ନୂଆଦିଲ୍ଲୀ: ଚଳିତମାସ ୨୯ରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସ୍ୱତନ୍ତ୍ର ସାଧାରଣ ବୈଠକ (ଏସ୍ଜିଏମ୍) ଅନୁଷ୍ଠିତ ହେବ। ଏଥିରେ ୨ଟି ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହେବ। ପ୍ରଥମଟି ହେଉଛି ଟ୍ୱେଣ୍ଟି୨୦ ବିଶ୍ୱକପ୍ ଓ ଅନ୍ୟଟି ହେଉଛି ୨୦୨୧ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍କୁ ଭାରତରେ ଆୟୋଜନ ପାଇଁ ବିସିସିଆଇ ଦୃଢ଼ନିଶ୍ଚିତ। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଟ୍ୱେଣ୍ଟି୨୦ ବିଶ୍ୱକପ୍ ଆୟୋଜନ ପାଇଁ ଉପଯୁକ୍ତ ସ୍ଥାନ ବୋଲି କେହିକେହି କହୁଥିବା ବେଳେ ବିସିସିଆଇ କୌଣସି ମତେ ଏହାକୁ ବିଦେଶକୁ ଯିବାକୁ ଦେବନାହିଁ। ତେବେ ୟୁଏଇ ଟ୍ୱେଣ୍ଟି୨୦ ବିଶ୍ୱକପ୍ ପାଇଁ ୨ୟ ବିକଳ୍ପ ଭାବେ ରହିବ। ତେବେ ଜୁଲାଇରେ ଭାରତ ୟୁଏଇ କଥା ଚିନ୍ତାକରିବ। ସେତେବେଳେ ଭାରତରେ କୋଭିଡ୍ ସଂକ୍ରମଣର ସ୍ଥିତି କିପରି ଅଛି; ତାହା ଉପରେ ଟ୍ୱେଣ୍ଟି୨୦ ବିଶ୍ୱକପ୍ର ଆୟୋଜନ ନିର୍ଭରକରେ।
ବିସିସିଆଇ ମଧ୍ୟସ୍ଥ ଜଣେ ସୂତ୍ର କହିଛନ୍ତି, ବର୍ତ୍ତମାନ ପାଇଁ ଭାରତ ଟ୍ୱେଣ୍ଟି୨୦ ବିଶ୍ୱକପ୍ର ଆୟୋଜକ। ବୋର୍ଡ ଏହାକୁ ମନରେ ରଖି ଯୋଜନା କରୁଛି। ଯଦି ପରିସ୍ଥିତି ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯାଏ; ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ପର୍କରେ ଜୁନ୍ ପରେ ନିଷ୍ପତ୍ତି ନିଆଯିବ। ଏହା ସତ ଯେ ୟୁଏଇ ହେଉଛି ୨ୟ ବିକଳ୍ପ। କରୋନା ସଂକ୍ରମଣକୁ ଆଖିରେ ରଖି ବିସିସିଆଇ ଟି୨୦ ବିଶ୍ୱକପ୍ର ଲିଗ୍ ଓ ନକ୍ଆଉଟ ମ୍ୟାଚ୍ସବୁ ମାତ୍ର ୨ଟି ସହର ମୁମ୍ବଇରେ ଖେଳା ଯାଇପାରେ। ପୁଣି ସେମିଫାଇନାଲ ଓ ଫାଇନାଲ ଅହମ୍ମଦାବାଦରେ ଖେଳା ଯାଇପାରେ। କରୋନା ସଂକ୍ରମଣ ଯୋଗୁଁ ମେ’ ୪ରୁ ସ୍ଥଗିତ ରହିଥିବା ୨୦୨୧ ଆଇପିଏଲ୍ର ମ୍ୟାଚ୍ସବୁର ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ମଧ୍ୟ ଏସ୍ଜିଏମ୍ରେ ବିଚାର କରାଯିବ। ୨୯ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକିଅଛି। ଭାରତରେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ବିସିସିଆଇ ଘୋଷଣା କରିଛି। ତେଣୁ ଏଥିପାଇଁ ବିସିସିଆଇର ପ୍ରଥମ ପସନ୍ଦ ହେଉଛି ଇଂଲଣ୍ଡ। ଇଂଲିଶ୍ କାଉଣ୍ଟିମାନେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ସେମାନଙ୍କ ଆଡ଼ୁ ପ୍ରସ୍ତାବ ଦେଇଥିବା ବେଳେ ଏହା ପରେ ଇଂଲଣ୍ଡ ଏଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡର ସମର୍ଥନ ରହିଛି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଇଂଲଣ୍ଡରେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ଯୋଜନାକୁ ଟିଭି ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍ ସ୍ପୋର୍ଟସ ମଧ୍ୟ ସମର୍ଥନ ଜଣାଇଛି।
ତେବେ ଇଂଲଣ୍ଡରେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କଲେ ବିସିସିଆଇକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଭାରତ ତୁଳନାରେ ଇଂଲଣ୍ଡ ଏକ ମହଙ୍ଗା ଦେଶ। ଫ୍ରାଞ୍ଚାଇଜିଙ୍କୁ ମଧ୍ୟ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ତେଣୁ ଫ୍ରାଞ୍ଚାଇଜିମାନେ ରାଜିନହେଲେ ୟୁଏଇରେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବା କଥା ବିସିସିଆଇ ବିଚାର କରିପାରେ। ଏପରିକି ଶ୍ରୀଲଙ୍କାରେ ମଧ୍ୟ ଆଇପିଏଲ୍ର ୨ୟ ଚରଣ ଆୟୋଜନ କରିବା କଥା ବିସିସିଆଇ ମନରେ ରହିଛି। ହେଲେ ବର୍ତ୍ତମାନ ବିସିସିଆଇ ତାଲିକା ଶୀର୍ଷରେ ରହିଛି ଇଂଲଣ୍ଡ। ଯେପରି ହେଲେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ବିସିସିଆଇ ଅଣ୍ଟା ଭିଡ଼ିଛି। କାରଣ ଆଇପିଏଲ୍ର ଚଳିତ ସଂସ୍କରଣ ବାତିଲହେଲେ ବିସିସିଆଇ ୨୨୦୦ କୋଟିରୁ ୨୫୦୦ କୋଟି ଟଙ୍କାର କ୍ଷତି ସହିବ।



