www.samajalive.in
Sunday, December 7, 2025
13.1 C
Bhubaneswar

ରକ୍ତ ସଂପର୍କରେ କଳଙ୍କ; ଭଉଣୀକୁ ହତ୍ୟା କଲା ଭାଇ

ଲାଞ୍ଜିଗଡ଼: ବିପଦ ଆପଦରେ ନିଜର ସୁରକ୍ଷା ପାଇଁ ଯେଉଁ ହାତରେ ଭଉଣୀ ବାନ୍ଧୁଥିଲା ରାକ୍ଷୀ, ସେଇ ହାତ ରକ୍ଷା କରିବ କ’ଣ ଓଲଟା ସାଜିଛି ହତ୍ୟାକାରୀ । କଥା ସେତିକିରେ ସରିନାହିଁ । ଭଉଣୀର ହତ୍ୟା ପରେ ଭାଇକୁ ଆକଟ କରିବା ବଦଳରେ ନିଜ ଜନ୍ମ କଲା ବାପା, ସାବତ ମାଆ ଓ ପରିବାର ଲୋକେ ମିଶିକି ଶବକୁ ପୋଡ଼ିଦେଇଛନ୍ତି । ଘଟଣାଟି କ୍ରମେ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେବା ପରେ ମାମଲା ଥାନାକୁ ଯିବା ସହିତ ଏହାର ତଦନ୍ତ ହୋଇଛି । ଥାନାରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଥିବାବେଳେ ହତ୍ୟାକାରୀ ଭାଇ, ତାକୁ ସହଯୋଗ କରିଥିବା ବାପା, ସାବତ ମାଆ, ପରିବାର ଲୋକେ ଓ ପଡ଼ୋଶୀର ୧୨ଜଣ ପୁଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଯିବାକୁ ପଡିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏହି ଘଟଣାଟି ଭାଇ-ଭଉଣୀ ଓ ବାପ-ଝିଅ ଭଳି ରକ୍ତର ସଂପର୍କରେ କଳଙ୍କର ଦାଗ ଲଗାଇଛି ।

ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗାଁର କେଶନି ବେହେରାଙ୍କ ଝିଅ ଅନୀତା(୧୬) ଗତ ୭ ତାରିଖ ଦିନ ନିଜର ଜଣେ ସାଙ୍ଗ ବନୀତା ସାହୁ ସହିତ ଗାଁ ନିକଟସ୍ଥ ଡୁମେରମୁଣ୍ଡା ଗାଁକୁ ଏକ ଭୋଜି ଘରକୁ ଯାଇଥିଲା । ସେଠାରେ ଚାରିଦିନ ରହି ୧୦ ତାରିଖ ଦିନ ଘରକୁ ଫେରିଥିଲା । ଭଉଣୀ ଚାରିଦିନ ବିଳମ୍ବରେ ଘରକୁ ଫେରିବା ଦେଖି ଭାଇ ଅଲେଖ ବେହେରା(୨୦)ର ମୁଣ୍ଡକୁ ପିତ୍ତ ଚଢିଯାଇଥିଲା । ଝିଅ ପିଲା ଗୋଟେ କଣ ଘର ଛାଡି ବୁଲି ବୁଲିବ ବୋଲି ଗାଳିଗୁଲଜ କରିବା ସହିତ ପ୍ରବଳ ମାଡ ମାରିଥିଲା । ସେଇ ମାଡରେ ଅନୀତା ହଠାତ୍ ତଳେ ପଡିଯିବା ସହିତ ସେଇ ପଡିବା ଅବସ୍ଥାରେ ପ୍ରାଣ ହରାଇଥିଲା । ଏ ସଂପର୍କରେ ବାପା କେଶନୀ ବେହେରା ଓ ସାବତ ମାଆ କୌଶଲ୍ୟା ଜାଣି ପାରି ନିଜ ପରିବାର ଓ ସଂପର୍କୀୟଙ୍କୁ ଡାକି କାହାକୁ କିଛି ନକହି ମୃତ ଅନୀତାର ଶବକୁ ଶ୍ମଶାନକୁ ନେଇ ପୋଡି ଦେଇଥିଲେ । ତେବେ ସୁସ୍ଥ ସବଳ ଝିଅର ହଠାତ୍ ମୃତ୍ୟୁକୁ ଗାଁ ଲୋକେ ଗ୍ରହଣ କରିପାରି ନଥିଲେ । ଆଉ ଏନେଇ ବିଶ୍ୱନାଥପୁର ଥାନାକୁ ସୂଚନା ଦେଇଥିଲେ । ଗ୍ରାମବାସୀଙ୍କ ସୂଚନା ଆଧାରରେ ପୁଲିସ କେସ୍ ନଂ-୦୫/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୁରାକ୍ ମିଳିଥିଲା । ଏହାପରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସ୍‌ଡିପିଓ ଏସ୍ ସୁଶ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାଟିର ତଦନ୍ତ ଭାର ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ହାତକୁ ନେଇଥିଲେ । ଏହାସହିତ ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ଶ୍ମଶାନରୁ ହାଡପାଉଁଶ ଜବତ କରାଯାଇଛି । ଏହି ଘଟଣାରେ ମୁଖ୍ୟ ଆସାମୀ ମୃତକର ଭାଇ ଅଲେଖ ବେହେରା, ବାପା କେଶନୀ ବେହେରା, ମାଆ କୌଶଲ୍ୟା ବେହେରାଙ୍କ ସମେତ ଏଥିରେ ସହଯୋଗ କରିଥିବା ଅର୍ଜୁନ ବେହେରା, ଭଗତ ବେହେରା, ଦାସ ବେହେରା, ଜିତେନ୍ଦ୍ର ବେହେରା, ହର ବେହେରା, ବଳରାମ ବେହେରା, ଗୋମତୀ ସାହୁ, ଜୟ ବେହେରା, ପୀତବାସ ବେହେରାଙ୍କୁ ଗିରଫ କରି ସହ କୋର୍ଟଚାଲାଣ କରିଥିଲା ପୁଲିସ । ତେବେ ଜାମିନ ନମିଳିବାରୁ ସେମାନଙ୍କୁ ଜେଲକୁ ପଠାଇଦିଆଯାଇଥିବା ଜଣାପଡିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories