www.samajalive.in
Tuesday, December 9, 2025
16.1 C
Bhubaneswar

ଯୋରନ୍ଦା ମହିମା ଗାଦି ଜମି ମାମଲାରେ ଢେଙ୍କାନାଳ ଜିଲାପାଳଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ରଦ୍ଦ

କଟକ: ଯୋରନ୍ଦାସ୍ଥିତ ପ୍ରସିଦ୍ଧ ମହିମା ସ୍ବାମୀଙ୍କ ଗାଦି ଓ ମହିମା ସାମାଜର ଜମି ଉପରେ ଢେଙ୍କାନାଳ ଜିଲ୍ଲାପାଳ ୨୦୨୦, ଜୁଲାଇ ୨୪ରେ ଜାରି କରିଥିବା ସ୍ଥିତାବସ୍ଥା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜିଲାପାଳଙ୍କ ଜୁଲାଇ ୨୪ର ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ମହିମା ସ୍ବାମୀ ବିଜେ ଜୋରନ୍ଦା ମାର୍ଫତ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ତଥା ବଳ୍କଳଧାରୀ ମହିମା ସମାଜ ସଭାପତି ଓ ସଂପାଦକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଜିଲାପାଳଙ୍କ ଜୁଲାଇ ୨୪ର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥି ସହିତ ରାଜସ୍ବ କର୍ତ୍ତୃପକ୍ଷ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡି.ପି.ମହାନ୍ତି ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ନତିମା ମୌଜାରେ ୬ ଏକର ୫୬ ଡିସିମିଲ ଓ ଜୋରନ୍ଦା ମୌଜାରେ ୬୯ ଏକର ୩୩ ଡିସିମିଲ ଜମି ମହିମା ସମାଜର ରହିଥିବା ବେଳେ ବିଭିନ୍ନ କାରଣରୁ ମହିମା ସାଧୁ ସମାଜ ଦୁଇ ଭାଗରେ ବଳ୍କଳଧାରୀ ଓ କୌପିନଧାରୀ ଭାବେ ବିଭକ୍ତ ହୋଇଥିଲେ। ଜୋରନ୍ଦାରେ ମହିମା ଗାଦି ସହିତ ମହିମା ଧର୍ମାବଲମ୍ବୀଙ୍କ ଅନ୍ୟ କେତେକ ଉପାସନା ପୀଠ ରହିଥିବା ବେଳେ ଏହି ଜମିକୁ ନେଇ ଦୁଇ ବଳ୍କଳଧାରୀ ଓ କୌପିନଧାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ପ୍ରତିନିଧିତ୍ବ କରୁଥିବା ଦାବି କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା। ଏ ନେଇ ବିଭିନ୍ନ ସ୍ତରରେ ମୋକଦ୍ଦମା ଚାଲିବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୧୮, ଜାନୁଆରି ୩୦ରେ ରାୟ ପ୍ରକାଶ କରି ଏହି ଜମିର ଖଜଣା ଉଭୟ ପକ୍ଷ ସଦସ୍ୟ ଥିବା ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ନାଁରେ ଧାର୍ୟ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଏହାପରେ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ଗଁଦିଆ ତହସିଲଦାରଙ୍କ ନିକଟରେ ଦୁଇଟି ମୌଜାରେ ଥିବା ଜମି ପାଇଁ ଦୁଇଟି ମ୍ୟୁଟେସନ୍ କେସ୍ ଦାଖଲ କରିଥିଲେ। ୨୦୧୮, ନଭେମ୍ବର ୨ରେ ତହସିଲଦାର ଏ ସଂପର୍କିତ ମ୍ୟୁଟେସନ୍ କେସ୍ର ଶୁଣାଣି କରି ଜମିର ରେକର୍ଡରେ ସଂେଶାଧନ କରି ମହିମା ଗୋସାଇଁ ମାର୍ଫତ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ନାଁରେ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ହାଇକୋର୍ଟରେ ଦୁଇଟି ମାମଲା ଦାୟର କରିଥିଲା।

ଗୋଟିଏ ମାମଲରେ ହାଇକୋର୍ଟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ। ଏହାପରେ ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ରିଭିଜନ୍ ପିଟିସନ୍ ୨୦୧୯ରେ ଦାୟର କରିଥିଲା। ଏହି ମାମଲା ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ଏ ସଂପର୍କିତ ଦ୍ବିତୀୟ ମାମଲାଟି ହାଇକୋର୍ଟରେ ବିଚାରାଧୀନ ରହିଛି।

ଏଭଳି ସ୍ଥିତି ଲାଗି ରହିଥିବା ବେଳେ ୨୦୨୦, ଜୁଲାଇ ୯ରେ ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ପକ୍ଷରୁ ଏକ ଲିଖିତ ଅଭିଯୋଗ ଆବେଦନକାରୀଙ୍କ ବିରୋଧରେ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହି ଅଭିଯୋଗ ବିଧାୟକ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଏପରି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ନ କରି ଢେଙ୍କାନାଳ ସଦର ଉପଜିଲ୍ଲାପାଳଙ୍କୁ ମହିମା ସମାଜର ଜମି ଉପରେ ସ୍ଥିତାବସ୍ଥା ଜାରି ପାଇଁ ନିର୍ଦେଶ ଦେଇଥିଲେ।

ଏହି ନିର୍ଦେଶ ଆଧାରରେ ମହିମା ସମାଜ ଜମି ଉପରେ ସ୍ଥିତାବସ୍ଥା ଓ ଶାନ୍ତି ବଜାୟ ରଖିବାକୁ ୨୦୨୦, ଜୁଲାଇ ୨୮ରେ ଉପଜିଲାପାଳ ଆବେଦନକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ। ଏହାପରେ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିକୁ ଏହି ସଂପତ୍ତି ବ୍ୟବହାର କରିବାକୁ ପ୍ରଶାସନ ବିଭିନ୍ନ ଭାବେ ହଇରାଣ କରିବା ସହିତ ବାରଣ କରୁଥିବା ଅଭିଯୋଗ ହୋଇଥିଲା। ଆବେଦନକାରୀ ଏହି ସଂପତ୍ତି ଭୋଗ, ଦଖଲ, ବ୍ୟବହାର ଓ ଉନ୍ନତିକରଣ କରିବା ଉପରେ କୌଣସି ଅଦାଲତି ଅଙ୍କୁଶ ନଥିବା ବେଳେ କେବଳ ଏକ ଅଭିଯୋଗ ପରେ ଜିଲାପାଳ ଏପରି ସ୍ଥିତାବସ୍ଥା ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories