www.samajalive.in
Sunday, December 7, 2025
26.1 C
Bhubaneswar

ଚମକିଲେ କିଷନ୍ ଓ କୋହଲି ; ଭାରତର ସହଜ ବିଜୟ

ଅହମ୍ମଦାବାଦ : ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ୍‌ରେ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ଦଳ। ଇଶାନ୍ କିଷନ୍ ଓ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ରବିବାର ୨ୟ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ସହଜରେ ୭ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ସ୍ଥିତିରେ ପହଞ୍ଚିଯାଇଛି। ଜେସନ୍ ରୟଙ୍କ ୪୬ ରନ୍ ଓ କିଛି ଉପଯୋଗୀ ଇନିଂସ ବଳରେ ଇଂଲଣ୍ଡ ୬ ୱିକେଟ ହରାଇ ୧୬୪ ରନ୍ କରି ପାରିଥିଲା। ପରେ ଈଶାନ୍ କିଷନ୍ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୧୭.୫ ଓଭରରେ ୩ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ମଙ୍ଗଳବାର ୩ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ।
ଭାରତ ବିପର୍ଯ୍ୟୟ ସହ ୧୬୫ ରନ୍‌ର ପିଛା ଆରମ୍ଭ କରିଥିଲା। ସାମ୍ କରନ୍ ବୋଲିଂ କରିଥିବା ପ୍ରଥମ ଓଭର ମେଡେନ୍ ଥିବା ବେଳେ କେ.ଏଲ୍‌. ରାହୁଲ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ହେଲେ ଜୀବନର ପ୍ରଥମ ଦିନିକିଆ ଖେଳୁଥିବା ଇଶାନ୍ କିଷନ୍ ଓ ଅଧିନାୟକ ବିରାଟ କୋହଲି ଚମତ୍କାର ସଟ୍‌ ଖେଳି ସ୍କୋର୍‌କୁ ଆଗେଇ ନେଇଥିଲେ। ଏହି ଭାଗିଦାରୀରେ ବିରାଟ କୋହଲିଙ୍କ ଏକ କଷ୍ଟସାଧ୍ୟ କ୍ୟାଚ୍ ୱିକେଟ ରକ୍ଷକ ବଟ୍‌ଲର ଛାଡ଼ିଥିବା ବେଳେ ୪୦ ରନ୍‌ କରିଥିବା ବେଳେ କିଷନ୍‌ଙ୍କ ସହଜ କ୍ୟାଚ୍ ବେନ୍‌ ଷ୍ଟୋକ୍‌ସ ଛାଡ଼ିଥିଲେ। ଏହାର ସୁଯୋଗ ନେଇ ୩ୟ ୱିକେଟ ପାଇଁ କିଷନ୍ ଓ କୋହଲି ୯ ଓଭରରେ ୯୪ ରନ୍ ଯୋଗ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ଝାଡ଼ଖଣ୍ଡର ଇଶାନ୍ କିଷନ୍ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ। ବାମହାତି କିଷନ୍ ବିସ୍ଫୋରକ ବ୍ୟାଟିଂକରି ୩୨ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୫୬ ରନ୍‌ କରିଥିଲେ। ପରେ ଋଷଭ ପନ୍ତ୍‌ ଆସି କିଛି ଆକ୍ରମଣାତ୍ମକ ଷ୍ଟ୍ରୋକ୍ ଖେଳିଥିଲେ। ଜୀବନର ଶ୍ରେଷ୍ଠ ଫର୍ମରେ ଥିବା ପନ୍ତ୍ ସଂକ୍ଷିପ୍ତ ବିସ୍ଫୋରକ ଇନିଂସ ଖେଳି ୧୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌ କରିଥିଲେ। କୋହଲି ଶେଷ ପର୍ଯ୍ୟନ୍ତ ରହି ଦଳକୁ ଜିତାଇଥିଲେ। କୋହଲି ୪୯ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୭୩ ରନ୍‌ରେ ଅପରାଜିତ ଥିଲେ। ଶ୍ରେୟାସ ଆୟର ୮ ରନ୍‌କରି ଅପରାଜିତ ଥିଲେ।

ଜଣେ ଅତିରିକ୍ତ ବ୍ୟାଟ୍‌ସମ୍ୟାନଙ୍କୁ ନେଇ ଖେଳିଥିବା ଭାରତ ଟସ୍ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଓଭରରେ ବିନା ସ୍କୋର୍‌ରେ ଜୋସ୍ ବଟ୍‌ଲର ଆଉଟ ହୋଇଥିଲେ। ଓପ୍‌ନର ଜେସନ୍ ରୟ ଓ ଡାୱିଡ୍‌ ମାଲାନ୍ ୨ୟ ୱିକେଟ ପାଇଁ ୮ ଓଭରରେ ୬୩ ରନ୍‌ ଯୋଡ଼ିଥିଲେ। ବାମହାତି ମାଲାନ୍ ୨୩ ବଲ୍‌ରୁ ୪ଟି ଚୌକା ସହ ୨୪ ରନ୍‌କରି ଆଉଟ ହୋଇଥିଲେ। ଇଂଲଣ୍ଡର ଏକାଧିକ ବ୍ୟାଟ୍‌ସମ୍ୟାନ୍ ସେଟ୍‌ ହୋଇଥିଲେ ହେଁ ବେଶି ସମୟ କ୍ରିଜ୍‌ରେ ରହି ନ ପାରିବାରୁ ଇଂଲଣ୍ଡ ବଡ଼ ସ୍କୋର୍ କରି ପାରିନଥିଲା। ୧୧ ଓଭରରେ ସ୍କୋର୍ ୯୧ ରନ୍‌ରେ ପହଞ୍ଚିବା ପରେ ଚମତ୍କାର ବ୍ୟାଟିଂ କରୁଥିବା ଜେସନ୍ ରୟ ଆଉଟ ହୋଇଥିଲେ। ରୟ ୩୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୬ ରନ୍ କରିଥିଲେ। ଜନି ବେୟାରଷ୍ଟୋ ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଇଓନ୍ ମୋର୍ଗାନ୍ ଅଳ୍ପ ସମୟ କ୍ରିଜ୍‌ରେ ରହିଥିଲେ ହେଁ କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ। ବାମହାତି ମୋର୍ଗାନ୍ ୨୦ ବଲ୍‌ରୁ ୪ଟି ଚୌକା ସହ ୨୪ ରନ୍ କରିଥିଲେ। ବେନ୍‌ ଷ୍ଟୋକ୍‌ସ ଶେଷଆଡ଼କୁ ଦ୍ରୁତ ଗତିରେ ରନ୍ ସ୍କୋର୍‌ କରି ପାରିନଥିଲେ। ବାମହାତି ଷ୍ଟୋକ୍‌ସ ୨୧ ବଲ୍‌ରୁ ଗୋଟିଏ ଚୌକା ସହ ୨୪ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ଓ ସାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ପାଇଥିଲେ। ଇଂଲଣ୍ଡ ଶେଷ ୫ ଓଭରରୁ ମାତ୍ର ୩୫ ରନ୍ କରି ପାରିଥିଲା।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories