www.samajalive.in
Sunday, December 7, 2025
18.1 C
Bhubaneswar

ଅଜିତ ମଙ୍ଗରାଜଙ୍କ ପରଲୋକ : ପିପିଲି ନିର୍ବାଚନମଣ୍ଡଳୀରେ ଶୋକର ଛାୟା

ପିପିଲି : ପିପିଲି ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ୫୨ ବର୍ଷ ବୟସରେ ବୁଧବାର ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ଉପନିର୍ବାଚନକୁ ଆଉ ମାତ୍ର ୩ଦିନ ବାକି ରହିଥିବା ବେଳେ ଶ୍ରୀମଙ୍ଗରାଜଙ୍କ ପରଲୋକ ଘଟଣା ସମଗ୍ର ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳାଇ ଦେଇଛି।
ଗତ ୭ ତାରିଖ ଦିନ ସେ ଡେଲାଙ୍ଗରେ ନିର୍ବାଚନ ପ୍ରଚାର ପାଇଁ ବାହାରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ରାତିରେ ସେ ଭୁବନେଶ୍ୱରରେ ପୁନର୍ବାର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଜର ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ବିଶ୍ରାମ ନେଇଥିଲେ। ତେବେ ପୁନର୍ବାର ଅସୁସ୍ଥ ହୋଇ ପଡ଼ିବାରୁ ୮ତାରିଖ ସକାଳୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ରକ୍ତଚାପ ଓ ସୁଗାର ଲେବୁଲ ବଢ଼ିିଯାଇଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୧୨ ତାରିଖ ସକାଳେ ଅବସ୍ଥା ଗୁରୁତର ହୋଇଥିଲା ଓ ଧିରେ ଧିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ସେହିଦିନ ତାଙ୍କ ଭାଇଙ୍କ ସହ ଫୋନରେ କଥା ହୋଇ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଜିତଙ୍କ ସ୍ୱାସ୍ଥ୍ୟ କିପରି ଅଛି ସେନେଇ ବୁଝିବା ସହ ତାଙ୍କ ଦୃତ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ, ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିବା ଘୋଷଣା ହୋଇଥିଲା।

- Advertisement -

ସ୍ୱର୍ଗତ ମଙ୍ଗରାଜ ପେଷାରେ ଜଣେ ରିଏଲ୍‍ ଇଷ୍ଟେଟ୍‍ ବ୍ୟବସାୟୀ ହୋଇଥିବା ବେଳେ ଜଣେ ସମାଜସେବୀ ଭାବେ ବେଶ୍‍ ପରିଚିତ ଥିଲେ। ସେ ପିପିଲି ଓ ଡେଲାଙ୍ଗର ବିଭିନ୍ନ ଯୁବ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ଗତ ୨୦୦୪ ମସିହା ଠାରୁ ସେ କଂଗ୍ରେସ ଦଳ ସହ ଜଡିତ ଥିଲେ। କିନ୍ତୁ ଦଳରୁ ଟିକେଟ୍‍ ନପାଇବାରୁ ୨୦୦୯ ମସିହାରେ ସେ ଏହି ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ୨୦୧୯ ମସିହାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ସେ ନିର୍ବାଚନ ଲଢିଥିଲେ। ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଦାୟିତ୍ୱରେ ଥିବା ଶ୍ରୀମଙ୍ଗରାଜ ଗତ ୫ମାସ କାଳ ପିପିଲି-ଡେଲାଙ୍ଗ ବ୍ଲକରେ ଦଳର ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବା କାମରେ ଲାଗିଥିଲେ।
ଏହି ଦୁଃଖଦ ଘଟଣା କେବଳ ପିପିଲି-ଡେଲାଙ୍ଗ ବାସୀ ନୁହନ୍ତି ବରଂ ଏହା ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ମଙ୍ଗରାଜଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ପିସିସି କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ପ୍ରମୂଖ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଅଜିତ ମଙ୍ଗରାଜଙ୍କ ପରଲୋକ ଖବର ପାଇବା ପରେ ସମଗ୍ର ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳିଯାଇଥିଲା। ନିର୍ବାଚନ ପ୍ରଚାର ସରିବାକୁ ଆଉମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଜି ସମଗ୍ର ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ସାଙ୍ଗକୁ ଦଳୀୟ ମିଶ୍ରଣ ପର୍ବ ଚାଲିଥିଲା। ଏହି ଦୁଃଖଦ ଖବର ପହଞ୍ଚିବା ପରେ ଅପରାହ୍ନରେ ସମସ୍ତ ଦଳ ନିଜ ନିଜର ପ୍ରଚାର କାର୍ଯ୍ୟକ୍ରମ ଓ ସମାବେଶକୁ ବାତିଲ କରିଦେଇଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କର ପିପିଲି ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଯାଇଥିଲା। କଂଗ୍ରେସ ଦଳର ସମସ୍ତ ନିର୍ବାଚନୀ କାର୍ଯ୍ୟାଳୟ ଠାରେ କର୍ମୀ ଓ ସମର୍ଥକଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories