ଜିଏସ୍ଟି ରାଜନୀତି
ନିକଟରେ ବସ୍ତୁ ଓ ସେବା କର (ଜିଏସ୍ଟି)ରେ ଜିଏସ୍ଟି ପରିଷଦ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ଜିଏସ୍ଟି କାର୍ଯ୍ୟକାରୀ ହେବାର ବର୍ଷାଧିକ କାଳ ବିତିଯିବା ପରେ ମଧ୍ୟ ଏହାକୁ ସ୍ଥିର ବା ସର୍ବଗ୍ରହଣୀୟ ରୂପ ଏଯାଏଁ ଦିଆଯାଇପାରି ନାହିଁ। ଏହାର କାରଣ କେବଳ ଦୁର୍ବଳ କାର୍ଯ୍ୟକାରିତା ବୋଲି କହିଲେ ଭୁଲ୍ ହେବ। ସରକାରଙ୍କ ମାନସିକତା ମଧ୍ୟ ଏଥିରେ ଅନେକ ପରିମାଣରେ ପ୍ରତିଫଳିତ, ତାହା କହିବା ବାହୁଲ୍ୟ। ସେ ଯାହାହେଉ, ଏହି ପରିବର୍ତ୍ତନ ଦ୍ବାରା ଉଦ୍ୟୋଗ ଜଗତ ଓ କିଛି ପରିମାଣରେ ସାଧାରଣ ଲୋକ ଉପକୃତ ହେବା ନିଶ୍ଚିତ। ଏଥର ୱାଶିଂମେସିନ, ରେଫ୍ରିଜେରେଟର, ଭିଡିଓ ଗେମ୍, ଜୁସର୍-ମିକ୍ସର, ୱାଟରକୁଲର୍ ଭଳି ମଧ୍ୟବର୍ଗଙ୍କ ୧୭ଟି ଉପଭୋଗ୍ୟ ବସ୍ତୁକୁ ୨୮ ଶତାଂଶରୁ ୧୮ ଶତାଂଶ ଟିକସ ଶ୍ରେଣୀରେ ରଖାଯାଇଛି। ସେହିପରି ସାନିଟାରୀ ନାପକିନକୁ ଟିକସମୁକ୍ତ କରାଯାଇଛି, ଯାହା ଆରମ୍ଭରୁ ଦାବି ହୋଇଆସୁଥିଲା।
ଏହା ସ୍ବାଗତଯୋଗ୍ୟ; ତେବେ ଏହି ପରିବର୍ତ୍ତନର ଔଚିତ୍ୟ ନେଇ ନୁହେଁ, ବରଂ ଏଭଳି ନିଷ୍ପତ୍ତିର ଅବଧି ଓ ସରକାରଙ୍କ ଟାଳଟୁଳ ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। କେତେକ ଏଥିରୁ ରାଜନୀତିର ଗନ୍ଧ ଆସୁଛି ବୋଲି ଯାହା କହୁଛନ୍ତି, ତା’କୁ ସଂପୂର୍ଣ୍ଣ ଅମୂଳକ କହିହେବ ନାହିଁ। ଏଭଳି ନିଷ୍ପତ୍ତି ସେତେବେଳେ ନିଆଯାଉଛି, ସେତେବେଳେ ତିନିଟି ବଡ଼ ରାଜ୍ୟର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଓ ଆଗାମୀ ଲୋକସଭା ନିର୍ବାଚନ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ମରଣୀୟ ଯେ ପ୍ରତ୍ୟହ ପରିବର୍ତ୍ତିତ ହେଉଥିବା ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପ୍ରାୟ କୋଡ଼ିଏ ଦିନ ପର୍ଯ୍ୟନ୍ତ ସ୍ଥିର ହୋଇଯାଇଥିଲା ଓ ଭୋଟ ପରଦିନଠାରୁ ହିଁ ଏହାର ମୂଲ୍ୟ ଖୁବ୍ ବଢ଼ିବାରେ ଲାଗିଲା। ଏହାକୁ କାକତାଳୀୟ ବୋଲି କୁହାଯାଇନପାରେ। ଯଦି ଟିକସ ଢାଞ୍ଚା ନିର୍ଦ୍ଧାରଣ ବି ନିର୍ବାଚନିକ ଲାଭକ୍ଷତି ଦ୍ବାରା ପ୍ରେରିତ ହୁଏ, ତେବେ ଆର୍ଥିକ ସ୍ଥିରତା ଓ ପ୍ରଗତିର ଅବଧାରଣା କେବଳ ବେଇମାନୀ।