ନୂଆଦିଲ୍ଲୀ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆସନ୍ତା ୨୪ରେ ଅନୁଷ୍ଠିତ ହେବ। ଏଜିଏମ୍ରେ ଆଇପିଏଲ୍ରେ ୨ଟି ନୂଆ ଦଳ ସାମିଲ, ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ କରାଯିବା, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ରେ କିଏ ବିସିସିଆଇକୁ ପ୍ରତିନିଧିତ୍ବ କରିବ, ୩ ଜାତୀୟ ମନୋନୟନକାରୀ ନିଯୁକ୍ତି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହେବାର ସମ୍ଭାବନା ରହିଛି। ସେହିପରି ବିସିସିଆଇର ନୂଆ ଉପସଭାପତି ନିର୍ବାଚନ ନେଇ ଏଜିଏମ୍ରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଜିଏମ୍ ନିମନ୍ତେ ବିସିସିଆଇ ତରଫରୁ ୨୩ ପୃଷ୍ଠା ସମ୍ଭଳିତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।
ବିସିସିଆଇ ଏଜିଏମ୍ରେ ଆଇପିଏଲ୍ରେ ୨ଟି ନୂଆ ଦଳ ସାମିଲ କରାଯିବା ପ୍ରସଙ୍ଗ ଅଧିକ ଗୁରୁତ୍ବର ସହ ଆଲୋଚନା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଆଦାନୀ ଗ୍ରୁପ୍ ଓ ସଞ୍ଜୀବ ଗୋଏଙ୍କାଙ୍କ ଆର୍ପିଜି ଗ୍ରୁପ୍ ଗୋଟିଏ ଲେଖାଏଁ ଦଳ କିଣିବାକୁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି। ଗୋଟିଏ ଦଳ ଅହମ୍ମଦାବାଦ୍ର ହେବା ନିଶ୍ଚିତ। ସେହିପରି ଆଇସିସି ଓ ଏସିଆନ୍ କ୍ରିକେଟ୍ କାଉନସିଲ୍ରେ କିଏ ବିସିସିଆଇକୁ ପ୍ରତିନିଧିତ୍ବ କରିବେ; ସେ ସଂପର୍କରେ ଏଜିଏମ୍ରେ ଆଲୋଚନା ହେବ। ସମ୍ପାଦକ ଜୟ ଶାହା ଆଇସିସି ଓ ଏସିଆନ୍ କ୍ରିକେଟ୍ କାଉନସିଲ୍ରେ ବିସିସିଆଇକୁ ପ୍ରତିନିଧିତ୍ବ କରିବେ ବୋଲି ଆଶା ରହିଛି। ଅନ୍ୟପକ୍ଷରେ ଜାତୀୟ କ୍ରିକେଟ୍ ଦଳର ୩ଜଣ ମନୋନୟନକାରୀ ଓ ମୁଖ୍ୟ ମନୋନୟନକାରୀ ନିଯୁକ୍ତି ନେଇ ଏଜିଏମ୍ରେ ନିଷ୍ପତ୍ତି ହେବ ବୋଲି ଚର୍ଚ୍ଚା ହେଉଛି। ସେହିପରି ବୈଷୟିକ କମିଟି ଗଠନ ନେଇ ଏଜିଏମ୍ରେ ଆଲୋଚନା ହେବ ବୋଲି ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ କ୍ରିକେଟ୍ ଏକାଡେମୀର ସୁବିଧା-ଅସୁବିଧା ପ୍ରସଙ୍ଗ ସହ ଅମ୍ପାୟାର୍ସ ସବ୍-କମିଟି ଗଠନ ନେଇ ଏଜିଏମ୍ରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦୨୧ ପାଇଁ ଭାରତୀୟ କ୍ରିକେଟ୍ ଦଳର ବିଦେଶ ଗସ୍ତ ସୂଚୀ, ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜନ ଓ ୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ କରାଯିବା ପ୍ରସଙ୍ଗରେ ଏଜିଏମ୍ରେ ଆଲୋଚନା ହେବାର ଅଛି। ବିସିସିଆଇ ଉପସଭାପତି ପଦରୁ ମାହିମ୍ ବର୍ମା ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ ନୂତନ ଉପସଭାପତି ନିଯୁକ୍ତି, ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ର ଦୁଇ ପ୍ରତିନିଧିଙ୍କୁ ସାମିଲ କରାଯିବା ସଂପର୍କରେ ଏଜିଏମ୍ରେ ଆଲୋଚନା ହେବ। ସର୍ବସମ୍ମତିକ୍ରମେ ଉପସଭାପତି ପଦ ପୂରଣ କରାଯିବ ବୋଲି ଆଶା ରହିଛି।



