www.samajalive.in
Sunday, December 7, 2025
26.1 C
Bhubaneswar

ବିବନ ବିଶ୍ଵାଳକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ: ପୀଡ଼ିତା

ଭୁବନେଶ୍ଵର: ଓଡ଼ିଶାର ବହୁ ଚର୍ଚ୍ଚିତ ୧୯୯୯ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଘଟଣାର ୨୨ ବର୍ଷ ପରେ ବିବନକୁ କମିଶନରେଟ ପୁଲିସ ମୁମ୍ବଇରୁ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୀଡ଼ିତା।

ପୀଡ଼ିତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୁକ୍ତକୁ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ, ନଚେତ ତା’କୁ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍‌ରେ ରଖାଯାଉ। ପୀଡ଼ିତା କହିଛନ୍ତି, ସେ ଏବେ କିଛିଟା ଆଶ୍ଵସ୍ତ ଅନୁଭବ କରୁଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାରୁ ସେ ଖୁସି ଅଛନ୍ତି। ଏହା ସହିତ ସେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ପୀଡ଼ିତା ଏବଂ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ୧୯୯୯ ଜାନୁୟାରୀ ୯ରେ କାର୍‌ରେ ଯାଉଥିବାବେଳେ ବାରଙ୍ଗ ନିକଟରେ ଏକ ସୁନସାନ୍‌ ଜାଗାରେ ତାଙ୍କୁ ଅଟକା ଯାଇଥିଲା। ଅଭିଯୁକ୍ତମାନେ ତାଙ୍କୁ ବନ୍ଧୁଙ୍କ ସାମ୍ନାରେ ଗଣବଳାତ୍କାର କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ୧୯୯୯ ଜାନୁୟାରୀ ୨୬ରେ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ପୀଡ଼ିତା ଜଣେ ଭାରତୀୟ ବନ ସେବା ଅଧିକାରୀଙ୍କ ପତ୍ନୀ ଥିଲେ। ତେବେ ଏହି ଜଘନ୍ୟ ଅପରାଧ ପଛରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ତଥା ପୂର୍ବତନ ଆଡ୍‌ଭୋକେଟ୍‌ ଜେନେରାଲ ଇନ୍ଦ୍ରଜିତ ରାଏଙ୍କ ହାତ ଥିବା ନେଇ ପୀଡ଼ିତା ଅଭିଯୋଗ କରିବା ପରେ ରାଜ୍ୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ଏହି ଘଟଣା ପାଇଁ ରାଜ୍ୟରେ ଶାସକ କଂଗ୍ରେସ ପାର୍ଟିର ଛବି ଖରାପ ହୋଇଯାଇଥିଲା। ଦଳୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଫଳରେ ଜାନକୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଗିରିଧର ଗମାଙ୍ଗଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଜାନକୀ ୧୯୮୦ରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୯୮୯ ପର୍ଯ୍ୟନ୍ତ ସେ ୨ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୯୫ରେ ସେ ୩ୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଏହି ଗଣବଳାତ୍କାର ଘଟଣା ଏବଂ ଗ୍ରାହମ ଷ୍ଟେନ୍‌ସ ହତ୍ୟା ମାମଲାକୁ ନେଇ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବା ଯୋଗୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ୨୦୧୫ ଏପ୍ରିଲ ୨୧ରେ ଜାନକୀଙ୍କ ପରଲୋକ ଘଟିଥିଲା।

ହାଇକୋର୍ଟ ୧୯୯୯ ଫେବୃୟାରୀ ୨୬ରେ ହାଇକୋର୍ଟ ଏହି ମାମଲାର ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ। ୧୯୯୯ ମେ ୫ରେ ସିବିଆଇ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିଲା। ଦୀର୍ଘ ସମୟ ଲଢ଼େଇ ପରେ ପୀଡ଼ିତାଙ୍କ ସପକ୍ଷରେ ମାମଲା ଯାଇଥିଲା। ୨୦୦୨ ଏପ୍ରିଲ ୨୯ରେ ଖୋର୍ଦ୍ଧା ଜିଲା ଜଜ୍‌କୋର୍ଟ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨  ଅଭିଯୁକ୍ତ ପ୍ରଦୀପ ସାହୁ ଏବଂ ଧୀରେନ୍ଦ୍ର ମହାନ୍ତିଙ୍କୁ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଥିଲେ। କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳ ସେବେଠାରୁ ଫେରାର ଥିଲେ।

ବିବନ ମୁମ୍ବଇର ଲୋନାୱାଲାସ୍ଥିତ ଆମ୍ବିଘାଟି ଅଞ୍ଚଳରେ ପରିଚୟ ବଦଳାଇ ରହୁଥିଲା। ସେ ଜଳନ୍ଧର ସ୍ବାଇଁ ନାମରେ ସେଠାରେ ରହୁଥିଲା। କମିଶନରେଟ ପୁଲିସ ଆମ୍ବିଘାଟିରୁ ତା’କୁ ଗିରଫ କରିଛି। ସିବିଆଇ ମଧ୍ୟ ତା’କୁ ଖୋଜୁଥିଲା।

ତେବେ ଏହି ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କ ଗିରଫଦାରି ଏବଂ କଠୋର ଦଣ୍ଡ ଦାବି କରି ଆନ୍ଦୋଳନ ଚଳାଇଥିବା ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟ ତଥା ଆଡ୍‌ଭୋକେଟ୍‌ ନମ୍ରତା ଚଢ଼ା ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ଆନ୍ଦୋଳନର ବିଜୟ ବୋଲି କହିଛନ୍ତି। ବଳାତ୍କାରୀ ପୀଡ଼ିତାମାନଙ୍କୁ କେବେ ନ୍ୟାୟ ମିଳିପାରେ ନାହିଁ, କିନ୍ତୁ ଗିରଫଦାରିରୁ କିଛିଟା ସନ୍ତୁଷ୍ଟ ମିଳିଥାଏ ବୋଲି ସେ କହିଛନ୍ତି। ସେ ବି ପୁଲିସ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

୩ମାସ ତଳେ ଆରମ୍ଭ ହୋଇଥିଲା ଅପରେସନ

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ବିବନ ବିଶ୍ଵାଳକୁ ଗିରଫ କରିବା ଲାଗି ୩ମାସ ପୂର୍ବରୁ ଅପରେଶନ ଆରମ୍ଭ କରାଯାଇଥିଲା। ତା’କୁ ମୁମ୍ବଇର ଲୋନାୱାଲା ଆମ୍ବିଘାଟିରୁ ଗିରଫ କରାଯାଇଛି। ସେ ନାମ ବଦଳାଇ ସେଠାରେ ରହୁଥିଲା। ଓଡ଼ିଶା ଏବଂ ମହାରାଷ୍ଟ୍ର ପୁଲିସ ମିଳିତ ଭାବେ ଏହି ଅପରେଶନ ଚଳାଇଥିଲା ବୋଲି ଷଡ଼ଙ୍ଗୀ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories