www.samajalive.in
Sunday, December 7, 2025
26.1 C
Bhubaneswar

ଦାରୁବ୍ରହ୍ମଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରେ ଶନିବାର ମାଘପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମଙ୍କୁ ଗଜ ଉଦ୍ଧାରଣ ବେଶ କରାଯାଇଛି। ମହାପ୍ରଭୁଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରି ବିଭୋର ହୋଇଛନ୍ତି ଭକ୍ତ। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ପରମ୍ପରା ଅନୁଯାୟୀ ମଧ୍ୟାହ୍ନଧୂପ ଏବଂ ମଇଲମ ପରେ ପାଳିଆ ସେବକ ଶ୍ରୀଜୀଉଙ୍କୁ ବେଶ କରିଥିଲେ। ସୋଲ, ଜରି, ଜମ୍ବୁରା, କନା ଓ କଇଁଥ ଅଠାରେ ନିର୍ମିତ ବେଶପଟ୍ଟି ପ୍ରଭୁଙ୍କୁ ଲାଗି କରାଯାଇଥିଲା। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ କିରିଟ, ଚୂଳ, ଶ୍ରୀପୟର, ଶ୍ରୀଭୁଜ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ଅଳକା, କର୍ଣ୍ଣକୁଣ୍ଡଳ, ଅଣ୍ଟାପଟି, ପା ପଦ୍ମ, ହାତଫେର, ନାକୁଆସୀ, ସୂର୍ଯ୍ୟଚନ୍ଦ୍ର, କାନୋଟିଆ, ପଦ୍ମକଢି, ମାଳ ଏବଂ ଫେର ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର ଓ ଗଦାପଦ୍ମ ଧାରଣ କରିବା ସହ ଗରୁଡ ଉପରେ ବସିବା ଭଙ୍ଗିରେ ରହିଥିଲେ। ତାଙ୍କ କୋଳରେ ଲକ୍ଷ୍ମୀପ୍ରତିମା ବିଜେ କରିଥିଲେ।
ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର ଓ ହଳମୂଷଳ ଧାରଣ କରିବା ସହ ବାସୁଦେବ ରୂପରେ ବିରାଜମାନ ହୋଇଥିଲେ। ଦେବୀ ସୁଭଦ୍ରା କୃଷ୍ଣଙ୍କ ପରି ପାଦଛନ୍ଦି ପଦ୍ମକଢି ଧାରଣ କରିଥିଲେ। ଦୁଇଟି ହସ୍ତୀ ଶୁଣ୍ଢରେ ପଦ୍ମକଢି ଧରି ଦଣ୍ଡାୟମାନ ହୋଇଥିଲେ। ହସ୍ତୀକୁ ଆକ୍ରମଣ ଭଙ୍ଗିରେ କୁମ୍ଭୀର ମୂର୍ତ୍ତି ରହିଥିଲା। ବେଶ ଶେଷହେବା ପରେ ପ୍ରଭୁଙ୍କୁ ଖିରି ଓ ଅମାଲୁ ଭୋଗ କରାଯାଇଥିଲା। ସନ୍ଧ୍ୟାଧୂପ ଶେଷହେବା ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିଥିଲେ। ପୌରାଣିକ ତଥ୍ୟ ଅନୁଯାୟୀ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ ଗୋଟିଏ କୁମ୍ଭୀର ଆକ୍ରମଣ କରିଥିଲା। ସେଥିରେ ଗଜରାଜ କ୍ଷତବିକ୍ଷତ ହୋଇଥିଲେ। ଉଦ୍ଧାର ପାଇଁ ସେ ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ମହାପ୍ରଭୁ ଗଜରାଜଙ୍କୁ ଏହି ବିପତ୍ତିରୁ ଉଦ୍ଧାର କରିଥିଲେ। ଭୌମ ବଂଶର ରାଣୀ ବକୁଳ ମହାଦେବୀ ପ୍ରଥମେ ଏହି ବେଶ ଶ୍ରୀମନ୍ଦିରରେ ଆରମ୍ଭ କରିଥିବା କୁହାଯାଉଛି। କୁଶଳୀ କାରିଗରଙ୍କ ଦ୍ବାରା ଗଜ ଉ​‌ଦ୍ଧାରଣ ବେଶ ଉପକରଣ ପ୍ରସ୍ତୁତ କରାଯାଇଥିଲା। ୧୯୭୯ ମସିହାଠାରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟେକବର୍ଷ ପ୍ରଭୁଙ୍କୁ ଗଜ ଉଦ୍ଧାରଣ ବେଶ କରିଆସୁଛି। ଗଜ ଉଦ୍ଧାରଣ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଗଜେନ୍ଦ୍ର ସ୍ତୁତି ପାଠକଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories