ନୂଆଦିଲ୍ଲୀ: ସ୍ଥାନୀୟ ଯନ୍ତର ମନ୍ତର ଠାରେ ‘ଭାରତ ଯୋଡୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ସେଠାରେ ସାମ୍ପ୍ରଦାୟିକ ସ୍ଲୋଗାନ ଦିଆଯିବା ଘଟଣା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ଘଟଣାରେ ପୁଲିସ ପକ୍ଷରୁ ଏତଲା ଦିଆଯାଇଥିବା ଜଣାଯାଇଛି। ଏଥିସହିତ ପୁଲିସ ପକ୍ଷରୁ କୁହାଯାଇଛି ଯେ ରବିବାର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପାଇଁ ଆୟୋଜକମାନଙ୍କୁ ଅନୁମତି ଦିଆଯାଇନଥିଲା।
ଜଣାଯାଇଛି ଯେ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ତଥା ଦିଲ୍ଲୀ ଭାଜପା ଶାଖାର ପୂର୍ବତନ ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ଦେଶରେ ଏକକ ଆଇନ ଲାଗୁ କରିବା ଏବଂ ଦେଶକୁ ଯୋଡିବାକୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିବାବେଳେ କେହି ସାମ୍ପ୍ରଦାୟିକ ସ୍ଲୋଗାନ ଦେଇଥିଲେ। ଏହି ଘଟଣାରେ କନ୍ନଟ ପ୍ଲେସ ଥାନାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମର ଭିଡିଓରୁ ଦେଖିବାକୁ ମିଳିଛି ଯେ ଏହାର ବିରୋଧ କରୁଥିବା କିଛି ବ୍ୟକ୍ତି ସ୍ଲୋଗାନ ଦେବା ସହିତ ଏକ ସମ୍ପ୍ରଦାୟକୁ ଧମକ ଦେଇଥିଲେ। ସେଥିରୁ ଅଭିଯୁକ୍ତମାନଙ୍କୁ ଚିହ୍ନିବା ସହଜ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଇତିମଧ୍ୟରେ ନୂଆଦିଲ୍ଲୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଯନ୍ତର ମନ୍ତରଠାରେ ସମାବେଶ ଆୟୋଜନକୁ ମନା କରିଦିଆଯାଇଥିଲା। କୋଭିଡ କଟକଣା ଦୃଷ୍ଟିରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆୟୋଜକଙ୍କୁ ଜଣାଇବା ଦିଆଯିବା ସହିତ ସମାବେଶ ପାଇଁ ମନା କରାଯାଇଥିଲା। ତେବେ ଅଶ୍ୱିନୀ ଉପାଧ୍ୟାୟ ଏକ କୋଠରୀ ମଧ୍ୟରେ କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିଲେ। ସେଠାରେ ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସର୍ବାଧିକ ୫୦ ଲୋକ ସମବେତ ହେବା ଆଶା କରାଯାଉଥିବାବେଳେ ଅନେକ ଲୋକ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇ ସେଠାକୁ ଆସିôଥଲେ। ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରିଥିଲେ। ତେବେ ସେମାନେ ଫେରିବା ପୂର୍ବରୁ ସାମ୍ପ୍ରଦାୟିକ ସ୍ଲୋଗାନ ଦେଇଥିବା ଜଣାଯାଇଛି।



