ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ମହାମାରୀର ସ୍ଥିତି ସୁଧୁରୁନଥିବାବେଳେ ସୋମବାରଦିନ ପୁଣି ୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନଥିବାବେଳେ ଏହା ଜିଲାବାସୀଙ୍କୁ ଚିନ୍ତାରେ ପକାଇଛି। ଗତ ସପ୍ତାହ ମଧ୍ୟରେ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୯୧ ରହିଥିବା ଆଜି ସୋମବାରଦିନ ପୁଣି ୩୨୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତପ୍ରାୟ ୧୦ଦିନ ହେଲା କରୋନା ଆକ୍ରାନ୍ତ ୩୦୦ ପାର ରହୁଥିବା ବେଳେ ଏହା ଜଟିଳପରିସ୍ଥିତି ସୃଷ୍ଟି କରିଛି। ଜିଲରେ ଲଗାତାର ଭାବେ ବିବାହ ଉତ୍ସବଲାଗି ରହିଛି। ବିବାହ ପାଇଁ ୨୫ଜଣକୁ ନେଇ ବିବାହ କାର୍ଯ୍ୟ କରାଯିବ ବୋଲି ସରକାର ଘୋଷଣା କରିଥିବାବେଳେ ଏହାକୁ କେହି ମାନୁ ନାହାନ୍ତି। ଉଭୟ ସହର ଓ ଗ୍ରାମାଞ୍ଚଳରେ ଅଧିକାଂଶ ବିବାହ କାର୍ଯ୍ୟରେ ଶତାଧିକ ପରିବାର ଯୋଗଦେଉଛନ୍ତି। ଏଥିପ୍ରତି କାହାର ଦୃଷ୍ଟି ନାହିଁ। କୋଭିଡ ଗାଇଡ ଲାଇନକୁ ଭାଙ୍ଗୁଥିଲେ ମଧ୍ୟ ପ୍ରଶାସନ ଓ ପୁଲିସ ନୀରବ ରହୁଥିବା ଅଭିଯୋଗ ହୋଇଛି। ଏହାର ସଦ୍ୟ ଉଦାହରଣ ଭାବେ ତେନ୍ତୁଳିଖୁଣ୍ଟିବ୍ଳକ ଅନ୍ତର୍ଗତ କଣ୍ଟାଗାଁର ଏକ ବିବାହ ରେ ଯୋଗଦେଇଥିବା ୫୦ରୁ ଊର୍ଦ୍ଧପରିବାର କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ଏହି ପରିବାର ସଂପର୍କରେ ଆସିଥିବା ଅନ୍ୟ ପରିବାର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ତେଣୁ ବର୍ତ୍ତମାନ ପରିପେକ୍ଷୀରେ ଅତିକମରେ ଦୁଇମାସ ପର୍ଯ୍ୟନ୍ତ ସମସ୍ତ ବିବାହ ଓ ଅନ୍ୟାନ୍ୟ ସମସ୍ତ ଉତ୍ସବକୁ ବନ୍ଦ କରାଯିବାର ଜରୁରୀ ଦେଖାଦେଇଛି। ନବରଙ୍ଗପୁର ଜିଲାରେ ଦୈନିକ ସଂକମ୍ରଣ ସଂଖ୍ୟା ୩୦୦ରୁ କମୁନଥିବା ବେଳେ ଆଜି ସୋମବାର ପୁଣି ୩୨୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସାପ୍ତାହନ୍ତ ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିଥିବାବେଳେ ଆଜି ପୁଣି ସୋମବାରଦିନ ସକା ୭ରୁ ୧୧ଟା ପର୍ଯ୍ୟନ୍ତ ଦୈନିକ ବଜାର ଓ ବିଭିନ୍ନ ଦୋକାନ ଖୋଲାରହିଥିଲା। ଏହି ବଜାର ରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଥିିଲା। ଲୋକମାନେ ସମାଜିକଦୂରତାକୁ ଭୁଲିଯାଇଥିଲେ।
ନବରଙ୍ଗପୁର ଜିଲାରେମୋଟ ୨୭୧୨୪୫ ଜଣଙ୍କର କୋଭିଡ ନମୁନାପରୀକ୍ଷା କରାଯାଇଛି। ମୋଟ ୧୮୧୫୦ ଜଣ କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ସେଥିମଧ୍ୟରୁ ୧୪୬୭୯ଜଣ ସୁସ୍ଥ ହୋଇଛନ୍ତି। ଏବେ ମୋଟ ୩୩୩୭ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ ୩୦୬୩ ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟ ୨୭୪ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୋଟିଏଦିନ ୧୭୮୬ ଜଣଙ୍କର ନମୁନା ପରୀକ୍ଷାରୁ ସୋମବାରଦିନ ଜିଲାରେ ମୋଟ ୩୨୨ଜଣ ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନର ତଥ୍ୟରୁ ଜଣାଯାଇଛି। ଆଜି ଉମରକୋଟ ବ୍ଲକରେ ସର୍ବାଧିକ ୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ଚନ୍ଦାହାଣ୍ଡିବ୍ଳକରେ ୧୫ ଜଣ, ରାଇଘରବ୍ଳକରେ ୨୫ ଜଣ, ଝରିଗାଁବ୍ଳକରେ ୪୭ଜଣ, ଉମରକୋଟ ପୈାରାଞ୍ଚଳରେ ୨୪ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୪୪ଜଣ, ନବରଙ୍ଗପୁରବ୍ଳକରେ ୬ଜଣ, ଡାବୁଗାଁବ୍ଲକରେ ୫ଜଣ, ପାପଡାହାଣ୍ଡିବ୍ଳକରେ ୧୫ଜଣ, କୋଷାଗୁମୁଡାବ୍ଳକରେ ୨୩ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୨୧ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡିବ୍ଳକରେ ୩୪ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ କୋଭିଡ ନିୟମାବଳୀକୁ କଡାକଡି ପାଳନ ନକରିବା ଯାଏଁ ଜିଲାରେ କରୋନା ଆକ୍ରାନ୍ତ କମିବାର ସମ୍ଭାବନା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି।



