www.samajalive.in
Sunday, December 7, 2025
18.1 C
Bhubaneswar

ନିର୍ବିକଳ୍ପ ନୀତୀଶ

ରବିବାର ବିହାରରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ(ଏନ୍‌ଡିଏ)ର ନେତା ନିର୍ବାଚିତ ହେବାପରେ କ୍ରମାଗତ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ନୀତୀଶ କୁମାର। ୨୦୧୫ରେ ନୀତୀଶଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ) ୭୧ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର ୪୩କୁ ଖସିଆସିଛି; କିନ୍ତୁ ତାଙ୍କର ସହଯୋଗୀ ଦଳ ବିଜେପି ଏଥର ଜେଡିୟୁଠାରୁ ବହୁତ ଅଧିକ ଆସନ ହାତେଇ ନିଜର ପ୍ରତିପତ୍ତି ଜାହିର କରିବାର ସୁଯୋଗ ପାଇଛି। ତେବେ ପୂର୍ବ ଚୁକ୍ତି ଅନୁସାରେ ବିଜେପି ନୀତୀଶଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ମନେରଖିବାକୁ ହେବ ଯେ ନୀତୀଶ ସର୍ବଦା ଏନ୍‌ଡିଏରେ ନିଜର ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ରଖି ସସର୍ତ୍ତ ରହିଆସିଛନ୍ତି। ଏହା ତାଙ୍କର ସବୁଠୁ ବଡ଼ ଶକ୍ତି।
କେତେକ କାରଣରୁ ନୀତୀଶଙ୍କ ଦଳ ଏଥରର ନିର୍ବାଚନରେ ଆଶାନୁରୂପ ସଫଳତା ହାସଲ କରିନାହିଁ। ଏଥିପାଇଁ ବିଜେପିର ରଣନୀତି ମଧ୍ୟ ଅନେକାଂଶରେ ଦାୟୀ। ନୀତୀଶ ଲୋକଜନଶକ୍ତି ପାର୍ଟି (ଲୋଜପା) ସାଂଗରେ ମେଣ୍ଟ କରିବାକୁ ଚାହିଁନଥିଲେ; କିନ୍ତୁ ବିଜେପି ତାକୁ ଖୋଲାଖୋଲି ବିରୋଧ କଲାନାହିଁ। ଅନ୍ୟପଟେ ଲୋଜପା ମୁଖ୍ୟ ଚିରାଗ ପାଶ୍ବାନ ନୀତୀଶଙ୍କୁ ନିଜର ଶତ୍ରୁ ଘୋଷଣା କରି ବହୁ ଆସନରେ ତାଙ୍କ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରାର୍ଥୀ ଛିଡ଼ା କରାଇଦେଲେ। ଏହାର କୁପରିଣାମ ନୀତୀଶ ଓ ଜେଡିୟୁକୁ ଭୋଗିବାକୁ ପଡ଼ିଥିଲାବେଳେ ବିଜେପି ଲାଭବାନ ହୋଇଛି। କେବଳ ଲୋଜପା ହେତୁ ୨୮ଟି ଆସନ ଜେଡିୟୁ ହାତରୁ ଖସିଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ରାଜନୀତିର ଦାଓପେଞ୍ଚକୁ ଭଲଭାବେ ବୁଝିଥିବା ନୀତୀଶ ଏ ନେଇ କିଛି ମୁହଁ ଖୋଲିନାହାନ୍ତି। ହୁଏତ ସେ ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହିଁନାହାନ୍ତି, ଯାହାର ସୁଫଳ ଏବେ ପାଇଛନ୍ତି। ତେବେ ବିଜେପି ଯଦି ବଡ଼ଭାଇପଣିଆ ଦେଖାଇବାକୁ ଚେଷ୍ଟା କରିବ, ତାଙ୍କ ଚତୁର୍ଥ ପାଳିର ମୁଖ୍ୟମନ୍ତ୍ରିତ୍ବ ସେତେଟା ସହଜ ହେବନାହିଁ।
ସେ ଯାହାହେଉ, ଏଥିରେ ସନ୍ଦେହ ନାହିଁ ଯେ ୧୯୯୦-୨୦୦୫ ଶାସନ କାଳକୁ ବିହାରରେ ଅନ୍ଧକାର ଯୁଗ ବୋଲି ସମୀକ୍ଷକ କହୁଥିବାବେଳେ ୨୦୦୫ରେ ଲାଲୁପ୍ରସାଦ ଯାଦବଙ୍କ ପରାଜୟ ଏବଂ ନୀତୀଶଙ୍କ ଅଭ୍ୟୁତ୍ଥାନ ପରେ ଆଲୋକ ଆଡ଼କୁ ରାସ୍ତା ଫିଟିଥିଲା। ‘ଜଙ୍ଗଲରାଜ୍‌’ ହଟାଇବାକୁ ଏହି ସମାଜବାଦୀ ପ୍ରଗତିଶୀଳ ନେତାଙ୍କୁ କମ୍‌ ପରିଶ୍ରମ କରିବାକୁ ପଡ଼ିନାହିଁ। ଏଥିପାଇଁ ସେ ରାସ୍ତା, ଡାକ୍ତରଖାନା, ସ୍କୁଲ୍‌ ଆଦି ନିର୍ମାଣ କରାଇବା ସହ ଗରିବ ଲୋକଙ୍କ ଖାଦ୍ୟପେୟ ସହିତ ସିଧାସଳଖ ସଂପୃକ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ମଜଭୁତ କରିବାକୁ ପଦକ୍ଷେପ ନେଲେ। ପଞ୍ଚାୟତ ସ୍ତରରେ ମହିଳାମାନଙ୍କୁ ଅଧିକ ସଶକ୍ତ କରିବାକୁ ଚେଷ୍ଟା କଲେ। ପୂର୍ବାପେକ୍ଷା ଦୁର୍ନୀତିର ପରିମାଣ କମିଲା। ବିହାରର ଜନସାଧାରଣ ୨୦୧୦ରେ ଏହାର ଫଳ ମଧ୍ୟ ନୀତୀଶଙ୍କୁ ଭୋଟ ଆକାରରେ ଦେଲେ ଓ ୨୪୩ରୁ ତାଙ୍କୁ ଦଳକୁ ୧୧୫ଟି ଓ ବିଜେପିକୁ ୯୧ଟି ଆସନରେ ବିଜୟୀ କରାଇଲେ। ୨୦୧୫ରେ ସେ ନିଜର ଚିରଶତ୍ରୁ ଆର୍‌ଜେଡିର ଲାଲୁ ଯାଦବଙ୍କ ସହ ପ୍ରାକ୍‌-ନିର୍ବାଚନ ମେଣ୍ଟ ଗଢ଼ି ଦୁଇ-ତୃତୀୟାଂଶ ଆସନ ହାତେଇବାରେ ସଫଳ ହେଲେ ଏବଂ ତେଜସ୍ବୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଇଲେ। ତେବେ ଦୁଇବର୍ଷ ନପୂରୁଣୁ ୨୦୧୭ରେ ହିଁ ଏ ମେଣ୍ଟ ଭାଙ୍ଗିଗଲା ଓ ନୀତୀଶ ନିଜର ପୁରୁଣା ସହଯୋଗୀ ବିଜେପି ସହ ହାତ ମିଳାଇଲେ। ତେଣୁ ତାଙ୍କ ଦଳ ହାରିଲେ ବି ନୀତୀଶ ଅପ୍ରତିଦ୍ବନ୍ଦ୍ବୀ ହୋଇ ଏଯାଏ ରହିଆସିଛନ୍ତି। ଅବଶ୍ୟ ଏପରି ସୁବିଧାବାଦୀ ମେଣ୍ଟ-ନୀତି ତାଙ୍କ ଭାବମୂର୍ତ୍ତିରେ ସାମାନ୍ୟ ଆଞ୍ଚ ଆଣିଛି। ତେଣୁ ତିନିଟି ଶାସନକାଳ ପରେ କିଛିଲୋକ ତାଙ୍କୁ ନାପସନ୍ଦ କରିଛନ୍ତି, ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ଉଲ୍ଲେଖନୀୟ ଯେ ତାଙ୍କର ବିରୋଧୀ ଆର୍‌ଜେଡିର ତେଜସ୍ବୀ ଯାଦବ ଏହି ନିର୍ବାଚନରେ ଜଣେ ଉଦୀୟମାନ ରାଜନେତାଭାବେ ଆବିର୍ଭୂତ ହୋଇଛନ୍ତି, ଯିଏ ନିଜର ବିଚକ୍ଷଣତା ଓ ରାଜନୀତିକ କୁଶଳତା ଦେଖାଇଛନ୍ତି। କହିବା ବାହୁଲ୍ୟ, ସେ କେବଳ ନୀତୀଶ ନୁହନ୍ତି, ବିଜେପିର ବଡ଼ବଡ଼ ନେତାଙ୍କୁ ମଧ୍ୟ ମୁକାବିଲା କରିବାରେ ନିଜକୁ ସମର୍ଥ କରିପାରିଛନ୍ତି। ଆସନ-ଗଣିତରେ ସେ ଅଳ୍ପକେ ମୁଖ୍ୟମନ୍ତ୍ରୀ ଆସନରୁ ବଞ୍ଚିତ ହୋଇଥିଲେ ହେଁ ବିହାରର ଲୋକେ ନୀତୀଶ ଓ ଅନ୍ୟମାନଙ୍କ ଅପେକ୍ଷା ତେଜସ୍ବୀଙ୍କଠାରେ ନିଜର ଭବିଷ୍ୟ ନେତୃତ୍ବ ଦେଖୁଛନ୍ତି।
ଅପରପକ୍ଷେ, ବିହାରରେ ମାଫିଆ-ଗୁଣ୍ଡାରାଜ୍‌ର ଅନ୍ତ ଘଟାଇବା ସହ ପ୍ରବଳ ବିରୋଧ ଓ ସନ୍ଦିଗ୍ଧତା ସତ୍ତ୍ବେ ରାଜ୍ୟରେ ସଂପୂର୍ଣ୍ଣ ମଦ ବନ୍ଦ କରିବା ‘ସୁଶାସନ କୁମାର’ ନୀତୀଶଙ୍କ ସବୁଠୁ ବଡ଼ ଅବଦାନ। ଅବଶ୍ୟ ବିରୋଧୀ ଦଳ ସଂପୂର୍ଣ୍ଣ ମଦବନ୍ଦ ହୋଇନାହିଁ ବୋଲି କହୁଛନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ଯେଭଳି କୋଟିକୋଟି ଟଙ୍କାର ମଦ ଜବତ ହେଲା, ସେଥିରୁ ଏହି ନୀତିର ନିଷ୍ଫଳତା ଜଣାପଡ଼ିଛି; କିନ୍ତୁ ସେଥିପାଇଁ ନୀତୀଶଙ୍କୁ ଦୋଷ ଦେଲେ ତାଙ୍କ ପ୍ରତି ଅନ୍ୟାୟ ହେବ। ପ୍ରକୃତରେ ଦେଖିବାକୁ ଗଲେ ନିଶାସେବନ ଏକ ବ୍ୟକ୍ତିଗତ ବ୍ୟାପାର ଏବଂ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାପାଇଁ କୌଣସି ସରକାରୀ ନୀତିନିୟମ ନୁହେଁ, ବରଂ ବ୍ୟକ୍ତି-ସଚେତନତା ଲୋଡ଼ା। ସେହିପରି ନୀତୀଶଙ୍କ ଧର୍ମନିରପେକ୍ଷତା ଅବିସଂବାଦିତ। ତାଙ୍କର ସାଂପ୍ରଦାୟିକତା-ବିରୋଧୀ ଦୃଷ୍ଟିକୋଣ ଅନେକ ଲୋକଙ୍କୁ ସର୍ବଦା ଅଡୁଆ ଲାଗିଛି; ତଥାପି ସେ ଅଟଳ ରହିଛନ୍ତି। ଏଥିରେ ଆଦୌ ସନ୍ଦେହ ନାହିଁ ଯେ ବିହାରରେ ବର୍ତ୍ତମାନ ମଧ୍ୟ ନୀତୀଶଙ୍କ ବିକଳ୍ପ କେହି ନେତା ନାହାନ୍ତି, ଯିଏ ରାଜ୍ୟକୁ ଉତ୍ତମ ନେତୃତ୍ବ ଦେଇପାରିବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories