କରୋନା ଭୟ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଲା ଆଶ୍ବସ୍ତିର ଖବର: ଦେଶରେ ହ୍ରାସ ପାଇଛି ମେଲେରିଆ ମୃତ୍ୟୁ

ମିଳିତ ଜାତିସଂଘ: ଦେଶରେ କରୋନା ସଙ୍କଟ ତୀବ୍ର ହୋଇଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏକ ବଡ଼ ଆଶ୍ବସ୍ତିର ଖବର । କେବଳ ଭାରତ ନୁହେଁ ଦକ୍ଷିଣ ଏସିଆରେ ମେଲେରିଆ ହ୍ରାସ ପାଇବା ସହ ମେଲେରିଆ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ଭାରତରେ ପ୍ରତିବର୍ଷ ହାରାହାରି ୨୯ହଜାର ଲୋକ ମେଲେରିଆରେ ମୃତ୍ୟୁବରଣ କରୁଥିବାବେଳେ ଗତବର୍ଷ ତାହା ୭୭୦୦କୁ ହ୍ରାସ ପାଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟରେ ପ୍ରକାଶ ପାଇଛି ।

ସୋମବାର ପ୍ରକାଶିତ ବିଶ୍ୱ ମ୍ୟାଲେରିଆ ରିପୋର୍ଟ ୨୦୨୦ ରେ କୁହାଯାଇଛି ଯେ ୨୦୧୯ ରେ ସାରା ବିଶ୍ବରେ ମେଲେରିଆରେ ୨୨୯ ନିୟୁତ ଲୋକ ପୀଡ଼ିତ ହୋଇଥିଲେ । ଏହି ସଂଖ୍ୟା ଅପରିବର୍ତିତ ରହି ଆସିଛି । ଗତବର୍ଷ ମେଲେରିଆରେ ବିଶ୍ବରେ ୪୦୯୦୦୦ଲୋକଙ୍କର ମୃତ୍ୟୁ ଘଟିଛି । ୨୦୧୮ରେ ଏହି ସଂଖ୍ୟା ୪୧୧୦୦୦ ଥିଲା ।

ଏହି ରିପୋର୍ଟ ଅନୁସାରେ ସାରା ବିଶ୍ବରେ ମେଲେରିଆ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣପୂର୍ବ ଏସିଆର ବାସିନ୍ଦା ଥିଲେ । ଏବେ ଏହି ଅଞ୍ଚଳରେ ମେଲେରିଆ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ୭୩ ନିୟୁତରୁ ହ୍ରାସ ପାଇ ୬.୩ ନିୟୁତରେ ପହଞ୍ଚିଛି । ଏ କ୍ଷେତ୍ରରେ ଭାରତର ପଦକ୍ଷେପକୁ ବେଶ୍ ପ୍ରଶଂସାକରାଯାଇଛି । ମେଲେରିଆ ବିରୋଧରେ ଲଢ଼େଇରେ ଭାରତ ବେଶ୍ ଅଗ୍ରଗତି କରି ପାରିଛି । ଭାରତରେ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୧୮% ଓ ୨୦% ହ୍ରାସ ପାଇଛି ।  ଭାରତରେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ୨୦୦୦ ମସିହାରେ ୨୯୫୦୦ ଥିବାବେଳେ ଗତବର୍ଷ ଏହା ୭୭୦୦କୁ ହ୍ରାସ ପାଇଥିବା କୁହାଯାଇଛି । ସେହିପରି ଦକ୍ଷିଣପୂର୍ବ ଏସିଆରେ ମେଲେରିଆ ମୃତ୍ୟୁ ସଂଖ୍ୟା ୭୪% ହ୍ରାସ ପାଇଛି। ବୈଶ୍ବିକସ୍ତରରେ ପରିବର୍ତନ ଓ ଆନ୍ତର୍ଜାତିକସ୍ତରରେ ସହମତ, ଲକ୍ଷ୍ୟରେ ପହଞ୍ଚିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସହ ପାଣ୍ଠିର ଆବଶ୍ୟକତା ରହିଛି ।

ଏହି ରିପୋର୍ଟ ଅନୁସାରେ  ବୁର୍କିନା ଫାସୋ, କାମେରୁନ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଘାନା, ଭାରତ, ମାଲି, ମୋଜାମ୍ବିକ୍, ନାଇଜର, ନାଇଜେରିଆ, ଉଗାଣ୍ଡା ଏବଂ ୟୁନାଇଟେଡ୍ ରିପବ୍ଲିକ୍ ଅଫ୍ ତାଞ୍ଜାନିଆରେ ମେଲେରିଆ ସଂକ୍ରମିତଙ୍କ ସଂଖ୍ୟା ସାରା ବିଶ୍ବର ୭୦% ଓ ମୃତ୍ୟୁ ସଂଖ୍ୟା ୭୭% ।

ଉଭୟ ଆନ୍ତର୍ଜାତୀୟ ଏବଂ ଘରୋଇସ୍ତରରେ ଏକ ଆର୍ଥିକ ଅଭାବ ମେଲେରିଆ ରୋକିବାରେ ବାଧକ ହୋଇଛି । ପାଣ୍ଠି ଅଭାବରୁ ମେଲେରିଆ ନିୟନ୍ତ୍ରଣ ଉପକରଣ କ୍ରୟରେ ସମସ୍ୟା ଦେଖା ଦେଇଛି । ତେଣୁ ମେଲେରିଆ ନିରାକରଣ ନିମନ୍ତେ ପଦକ୍ଷେପ ଗ୍ରହଣକୁ ଅଧିକ ତ୍ବରାନ୍ବିତ କରିବା ଏବଂ ନିର୍ଦିଷ୍ଟ ରଣନୀତି ପ୍ରସ୍ତୁତ କରାଗଲେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତ ଦେଇଛି ।

Comments are closed.