଏଗୁଡିକର ଓଜନ ଆନୁମାନିକ ଦେଢରୁ ଦୁଇ ଟନ ପର୍ଯ୍ୟନ୍ତ ହୋଇପାରେ। ନଦୀଗର୍ଭରୁ ଉଭୟ ବାଲିପଥର ଓ ମାଙ୍କଡାପଥର ବାହାରୁଛି। ପ୍ରସ୍ଥର ଖଣ୍ଡଗୁଡିକର ଉଭୟ ପାର୍ଶ୍ବରେ ସମାନ ଭାବରେ ଖୋଳା ଯାଇଥିବା ବଡ ବଡ କଣା ଦେଖାଯାଉଛି, ଏହି କଣାମଧ୍ୟରେ ଲୁହାର ବନ୍ଧନୀ ଦ୍ୱାରା ପଥର ଯୋଡ଼େଇ ହୋଇଥିବା ଅନୁମାନ କରାଯାଇପାରେ। ଏପରି ଅନେକ ଗୁଡିଏ ପଥର ଖଣ୍ଡ ନଦୀରୁ ବାଲି ଉଠାଣ ସମୟରେ କ୍ଷୟ ପ୍ରାପ୍ତ ହୋଇ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ଏହି ସ୍ଥାନରୁ ପ୍ରାପ୍ତ ଅନେକ ପୁରାତନ ମୂର୍ତ୍ତି ଆଖପାଖର ମନ୍ଦିରମାନଙ୍କରେ ସ୍ଥାନିତ ହୋଇ ପୂଜିତ ହେଉଛନ୍ତି। ଗ୍ରାମବାସୀମାନେ ଅନୁସନ୍ଧାନକାରୀ ଦଳକୁ ଏହି ସ୍ଥାନରୁ ମିଳୁଥିବା ଅନେକ ଗୁଡିଏ ପୁରୁଣା ପଇସା, ଭଙ୍ଗାପାତ୍ର ଓ ଛୋଟ ଛୋଟ ପୁରୁଣା ଅଳଙ୍କାର ଦେଖେଇଥିଲେ। ମନ୍ଦିରର ପ୍ରକୃତ ଇତିହାସ ଜାଣିବାକୁ ହେଲେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। କିନ୍ତୁ ଏହା ନିଶ୍ଚିତ ଯେ ଭାର୍ଗବୀ ନଦୀର ଗତିପଥ ପରିବର୍ତ୍ତନ ହିଁ ମନ୍ଦିରଟି ଭାଙ୍ଗି ପଡିବାର ମୁଖ୍ୟ କାରଣ।

ଶ୍ରୀ ଧୀର କହିଛନ୍ତି ଯେ, ପୁରାତନ ପ୍ରାଚୀ ଉପତ୍ୟକାର କୀର୍ତ୍ତିରାଜି ପରି ରତ୍ନଚୀରା ନଦୀ ଉପତ୍ୟକାରେ ମଧ୍ୟ ଅଗଣିତ ଐତିହାସିକ କୀର୍ତ୍ତିରାଜି ଅଜଣା-ଅଚିହ୍ନା ତଥା ଅବହେଳିତ ଅବସ୍ଥାରେ ରହିଛନ୍ତି। ପ୍ରାଚୀ ନଦୀ ପରି ରତ୍ନଚିରା ମଧ୍ୟ ଆଜି ଏକ ମୃତପ୍ରାୟ ନଦୀ। ପୁରାଣ ଅନୁସାରେ ଭଗବାନ ଶ୍ରୀରାମ ମାତା ସୀତାଙ୍କ ତୃଷ୍ଣା ନିବାରଣ ପାଇଁ ରତ୍ନଚିରା ନଦୀକୁ ସୃଷ୍ଟି କରିଥିଲେ । ଏହି ନଦୀର ଉଭୟ କୂଳରେ ଅନେକ ପୌରାଣିକ ଲୋକକଥା ଓ କିମ୍ବଦନ୍ତୀ ଆଧାରରେ ଐତିହାସିକ ସ୍ଥାନ ତଥା କୀର୍ତ୍ତିରାଜି ନିର୍ମିତ ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହି ମନ୍ଦିର ସନ୍ନିକଟ ସ୍ଥାନଗୁଡିକର ଉପଯୁକ୍ତ ସର୍ବେକ୍ଷଣ କରିବାକୁ ଶ୍ରୀ ଧିର ଦାବି କରିଛନ୍ତି। ରତ୍ନଚୀରା ନଦୀ ଅବବାହିକାର ସମ୍ପୁର୍ଣ୍ଣ ୬୦କିଲୋମିଟର ବ୍ୟାପି ଅଂଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଆବଶ୍ୟକ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories