www.samajalive.in
Tuesday, December 9, 2025
16.1 C
Bhubaneswar

ପାଠ ନ ପଢ଼ି ପାଠୋଇ: ଭକ୍ତିରସର ଅନନ୍ୟ ପ୍ରତିଭା ପୂର୍ଣ୍ଣମାସୀ ଜାନୀ, ମିଳିଲା ପଦ୍ମଶ୍ରୀ ଉପାଧି

ଫୁଲବାଣୀ:କନ୍ଧମାଳ ଜିଲାର ଅନ୍ୟତମ ପରିଚିତ ନାମ ତଥା ଆଧ୍ୟାତ୍ମିକ କବୟତ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ମଳିଛି ପଦ୍ମଶ୍ରୀ ଉପାଧି। ଏ ଖବର ପ୍ରସାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲାରେ ଖୁସିର ଲହରି ଖେଳିଯାଇଛି। ଖଜୁରୀପଡା ବ୍ଲକ ଅନ୍ତର୍ଗତ ଚାରିପଡା ନିବାସୀ ପୂର୍ଣ୍ଣମାସୀ ତାଡିସରୁ ବାଈ ଭାବେ ସାଧାରଣରେ ପରିଚିତ। ସେ କନ୍ଧମାଳ ଜିଲାର ଆଧ୍ୟାତ୍ମିକ ଜଗତର ଏକ ଅତି ପରିଚିତ ନାମ। ଦିନେ ବି ବିଦ୍ୟାଲୟ ଯାଇ ନ ଥିବା ତଥା ଭାଷା ସାହିତ୍ୟର ଅ ରୁ କ୍ଷ ଜାଣିନଥିବା ତାଡିସରୁ ବାଈଙ୍କ କଣ୍ଠ ନିଶ୍ରୁତ ଅନର୍ଗଳ ଅସଂଖ୍ୟ ଭକ୍ତି ସଂଗୀତ କେବଳ କନ୍ଦମାଳ ଜିଲା ନୁହେଁ; ବରଂ ଓଡିଶା ସାରା ସମସ୍ତଙ୍କୁ ଚମତ୍କୃତ କରି ଆସିଛି।
କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡାଠାରେ ନୀଲକଣ୍ଠ ଜାନୀ ଓ ରାଣିମତାଙ୍କ ଔରସରୁ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ ପୂର୍ଣ୍ଣମାସୀ। ଖୁବ କମ ବୟସରେ ସେ ବିବାହ କରିଥିଲେ ଚାରିପଡାର ଆରାଧନା ଜାନିଙ୍କୁ। କିନ୍ତୁ ସେମାନଙ୍କ ଗର୍ଭରୁ ଜନ୍ମିତ ୬ଟି ସନ୍ତାନ କ୍ରମାଗତ ଭାବେ ଖୁବ କମ ବୟସରୁ ମୃତ୍ୟୁବରରଣ କରିଥିଲେ। ଏହି ଘଟଣା ଉଭୟଙ୍କୁ ଗଭୀର ଦୁଃଖ ଦେବା ସହ ଧୀରେ ଧୀରେ ଆଧ୍ୟାତ୍ମିକତା ଆଡକୁ ଟାଣି ନେଇଥିଲା। କୁହାଯାଏ ୧୯୬୯ ମସିହାରେ କିଛି ମୁନୀ ଋଷି ସଶରୀରେ ଆବିର୍ଭାବ ହୋଇ ତାଙ୍କୁ ନିକଟସ୍ଥ ତାଡିସରୁ ନାମକ ପର୍ବତକୁ ନେଇଯାଇଥିଲେ ଏବଂ ସିଦ୍ଧି ପ୍ରଦାନ କରିଥିଲେ। ଏହାପରେ ସେ ଘର ଛାଡି ତାଡିସରୁ ପର୍ବତରେ ତପସ୍ୟାରତ ହୋଇଥିଲେ।


ଏହା ପରଠାରୁ ଆରମ୍ଭ ହୋଇଥିଲା ପୂର୍ଣ୍ଣମାସୀ ଜାନିଙ୍କ ଆଧ୍ୟାତ୍ମିକ ଜୀବନ। ତାଡିସରୁ ପର୍ବତରେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ସେ ପରିଚିତ ହେଲେ ତାଡିସରୁବାଇ ହିସାବରେ। ସଂପୂର୍ଣ୍ଣ ନିରକ୍ଷରା ଏବଂ ଓଡିଆ ଠିକ୍‌ ଭାବେ ଜାଣି ନ ଥିବା ତାଡିସରୁ ବାଇ ଯେତେବେଳେ ଧ୍ୟାନସ୍ଥ ହୁଅନ୍ତି ତାଙ୍କ ସୁଲଳିତ କଣ୍ଠରୁ ଅନର୍ଗଳ ଭାବେ ଝରିପଡେ ଭାବପୂର୍ଣ୍ଣ ଭକ୍ତିସଂଗୀତ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ତାଙ୍କର କୌଣସି ଗୀତ ସେ ଦ୍ବିତୀୟ ଥର ପାଇଁ ଗାଆନ୍ତି ନାହିଁ। ଶାଳପତ୍ର ଖଲି ସିଲେଇ କରି ଜଣେ ସାଧାରଣ ଆଦିବାସି ମହିଳା ଭଳି ଜୀବନ ନିର୍ବାହ କରୁଥିବା ପୂର୍ଣ୍ଣମାସୀଙ୍କ କଣ୍ଠରୁ ଏଯାବତ ୧ ଲକ୍ଷରୁ ଅଧିକ ସଂଗିତ ନିସୃତ ହୋଇ ସାରିଛି। ପ୍ରଥମେ ପ୍ରଥମେ ଏସବୁ ଲେଖି ରଖିବା ପାଇଁ କେହି ନ ଥିଲେ। ତେବେ ୧୯୯୦ ମସିହାରୁ କିଛି ସାହିତ୍ୟ ଓ ଆଧ୍ୟାତ୍ମିକତା ଅନୁଗାମି ତାଡିସରୁ ବାଇଙ୍କ ସଂଗୀତର ରେକର୍ଡ କରିବା ସହ ଏହାକୁ ଲେଖି ରଖିବାର ପ୍ରୟାସ ଆରମ୍ଭ କରିଥିଲେ। ବାବାଙ୍କର ଅନ୍ୟତମ ଅନୁଗାମୀ ଶିକ୍ଷକ ଦୁର୍ୟ୍ୟୋଧନ ପ୍ରଧାନଙ୍କ ଦ୍ୱାରା ସଂକଳିତ ପୁସ୍ତକ ଏବେ ପାଣ୍ଡୁଲିପି ଅବସ୍ଥାରେ ରହିଛି। ତେବେ ଡ.ସୁରେନ୍ଦ୍ରନାଥ ମହାନ୍ତିଙ୍କ ଦ୍ୱାରା ତାଡିସରୁ ବାଈଙ୍କ ଜୀବନ ଓ ଦର୍ଶନ ଉପରେ ଦୁଇଟି ପୁସ୍ତକ ଏଯାବତ ପ୍ରକାଶିତ ହୋଇଛି। ସେହିଭଳି ସାହିତ୍ୟିକ ନୃସିଂହାନନ୍ଦ ମହାପାତ୍ର ଲେଖିଚନ୍ତି ତାଙ୍କ ଜୀବନୀ। ଡ.ପ୍ରେମାନନ୍ଦ ମହାପାତ୍ର ମଧ୍ୟ ପୂର୍ଣ୍ଣମାସୀଙ୍କ ଜୀବନୀ ଓ କବିତା ଉପରେ ଏକ ସଂକଳନ ପ୍ରକାଶ କରିଛନ୍ତି। ତାଡିସରୁ ବାବା ଭାବରେ କନ୍ଧମାଳ ଜିଲାରେ ପରିଚିତ ପୁର୍ଣ୍ଣମାସିଙ୍କ ସମସ୍ତ ଗୀତ ଭକ୍ତିରସାମୃତ ଓ ଦୈବୀ ଶକ୍ତି ପ୍ରେରିତ। ଏଭଳି ଜଣେ ଅନନ୍ୟା ମହିଳା ପୂର୍ଣ୍ଣମାସୀ ଜାନୀଙ୍କୁ ଭାରତ ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱୀକୃତି ସ୍ୱରୂପ ପଦ୍ମଶ୍ରୀ ଉପାଧିରେ ଭୂଷିତ କର୍ୟାାଇଥିବାରୁ ଜିଲାର ସବୁ ବର୍ଗର ଲୋକେ ଏହାକୁ ସ୍ୱାଗତ କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories