ଆଉ ଜଣେ ଭାରତୀୟ ମହିଳାଙ୍କୁ ହ୍ବାଇଟ୍ ହାଉସରେ ବଡ଼ ଦାୟିତ୍ବ: ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ନୀତି ନିର୍ଦେଶିକା ନିଯୁକ୍ତ ହେଲେ ମାଳା ଆଡ଼ିଗା
ଆସନ୍ତା ଜାନୁଆରୀ ୨୦ ତାରିଖରେ ଜୋ ବାଇଡ଼େନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ । ଭାରତୀୟ ମୂଳବାସିନ୍ଦା କମଳା ହ୍ୟାରିସ ମଧ୍ୟ ସେହିଦିନ ଉପରାଷ୍ଟ୍ରପତି ଦାୟିତ୍ବ ନେବେ । ହ୍ବାଇଟ୍ ହାଉସରୁ ସେହିଦିନଠାରୁ ବାଇଡ଼େନ ପ୍ରଶାସନର କାର୍ଯ୍ୟକାଳ ଆରମ୍ଭ ହେବ । ତେବେ ଏହାମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କ ଆବାସ ହ୍ବାଇଟ୍ ହାଉସରେ ଆଉ କିଛି ଭାରତୀୟଙ୍କ ମୁହଁ ଦେଖିବାକୁ ମିଳିବ । ସେମାନଙ୍କ ମଧ୍ୟରୁ ଗୋଟିଏ ନାମ ହେଉଛି ମାଳା ଆଡ଼ିଗା । ତାଙ୍କୁ ଆମେରିକାର ପ୍ରଥମ ମହିଳା (ରାଷ୍ଟ୍ରପତି ବାଇଡ଼େନଙ୍କ ପତ୍ନୀ) ଜିଲ୍ ବାଇଡ଼େନଙ୍କ ନୀତି ନିର୍ଦେଶିକା ଭାବରେ ନିଯୁକ୍ତି ଦିଆଯାଇଛି । ମାଳାଙ୍କ ମୂଳ ଘର କର୍ଣାଟକର ଉଡ଼ୁପି ଅଞ୍ଚଳରେ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ବାଇଡ଼େନ୍ ଓ କମଳା ହ୍ୟାରିସଙ୍କ ନିର୍ବାଚନ ଅଭିଯାନରେ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ବାଇଡ଼େନ ଫାଉଣ୍ଡେସନରେ ସେ ଉଚ୍ଚଶିକ୍ଷା ଓ ସାମରିକ ନିର୍ଦୋକ ଭାବରେ କାର୍ଯ୍ୟ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପ୍ରଶାସନରେ ମାଳା ଜଡ଼ିତ ଥିଲେ । ସେତେବେଳେ ସେ ଶିକ୍ଷା ଓ ସଂସ୍କୃତି ବିଭାଗର ଏକାଡେମୀ ପ୍ରୋଗ୍ରାମର ଉପ ସହକାରୀ ସଚିବ ରହି ଥିଲେ। ସେ ଜାତୀୟ ସୁରକ୍ଷା କର୍ମଚାରୀଙ୍କ ସହ ମାନବିକ ଅଧିକାରର ନିର୍ଦ୍ଦେଶକ ମଧ୍ୟ ଥିଲେ।
ମାଳା ଇଲିନୋଇସର ଏବଂ ଗ୍ରିନେଲ କଲେଜରୁ ସ୍ନାତକ କରିଛନ୍ତି । ଏଥିସହ ସେ ମିନେସୋଟା ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ୟୁନିଭରସିଟି ଏବଂ ଚିକାଗୋ ଲ ସ୍କୁଲରୁ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ବୃତ୍ତିଧାରୀ ଆଇନଜୀବୀ ଓ ଚିକାଗୋର ଏକ ଆଇନ ପ୍ରତିଷ୍ଠାନରେ ସେ କାର୍ଯ୍ୟ କରୁଛନ୍ତି । ଓବାମା ପ୍ରଶାସନରେ ସେ ସହକାରୀ ଆଟର୍ଣି ଜେନେରାଲ ଭାବରେ ସେ କାର୍ଯ୍ୟ କରିଛନ୍ତି । ମାଲା ଆଡିଗାଙ୍କ ନିଯୁକ୍ତିପରେ କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାର କୁନ୍ଦୁପୁର ଅନ୍ତର୍ଗତ କାକୁଞ୍ଜେ ଗାଁ ଚର୍ଚାକୁ ଆସିଛି । କର୍ଣ୍ଣାଟକ ବ୍ୟାଙ୍କ ଲିଃ ପ୍ରତିଷ୍ଠାତା କେ ସୂର୍ଯ୍ୟନାରାୟଣଙ୍କ ପରିବାର ସହ ମାଳା ଜଡ଼ିତ ଏବଂ ବୁକର ପୁରସ୍କାର ବିଜେତା ଅରବିନ୍ଦ ଆଡ଼ିଗାଙ୍କର ସେ ସମ୍ପର୍କୀୟା ।
Comments are closed.