www.samajalive.in
Wednesday, December 10, 2025
15.1 C
Bhubaneswar

ଫଳପ୍ରଦ ହୋଇପାରୁନି ସରକାରଙ୍କ ଯୋଜନା : ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ

ଭୁବନେଶ୍ବର : ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ ଏଥିପାଇଁ କାମ କରୁଛନ୍ତି । ତଥାପି ଶିଶୁ ଓ ନାବାଳକ-ନାବାଳିକାଙ୍କ ନିଖୋଜ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ପରିସଂଖ୍ୟାନ କହୁଛି ହାରାହାରି ପ୍ରତି ୮ ମିନିଟ୍‌ରେ ଭାରତରେ ଜଣେ ଶିଶୁ ନିଖୋଜ ହେଉଛନ୍ତି। ଓଡ଼ିଶାରେ ଦିନକୁ ନିଖୋଜ ଶିଶୁଙ୍କ ସଂଖ୍ୟା ହାରାହାରି ୧୫। ସରକାର ସଚେତନତା ପାଇଁ ‘ପରୀ ରଥ’ ବୁଲାଇଥିବାବେଳେ ‘ମୋ ସାଥୀ ଆପ୍‌’ ଓ ‘ଅପରେସନ୍‌ ମୁସ୍କାନ’ ଭଳି ବହୁ ଅଭିଯାନ କରିଛନ୍ତି। ତେବେ ଏହି ଅଭିଯାନକୁ ଆଶାନୁରୂପ ସଫଳତା ମିଳିପାରୁ ନାହିଁ। ସେଥିଯୋଗୁଁ ଦିନକୁ ଦିନ ନିଖୋଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ସମନ୍ବିତ ଶିଶୁ ସୁରକ୍ଷା ଯୋଜନା( ଆଇସିପିଏସ୍‌) ଲାଗୁ କରାଯାଇଛି। ପ୍ରତି ଜିଲାରେ ସ୍ପେଶାଲ ଜୁଭେନାଲ ପୁଲିସ ୟୁନିଟ୍‌, ଚାଇଲ୍ଡ ୱେଲଫେୟାର କମିଟି, ଜିଲାସ୍ତରୀୟ ଶିଶୁ ସୁରକ୍ଷା ୟୁନିଟ୍‌ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ୩୦ ଜିଲାରେ ଚାଇଲ୍ଡ ଲାଇନ୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ୧୦୯୮ ସହାୟତା ନମ୍ବର ଜାରି କରାଯାଇଛି। ସରକାରଙ୍କର ଏକାଧିକ ଯୋଜନା ଓ ଅଭିଯାନ ଚାଲିଥିଲେ ମଧ୍ୟ ଶିଶୁ ନିଖୋଜ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରୁନି। ବିଡ଼ମ୍ବନା ହେଉଛି ଚୋରି ମାମଲାର ତଦନ୍ତ କି ନେତା-ଅଧିକାରୀଙ୍କ ସୁରକ୍ଷାକୁ ପୁଲିସ ଯେତେ ଗୁରୁତ୍ବ ଦେଇଥାଏ, ଅନୁରୂପ ଗୁରୁତ୍ବ ନିଖୋଜ ଶିଶୁଙ୍କୁ ଖୋଜିବାରେ ଦିଆଯାଏ ନାହିଁ। ସବୁଠାରୁ ସ୍ପର୍ଶକାତର ହେଉଛି ନିଖୋଜ ଶିଶୁଙ୍କ ମଧ୍ୟରୁ ହାରାହାରି ୩୦% ଶିଶୁଙ୍କୁ ଖୋଜି ବାହାର କରାଯାଏ, ମାତ୍ର ଅନ୍ୟମାନଙ୍କର ଖୋଜଖବର ମିଳେ ନାହିଁ। ଏଇଥିପାଇଁ ଉଠେ ଅଙ୍ଗ ତସ୍କରୀ, ଦେହ ବ୍ୟବସାୟ, ଶିଶୁ ଚାଲାଣ ଭଳି ଗୁରୁତର ପ୍ରସଙ୍ଗ।

- Advertisement -

ଭାରତରେ ବର୍ଷକୁ ୧ ଲକ୍ଷ ୩୫ ହଜାର ଶିଶୁ ନିଖୋଜ ହେଉଛନ୍ତି। ତେବେ ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୨୭୦୦୦ ଶିଶୁ ନିଖୋଜ ହୋଇଛନ୍ତି। ତଥ୍ୟ କହୁଛି ୨୦୧୫ରେ ୪୫୮୮ ଶିଶୁ ନିଖୋଜ ହୋଇଥିଲେ। ୨୦୧୬ରେ ନିଖୋଜ ଶିଶୁଙ୍କ ସଂଖ୍ୟା ୫୭୯୧ ଥିଲା । ପରବର୍ତ୍ତୀ କାଳରେ ୨୦୧୭ରେ ନିଖୋଜ ଶିଶୁଙ୍କ ସଂଖ୍ୟା ବଢ଼ି ପହଞ୍ଚି ଯାଇଥିଲା ୭୪୪୬ରେ। ୨୦୧୮ରେ ୩୪୯୧ ଓ ୨୦୧୯ରେ ୫୫୦୩ଜଣ ଶିଶୁ ନିଖୋଜ ହୋଇଛନ୍ତି ଓଡ଼ିଶାରୁ।
ଅନ୍ୟପକ୍ଷରେ ୨୦୧୮ରେ ୩୧.୭% ନିଖୋଜ ଶିଶୁଙ୍କୁ ଠାବ କରାଯାଇଥିବାବେଳେ ୨୦୧୯ରେ ଠାବ ହୋଇଥିବା ନିଖୋଜ ଶିଶୁଙ୍କ ସଂଖ୍ୟା ମାତ୍ର ୨୭.୧୪% । ପ୍ରଶ୍ନ ଉଠୁଛି ଶିଶୁମାନେ ନିଖୋଜ ହେଉଛନ୍ତି କେମିତି ? ସେମାନେ କେମିତି ଉଭାନ ହୋଇ ଯାଉଛନ୍ତି ? ଚାଇଲ୍ଡ ଲାଇନ ତଥ୍ୟ ଅନୁସାରେ ନିଖୋଜ ଶିଶୁଙ୍କ ମଧ୍ୟରୁ ୭୧% ହେଉଛନ୍ତି ୬ରୁ ୧୮ ବର୍ଷ। ସେହିପରି ୨୫% ନିଖୋଜ ଶିଶୁଙ୍କ ବୟସ ହେଉଛି ୧ ବର୍ଷରୁ ୫ ବର୍ଷ । ସେହିପରି ନିଖୋଜ ହେଉଥିବା ଶିଶୁଙ୍କ ମଧ୍ୟରୁ ୨୭% ହେଉଛନ୍ତି ବାଳିକା ଓ ୭୧% ବାଳକ ।

ଶିଶୁ ଅପହରଣକୁ ଭାରତୀୟ ଦଣ୍ଡବିଧି ସଂହିତାରେ ଗୁରୁତର ଅପରାଧ ମାନ୍ୟତା ଦିଆଯାଇଛି । ଧାରା ୩୬୩ରେ ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ଆର୍ଥିକ ଦଣ୍ଡ ବ୍ୟବସ୍ଥା ରହିଛି । ଏପରିକି ଶିଶୁ ବା ନାବାଳକ ଓ ନାବାଳିକାଙ୍କୁ ବିକ୍ରି ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ପ୍ରାବଧାନ ରହିଛି । ତଥାପି ନିଖୋଜ ଶିଶୁଙ୍କ ସଂଖ୍ୟା କମୁନାହିଁ । ସେମାନେ ଆପେଆପେ ନିଖୋଜ ହେଉଛନ୍ତି ନା ସେମାନଙ୍କୁ ଅପହରଣ କରାଯାଉଛି ତାହା ବିତର୍କର ବିଷୟ; ମାତ୍ର ନିଖୋଜ ଶିଶୁମାନେ ମିଳୁ ନ ଥିବା କଠୋର ସତ୍ୟ ।

ରାସ୍ତା କଡ଼ରେ ସାଇକଲ ଦୋକାନ, ଗ୍ୟାରେଜ, ଜଳଖିଆ ଦୋକାନ, ଢାବାରେ କାମ କରୁଥିବା ଶିଶୁଙ୍କୁ ‘ସ୍ମାଇଲ୍’ ଯୋଜନାରେ ଉଦ୍ଧାର କରୁଛି ପୁଲିସ । ସେମାନେ ଘରକୁ ଫେରୁଛନ୍ତି ଓ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ ଲାଗି ପୁଣି କିଛିଦିନ ଅନ୍ତରରେ ପୂର୍ବ କାମକୁ ଫେରି ଆସୁଛନ୍ତି । ମାତ୍ର ଯେଉଁ ଶିଶୁଙ୍କୁ ଅପହରଣ କରାଯାଉଛି ସେମାନଙ୍କୁ ଖୋଜି ଆଣିବାକୁ କି ପଦକ୍ଷେପ ନିଆଯାଇଛି ? ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି)ଙ୍କ ତଥ୍ୟ ଅନୁସାରେ ପ୍ରାୟ ୫୦%ରୁ ଅଧିକ ପୁଲିସ ଶିଶୁ ଅପହରଣ ବା ନିଖୋଜ ଘଟଣାକୁ ଅପରାଧ ମାନ୍ୟତା ଦିଅନ୍ତି ନାହିଁ, କିମ୍ବା ଏହି ଘଟଣାକୁ ଗୁରୁତ୍ବ ଦିଅନ୍ତି ନାହିଁ । ଯେଉଁଠି ପୁଲିସର ମାନସିକତା ଏମିତି ସେଠି ସାଧାରଣ ଲୋକ ଓ ନିରୀହ ଶିଶୁଙ୍କୁ ନ୍ୟାୟ ମିଳିବ କେମିତି ? ସବୁ ଥାନାରେ ସରକାର ମହିଳା ଓ ଶିଶୁ ଡେସ୍କ ସ୍ଥାପନ ନିମନ୍ତେ କେଉଁ କାଳରୁ ପଦକ୍ଷେପ ନେଇଛନ୍ତି । ଜଣେ ମହିଳା ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ବ ଦେବାକୁ ନିର୍ଦେଶ ରହିଛି । ମାତ୍ର ମହିଳା ଥାନା ଅଧିକାରୀମାନେ ବି ଶିଶୁ ନିଖୋଜ ସଂକ୍ରାନ୍ତ ମାମଲାକୁ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇ ଆସୁଛି ।

ରାଜ୍ୟରେ ଶିଶୁ ନିଖୋଜ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସାମ୍ପ୍ରତିକ ସ୍ଥିତିକୁ ନେଇ ପୁଲିସ ମହା ନିର୍ଦେଶକ ଅଭୟ କହିଛନ୍ତି ତିନି ଚାରି ମାସ ତଳେ ଏନେଇ ଏକ ମାର୍ଗଦର୍ଶିକା(ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏହି ମାର୍ଗଦର୍ଶିକା ଲାଗୁ କରାଯିବ। ଶିଶୁ ନିଖୋଜ ହେବା ମାତ୍ରେ ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

ପ୍ରାକ୍ତନ ପୁଲିସ ମହାନିର୍ଦେଶକ ବିପିନ ବିହାରୀ ମିଶ୍ର କହିଛନ୍ତି, ପିଲା ଚୋରି ଏକ ଲାଭଜନକ ବ୍ୟବସାୟ ପାଲଟିଛି। ପିଲାଙ୍କୁ ନେଇ ବିକ୍ରି କରାଯାଉଛି। କେତେକଙ୍କ ଅଙ୍ଗପ୍ରତ୍ୟଙ୍ଗ କାଢି ନେବା ପରେ ମାରି ଦିଆଯାଇଛି। ଅଧିକ ଝିଅଙ୍କୁ ବଳାତ୍କାର ଉଦ୍ଦେଶ୍ୟରେ ବିକ୍ରି କରାଯାଉଛି। ଆମ ଦେଶରେ ସମସ୍ତେ ପରସ୍ପରକୁ ସାହାଯ୍ୟ କଲେ ବାହାର ଲୋକ ଶିଶୁକୁ ନେଇପାରନ୍ତା ନାହିଁ। ନିଜ ସାହି, ଗଳି, ଘର, ସ୍କୁଲ ଓ ହାଟରେ ସମସ୍ତେ ସାହାଯ୍ୟ ମନୋଭାବ ପୋଷଣ ସହ ସଚେତନ ହେବା ଆବଶ୍ୟକ। ବାପା ଓ ମା’ ପିଲାଙ୍କ ଫଟୋ ରଖିବା ସହ ନିଖୋଜ ହେବା ମାତ୍ରେ ପୁଲିସକୁ ସୂଚନା ଦିଅନ୍ତୁ। ପୁଲିସ ମଧ୍ୟ ତ୍ବରିତ ପଦକ୍ଷେପ ନେବା ଦରକାର।

ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଶିଶୁ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଶିଶୁଙ୍କୁ କେବଳ ଜିଲାସ୍ତରୀୟ ନୁହେଁ ବରଂ ବ୍ଲକ ଓ ପଞ୍ଚାୟତସ୍ତରରେ ପିଲାଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ଅଧିକାର କମିଟି ଏବଂ ଶିଶୁ ମଙ୍ଗଳ କମିଟି ଗଠନ ହୋଇଛି। ଆୟୋଗ ପକ୍ଷରୁ ମଧ୍ୟ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କମିଟିଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯାଉଛି। ମୁସ୍କାନ, ସ୍ମାଇଲ୍‌ ଓ ପରୀ କାର୍ଯ୍ୟକ୍ରମ ଯେପରି ତ୍ବରିତ କାର୍ଯ୍ୟ କରିବ ସେଥିପାଇଁ ବି ବ୍ୟବସ୍ଥା ହେଉଛି। ଏସବୁ ସ​‌ତ୍ତେ ପରୀ, ପିହୁ ଓ ସ୍ବାତୀ ଭଳି ଘଟଣା ଲୋକଲୋଚନକୁ ଆସିବା ପରେ ଶିଶୁ ସୁରକ୍ଷା ନେଇ ଆମର ବ୍ୟବସ୍ଥାରେ ଚରମ ଦୁର୍ବଳତା ରହିଛି, ତାହା ଜଳଜଳ ବାରି ହୋଇପଡୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories