ଆରଡି:ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଗତ ଗୁରୁବାର ଜଣେ ସେବାୟତଙ୍କର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିରକୁ ୨ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ଏବଂ ସହ ଆଗନ୍ତୁକ ଭକ୍ତଙ୍କ ପାଇଁ ଦର୍ଶନ ଉପରେ ରୋକ ଲଗାଯାଇଛି। ଏପରିକି ବାବାଙ୍କର ଦୈନନ୍ଦିନ ନୀତିକାନ୍ତି କେବଳ ପାଳିଆ ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନଟକା ଜାରି ହୋଇଛି। ଏହାସହ ମନ୍ଦିରର ସମସ୍ତ ସେବାୟତ ଓ ସେବାକାରୀଙ୍କର କୋଭିଡ ପରିକ୍ଷା ନିମନ୍ତେ ଜିଲା ଚିକିତ୍ସା ଅଧିକାରୀଙ୍କୁ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ନିର୍ଦେଶ ଦେଇଥିଲେ।
ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ଅସ୍ଥାୟୀ ଶିବିର କରାଯାଇ ସେଠାରେ ସେବାୟତମାନଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ପ୍ରଥମଦିନରେ ୯୨ଜଣ ସେବାୟତଙ୍କର ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।



