ଦେବଗଡ :ସାମୁଦ୍ରିକ ବାତ୍ୟା ‘ୟସ’ ପ୍ରଭାବରେ ଦେବଗଡ ଜିଲାର ବିଭନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଜିଲା ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଠାରୁ ଆଜି ୨ ଦିନ ମଧ୍ୟରେ ‘ୟସ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ଦେବଗଡରେ (ଦେବଗଡ ପୌରାଞ୍ଚଳ ଓ ତିଲେଇବଣୀ ବ୍ଲକକୁ ମିଶାଇ) ୧୩୧ ମିଲିମିଟର, ବାରକୋଟ ବ୍ଲକରେ ୧୧୩.୨ ମିଲିମିଟର ଓ ରିଆମାଳ ବ୍ଲକରେ ୩୧.୨ମିଲିମିଟର ବର୍ଷା ହୋଇଛି। ସେହିପରି ଜୋରରେ ପବନ ବହିବା ଯୋଗୁଁ ଦେବଗଡ ପୌରାଞ୍ଚଳର ବିଭିନ୍ନ ସାହି ଗଳିରେ ଗଛ ଭାଙ୍ଗିପଡବା ସହ ଚାଳ ଛପର ଓ ଆଜବେଷ୍ଟସ ଛାତ ଉଡିଯାଇଛି। ପୌରାଞ୍ଚଳ ୬ ନମ୍ବର ୱାର୍ଡର ବାସନ୍ତୀ ମୁଖି ଓ ୮ ନମ୍ବର ୱାର୍ଡର ରଜନୀ ମୁଣ୍ଡାଙ୍କ ଘର ଭାଙ୍ଗି ଯାଇଛି।
ଅନୁରୂପ ଭାବେ ବାରକୋଟ ବ୍ଲକ ବିଜୟନଗର ଗ୍ରାମ ପଞ୍ଚାୟତ ଘୁରୁଡୁଖମଣ ଗ୍ରାମର ଯୁଧିଷ୍ଠିର ବାଘଙ୍କର ଘର ଓ ଗୁହାଳ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସୂଚନା ପାଇ ବାରକୋଟ ବିଡିଓ ଟୁନୁ ମେହେର ଓ ବଳମ ସର୍କଲର ରାଜସ୍ୱ ନୀରିକ୍ଷକ ସେଠାକୁ ଯାଇ କ୍ଷତିଗ୍ରସ୍ତ ଯୁଧିଷ୍ଠିରଙ୍କ ସହ ଆଲୋଚନା କରିବାସହ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ଏହି ଅବସରରେ ସେମାନେ ଆର୍ଥିକ ସହାୟତା ପାଇଁ ଯୁଧିଷ୍ଠିରଙ୍କୁ ନିର୍ଭର ପ୍ରତିଶୃତି ଦେଇଥିବା ଜଣାପଡିଛି। ଦେବଗଡ ଜିଲାରେ ୟସ ଜନିତ କାହାରି ଜୀବନ ହାନୀ ଘଟିନଥିବା ବେଳେ ଗୃହପାଳିତ ପଶୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇନଥିବା ଜିଲା ଆପାତକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅଳ୍ପ କିଛି ଲୋକଙ୍କର ଘରଦ୍ୱାର କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଲିଥିନ ବିତରଣ କରାଯାଇଥିବା ଜିଲା ଆପାତକାଳୀନ ଅଧିକାରୀ ସୁଶାନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି।



