www.samajalive.in
Sunday, December 7, 2025
18.1 C
Bhubaneswar

ଏକାମ୍ର ବିକାଶକୁ ମଳିନ କରୁଛି ଦେବୀପାଦହରା

ଭୁବନେଶ୍ବର : ଦେବୀପାଦହରା ପୁଷ୍କରିଣୀ କେଉଁଠି ପର୍ଯ୍ୟଟକଙ୍କୁ ଖୋଜିବାକୁ ପଡ଼ୁଥିଲା । ଏକାମ୍ର ବିକାଶ ଯୋଜନାରେ ତୀର୍ଥ ପୁଷ୍କରିଣୀର ଭବ୍ୟରୂପ ଦୃଶ୍ୟମାନ ହେଲା। ଏଭଳି ସୌନ୍ଦର୍ଯ୍ୟମୟ ପୁଷ୍କରିଣୀ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା। ଅନ୍ୟ ପୁଷ୍କରିଣୀ ଅପେକ୍ଷା ଏହାର ରୂପ ଏବଂ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ଅଲଗା। ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ସାମ୍ନାରେ ଲୁଚି ଯାଇଥିବା ଏହି ଐତିହ୍ୟ ପୁଷ୍କରିଣୀଟି ଏକାମ୍ର ବିକାଶ ଯୋଜନାକୁ ଏବେ ମଳିନ କରିବାକୁ ବସିଛି। କେନ୍ଦ୍ର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଚରମ ଅବହେଳା ଯୋଗୁଁ ଏହି ତୀର୍ଥ ପୁଷ୍କରିଣୀ ତା’ର ଅସ୍ତିତ୍ବ ହରାଇଛି। ପୁଷ୍କରିଣୀର ବାହାର ରୂପ ତୁଳନାରେ ଭିତରଟା ଅଧିକ କଦର୍ଯ୍ୟ ହୋଇଛି। ପର୍ଯ୍ୟଟକ ସେଠାକୁ ଯିବାକୁ ଭୟ କରୁଛନ୍ତି। ପୁଷ୍କରିଣୀ ପାଚେରି ଭିତରେ ଥିବା ମନ୍ଦିର ଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ।

୨୦୧୯ ଡିସେମ୍ବର ୮ରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧୀନରେ ତୀର୍ଥପୁଷ୍କରିଣୀ ଏବଂ ମନ୍ଦିର ଗୁଡିକର ଅବସ୍ଥା କିପରି ରହିଛି ତାହାକୁ ବୁଲି ଦେଖିଥିଲେ। ସେ ସମୟରେ ଦେବୀପାଦହରା ପୁଷ୍କରିଣୀର ଅବସ୍ଥା ଦେଖି ଚକିତ ହୋଇପଡିଥିଲେ। ସେହି ସମୟରେ ପୁଷ୍କରିଣୀ ଭିତରେ କିଛି ନିଶାଡିଆ ନିଶାସେବନ କରୁଥିଲେ। ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଏଏସଆଇ ଅଧୀକ୍ଷକଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ରକୁ ଫେରିବା ପରେ ପୁଷ୍କରିଣୀର ଅବସ୍ଥା ସମ୍ପର୍କରେ ସୋସିଆଲ ମିଡିଆରେ ଟ୍ବିଟ୍‌ କରି ଜଣାଇଥିଲେ। ତାହାସତ୍ତ୍ବେ ପୁଷ୍କରିଣୀର ଅବସ୍ଥା ସୁଧୁରି ପାରିଲାନି।

- Advertisement -

ପୁଷ୍କରିଣୀର ବିଶେଷତ୍ୱ

ପୁଷ୍କରିଣୀର ଗଠନ ଶୈଳୀ ସମ୍ପୂର୍ଣ୍ଣ ଅଲଗା। ପୁଷ୍କରିଣୀର ଚାରିପଟେ ପାହାଚ ସାଙ୍ଗକୁ ଅସଂଖ୍ୟ ଛୋଟ ଛୋଟ ମନ୍ଦିର ଅଛି। ଏହାକୁ ସହସ୍ର ଲିଙ୍ଗ ପୁଷ୍କରିଣୀ କୁହାଯାଏ। ସେଠାରେ ଏବେ ୭୭ ମନ୍ଦିର ରହିଛି। ଅନ୍ୟ ସବୁ ଭାଙ୍ଗିରୁଜି ଗଲାଣି। ସେଥିମଧ୍ୟରୁ ପାଞ୍ଚଟି ଶିବ ମନ୍ଦିର ରହିଛି। ପୁଣି ପୁଷ୍କରିଣୀର ଉତ୍ତରପାର୍ଶ୍ବରେ ନବଗ୍ରହ ମୂର୍ତ୍ତି ଖୋଦିତ ହୋଇଛି। ପୌରାଣିକ ଓ ଐତିହାସିକ ତଥ୍ୟ ଆଧାରରେ ଦେବୀ ପାର୍ବତୀ ଗୋପାଳୁଣୀ ବେଶରେ ଏଠାରେ କୀର୍ତ୍ତି ଓ ବାସ ନାମକ ଦୁଇ ରାକ୍ଷସଙ୍କୁ ପାଦରେ ରସାତଳଗାମୀ କରିଥିଲେ। ସେହି ସମୟରେ ଦେବୀପାର୍ବତୀଙ୍କ ପାଦ ତଳୁ ଜଳ ସ୍ରୋତ ବାହାରି ଆସିଥିଲା। ସେବେଠାରୁ ଏହାକୁ ଦେବୀପାଦହରା ପୁଷ୍କରିଣୀ ବୋଲି କୁହାଯାଇଥାଏ। ଏହି ପୁଷ୍କରିଣୀରେ ବର୍ଷ ସାରା ଜଳ ପୂର୍ଣ୍ଣ ରହିଥାଏ। ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ପୁଷ୍କରିଣୀ ରହିଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିଥାଏ। ପର୍ଯ୍ୟଟକ ପୁଷ୍କରିଣୀରେ ସ୍ନାନ କରି ନିଜକୁ ଧନ୍ୟ ମଣିଥାନ୍ତି।

ଏହି ପୁଷ୍କରିଣୀ ସହ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଯାତ୍ରା ଜଡିତ ରହିଛି। ପ୍ରତିବର୍ଷ ଫାଲଗୁନ ମାସ ଅଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଦେବୀପାଦହରା ଯାତ୍ରା ହୋଇଥାଏ। ଏହା ଲିଙ୍ଗରାଜଙ୍କ ଉପଯାତ୍ରା। ସେହିଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ପ୍ରଭୁ ବାସୁଦେବ, ଦେବୀଦୁର୍ଗା ଓ ଦେବୀ ପାର୍ବତୀ ପୁଷ୍କରିଣୀକୁ ଯାତ୍ରା କରି ସ୍ନାନ କରିବା ସହ ଭୋଗ ଓ ଭେଟ ଆଳତି କରାଯାଏ। ଦିଅଁଙ୍କ ଯାତ୍ରା ପରମ୍ପରା ସହ ଜଡିତ ତୀର୍ଥ ପୁଷ୍କରିଣୀର ଅବସ୍ଥା ସମ୍ପର୍କରେ କେନ୍ଦ୍ର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସଂରକ୍ଷଣ ସହାୟକ ସୁଶାନ୍ତ ଗୋଚ୍ଛାୟତ କୁହନ୍ତି, ଦେବୀପାଦହରା ପୁଷ୍କରିଣୀ ପୁନରୁଦ୍ଧାର ଲାଗି କୌଣସି ଅର୍ଥ ବରାଦ ହୋଇନି। ଅନ୍ୟପକ୍ଷରେ ଗତ ଦୁଇବର୍ଷ ହେବ ଶ୍ରମିକ ସମସ୍ୟା ଯୋଗୁଁ ଅନେକ କାର୍ଯ୍ୟ ହୋଇପାରୁନି ବୋଲି ସେ କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories